Latest Odisha News

BREAKING NEWS

ରାଜ୍ୟରେ ୫୯ H3N2 ପଜିଟିଭ୍ ଚିହ୍ନଟ; ଗାଇଡ୍‌ଲାଇନ୍‌ ଜାରି କଲେ ସରକାର

ଭୁବନେଶ୍ୱର: ଦେଶରେ ଦୁଇ ଜଣଙ୍କ ଜୀବନ ନେବା ପରେ ରାଜ୍ୟରେ ବି ମାତିଲା H3N2 ଭୂତାଣୁ। ଆଜି ୫୯ଜଣ H3N2 ସଂକ୍ରମିତ ଚିହ୍ନଟ  ହୋଇଛନ୍ତି। ଜାନୁୟାରୀ ଓ ଫେବୃଆରୀରେ ୨୨୫ଟି ନମୁନା ମଧ୍ୟରୁ ୫୯ଟି ପଜିଟିଭ ଚିହ୍ନଟ ହୋଇଥିବା RMRC ନିର୍ଦ୍ଦେଶିକା ସଂଘମିତ୍ରା ପତି ସୂଚନା ଦେଇଛନ୍ତି। ରାଜ୍ୟରେ H3N2 ଚିହ୍ନଟ ହେବା ପରେ ଚିନ୍ତା ବଢ଼ିଯାଇଛି। ଏଥିପାଇଁ ଆଗୁଆ ଗାଇଡ୍‌ଲାଇନ୍ ଜାରି କରିଛନ୍ତି ରାଜ୍ୟ ସରକାର।

ସଂକ୍ରମିତ ବ୍ୟକ୍ତିଙ୍କ ପାଇଁ କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ବ୍ୟବସ୍ଥା ନଥିବାରୁ ମାସ୍କ ପିନ୍ଧିବା ସହ ଛିଙ୍କିବା ବେଳେ ରୁମାଲ ଉପଯୋଗ କରିବା ଓ ସଂକ୍ରମିତଙ୍କଠୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଲୋକଙ୍କୁ କୋଭିଡ-୧୯ ଗାଇଡଲାଇନକୁ କଡ଼ାକଡ଼ି ପାଳନ କରିବାକୁ ପରାମର୍ଶ ଦିଆଯାଇଛି ।

ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି ଯେ, କୋଭିଡ-୧୯ର ଲକ୍ଷଣ ଭଳି ସମାନ ଲକ୍ଷଣ H3N2 ରହିଥିବା ବେଳେ ଭୟଭୀତ ହେବାର ଆବଶ୍ୟକତା ନାହିଁ। କେବଳ ସତର୍କତା ଅବଲବମ୍ବନ କରିବାକୁ ସେ ଲୋକଙ୍କୁ ପରାମର୍ଶ ଦେଇଛନ୍ତି । ଯେଉଁମାନେ ବିଭିନ୍ନ ରୋଗରେ ପୀଡ଼ିତ ଓ ରୋଗପ୍ରତିରୋଧକ କ୍ଷମତା କମ୍ ସେମାନଙ୍କ ନିମନ୍ତେ ଏହା ଅଧିକ କ୍ଷତିକାରକ ହେବାର ଆଶଙ୍କା ରହିଛି ବୋଲି ସେ ସୂଚନା ଦେଇଛନ୍ତି ।

ସଂକ୍ରମଣ ପାଇଁ କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ଏପର୍ଯ୍ୟନ୍ତ ଉପଲବ୍ଧ ନଥିବାରୁ ପ୍ରତିଷେଧକମୂଳକ ପଦକ୍ଷେପ ସ୍ୱରୂପ ଲୋକେ କୋଭିଡ-୧୯ ଗାଇଡଳାଇନକୁ କଡ଼ାକଡ଼ି ପାଳନ କରିବା ଉଚିତ୍‌ ବୋଲି ସେ ଶ୍ରୀ ମିଶ୍ର କହିଛନ୍ତି । ମାସ୍କ ପିନ୍ଧିବା ସହ ଛିଙ୍କ-କାଶ ବେଳେ ରୁମାଲ ଆଦି ଉପଯୋଗ କରିବା, ଲକ୍ଷଣ ଦେଖାଦେଲେ ରୋଗୀ ଠାରୁ ଦୂରେଇ ରହିବାକୁ ସେ ପରାମର୍ଶ ଦେଇଛନ୍ତି। ଲୋକମାନଙ୍କୁ ମାସ୍କ ପିନ୍ଧିବା, ଛିଙ୍କିବା ସମୟରେ ରୁମାଲ ଉପଯୋଗ କରିବା ଏବଂ ପ୍ରଚୁର ପରିମାଣର ପାଣି ପିଇବାକୁ ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି ।

ଭୁବନେଶ୍ୱରସ୍ଥିତ ଆଂଚଳିକ ମେଡିକାଲ ରିସର୍ଚ୍ଚ ସେଂଟର(ଆରଏମଆରସି) ନିର୍ଦ୍ଦେଶିକା ସଂଘମିତ୍ରା ପତିଙ୍କ ସୂଚନା ଅନୁସାରେ, ଏହି H3N2 ଭୂତାଣୁ ହେଉଛି ଇନଫ୍ଲୁଏଞ୍ଜା-ଏର ସବଟାଇପ୍ । ଏଥିରେ ସଂକ୍ରମିତ ବ୍ୟକ୍ତିଙ୍କ ଶରୀରରେ ଭୀଷଣ ଜ୍ୱର, ମୁଣ୍ଡବ୍ୟଥା, ଶରୀର ଯନ୍ତ୍ରଣା, ଗଳାରେ ଯନ୍ତ୍ରଣା, କଫ, ଥଣ୍ଡା ଓ ଫୁସଫୁସ ସମସ୍ୟା ଆଦି ଲକ୍ଷଣ ଦେଖିବାକୁ ମିଳିଥାଏ।

ତେବେ ଶନିବାର କେନ୍ଦ୍ର ସରକାର ଓଡ଼ିଶା ସମେତ ବିଭିନ୍ନ ରାଜ୍ୟକୁ ଚିଠି ଲେଖି H3N2 ଓ H1N1ସଂକ୍ରମଣକୁ ନିୟନ୍ତ୍ରଣ କରିବାକୁ ଗାଇଡଲାଇନ୍ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି। ହସ୍ପିଟାଲଗୁଡ଼ିକରେ ପର୍ଯ୍ୟାପ୍ତ ପରିମାଣର ଔଷଧ, ଅକ୍ସିଜେନ, ମେଡିକାଲ ଉପକରଣ, ମାନବ ସମ୍ବଳ ବୃଦ୍ଧି ସହ କୋଭିଡ-୧୯ ଓ ଇନଫ୍ଲୁଏଞ୍ଜାର ମୁକାବିଲା ପାଇଁ ଟୀକାକରଣ କରାଇବାକୁ ପରାମର୍ଶ ଦେଇଛନ୍ତି।

Leave A Reply

Your email address will not be published.