Latest Odisha News

ନବୀନଙ୍କୁ ଓଡ଼ିଶାର ୫୯% ଜନତା ପୁନର୍ବାର ମୁଖ୍ୟମନ୍ତ୍ରୀ ଭାବେ ଚାହାଁନ୍ତି: ଇଣ୍ଡିଆ ଟୁଡ଼େ ସର୍ଭେ

ଭୁବନେଶ୍ୱର: ଆଗକୁ ସାଧାରଣ ନିର୍ବାଚନ । ଓଡ଼ିଶା ବିଧାନସଭା ସାଙ୍ଗକୁ ଲୋକସଭା ନିର୍ବାଚନ ରଣାଙ୍ଗନର ଅବ୍ୟବହିତ ପୂର୍ବରୁ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ବଳବତ୍ତର ରହିଛି । ଏବେ ମଧ୍ୟ ରାଜ୍ୟର ୫୦ ପ୍ରତିଶତରୁ ଅଧିକ ଜନସାଧାରଣ ନବୀନ ମୁଖ୍ୟମନ୍ତ୍ରୀ ହେବା ଚାହାନ୍ତି ।

ନିକଟରେ ‘ଇଣ୍ଡିଆ ଟୁଡ଼େ’ ଗଣମାଧ୍ୟମର ପଲିଟିକାଲ୍ ଷ୍ଟକ ଏକ୍ସେଚେଞ୍ଜ ପକ୍ଷରୁ ଏକ ସର୍ଭେ କରାଯାଇଥିଲା । ଏହି ସର୍ଭେ ଅନୁସାରେ ଓଡ଼ିଶାର ମୋଟ ୫୯% ଜନତା ଚାହୁଁଛନ୍ତି ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହୁଅନ୍ତୁ । ସେହିପରି ୨୧% ଜନତା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ହେବା ଚାହାନ୍ତି ।

ଏହି ସର୍ଭେ ଦ୍ୱାରା ଜଣାପଡ଼ିଛି, ୪୪ ପ୍ରତିଶତ ଜନତା ନବୀନଙ୍କ ଶାସନରେ ସନ୍ତୁଷ୍ଟ ଥିବା ଦର୍ଶାଇଥିବା ବେଳେ ୧୯ % ଜନସାଧାରଣ ଶାସନରେ ଅସନ୍ତୁଷ୍ଟ ବ୍ୟକ୍ତ କରିଛନ୍ତି ।

ଏହି ସର୍ଭେରୁ ଜଣାପଡ଼ିଛି, କଂଗ୍ରେସ ରାଫେଲ ଡ଼ିଲକୁ ଏକ ଜାତୀୟ ପ୍ରସଙ୍ଗ ଭାବେ ରୂପ ଦେଇଥିଲେ ମଧ୍ୟ ଏହା ଓଡ଼ିଶା ଭୋଟରଙ୍କୁ କୌଣସିମତେ ପ୍ରଭାବିତ କରିପାରିବ ନାହିଁ । କାରଣ ୭୬ ପ୍ରତିଶତ ବ୍ୟକ୍ତି ଏହି ରାଫେଲ ଡ଼ିଲ୍ ପ୍ରସଙ୍ଗ ସମ୍ପର୍କରେ ଅବଗତ ନାହାନ୍ତି । ତେବେ ଯେଉଁମାନେ ଜାଣିଛନ୍ତି ସେମାନଙ୍କ ମଧ୍ୟରୁ ୭୯ ପ୍ରତିଶତ ବ୍ୟକ୍ତି କେନ୍ଦ୍ରକୁ ସମାଲୋଚନା କରିଛନ୍ତି ।

ଏହି ସର୍ଭେ ମାଧ୍ୟମରେ ଜଣାପଡ଼ିଛି, ପାନୀୟ ଜଳ ହି ଓଡ଼ିଶାର ପ୍ରମୁଖ ସମସ୍ୟା ଭିତରୁ ଅନ୍ୟତମ । ଏହାଛଡ଼ା ସ୍ୱାସ୍ଥ୍ୟ ଏବଂ କୃଷି ସମ୍ବନ୍ଧୀୟ ପରି ସମସ୍ୟା ରାଜ୍ୟର ମୁଖ୍ୟ ସମସ୍ୟା ଭାବେ ଏହି ସର୍ଭେରେ ସାଧାରଣ ଜନତା ଦର୍ଶାଇଛନ୍ତି ।

କିନ୍ତୁ ଅନ୍ୟପକ୍ଷରେ ଓଡ଼ିଶାର ୫୪ % ଜନସାଧାରଣ ଆସନ୍ତା ସାଧାରଣ ନିର୍ବାଚନରେ ଦେଶର ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦିଙ୍କ ସପକ୍ଷରେ ନିଜର ସମର୍ଥନ ଜଣାଇଛନ୍ତି । ସେହିପରି କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କୁ ୨୧% ଜନତା ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହାନ୍ତି ।

ଦେଶର ଅଗ୍ରଣୀ ଗଣମାଧ୍ୟମ ସଂସ୍ଥା ‘ଇଣ୍ଡିଆ ଟୁଡ଼େ’ ପକ୍ଷରୁ ଟେଲିଫୋନ ମାଧ୍ୟମରେ ଏହି ସର୍ଭେ କରାଯାଇଥିଲା । ରାଜ୍ୟର ୨୧ଟି ସଂସଦୀୟ ନିର୍ବାଚନ ମଣ୍ଡଳୀର ପ୍ରାୟ ୮୦୦୦ ଲୋକଙ୍କୁ ଏହି ସର୍ଭେ ଲାଗି ପ୍ରଶ୍ନ ପଚରା ଯାଇଥିଲା ।

Leave A Reply

Your email address will not be published.