Latest Odisha News

Balijatra 2026:ଉପର ବାଲିଯାତ୍ରା ପଡିଆରେ ଖୋଲିବ ୫୯୧ ଷ୍ଟଲ୍; ରହିବ ଦହିବରା ହାଟ

କଟକ: ଏଥର ବାଲିଯାତ୍ରା ଆୟୋଜନରେ ଉପରପଡ଼ିଆକୁ ପ୍ରଶାସନ ଅଣଦେଖା କରିବ ନାହିଁ । କଟକ ଜିଲ୍ଲା ପ୍ରଶାସନ ପୂର୍ବାପେକ୍ଷା ଉପରପଡିଆର ବାଲିଯାତ୍ରାକୁ ଆହୁରି ଅଧିକ ଆକର୍ଷଣୀୟ କରିବାକୁ ଯୋଜନା କରିଛି । ଉପର ବାଲିଯାତ୍ରା ପଡ଼ିଆର ପ୍ରାୟ ୧ ଲକ୍ଷ ୯୩ ହଜାର ୩ଶହ ବର୍ଗଫୁଟ୍ ସ୍ଥାନରେ ଚଳିତ ଥର ପ୍ଲଟ୍ ଆବଣ୍ଟନ କରାଯିବ । ଯେଉଁଥିରେ ୫୯୧ ଷ୍ଟଲ୍ ରହିଛି । ଏଥିରେ ଖାଦ୍ୟ, ମନୋରଞ୍ଜନ, ସରକାରୀ ଓ କର୍ପୋରେଟ୍ ଜୋନ୍ ରହିବ ।

ପଡ଼ିଆର ବିଭିନ୍ନ ଅଞ୍ଚଳକୁ ୧୧ଟି ବ୍ଲକ୍‌ରେ ବିଭକ୍ତ କରାଯାଇଛି । ଖାଦ୍ୟ ଷ୍ଟଲ୍ ପାଇଁ ମଧ୍ୟ ନିର୍ଦ୍ଦିଷ୍ଟ ବ୍ଲକ୍ ଚିହ୍ନଟ କରାଯାଇଛି । ୨୦/୧୫ ଫୁଟ୍ ଆକାରର ୪୦ଟି ଖାଦ୍ୟ ଷ୍ଟଲ୍ ଏବଂ ୧୦/୧୫ ଫୁଟ୍ ଆକାରର ୮୦ଟି ଖାଦ୍ୟ ଷ୍ଟଲ୍ ବ୍ୟବସ୍ଥା ରହିଛି । ଗତଥର ଆରମ୍ଭ କରାଯାଇଥିବା ଦହିବରା ହାଟ ଚଳିତ ଥର ଉପରପଡିଆରେ ରହିବ । ଚଳିତ ଥର ଉପର ବାଲିଯାତ୍ରା ପଡ଼ିଆରେ ପ୍ରାୟ ୧୫ହଜାର ବର୍ଗଫୁଟ୍ ସ୍ଥାନର ଏକ ସ୍ୱତନ୍ତ୍ର ଆମ୍ୟୁଜ୍ମେଣ୍ଟ ଜୋନ୍ ଚିହ୍ନଟ କରାଯାଇଛି । ଏହି ଅଞ୍ଚଳରେ ମନୋରଞ୍ଜନ ସମ୍ପର୍କିତ କାର୍ଯ୍ୟକଳାପକୁ ସ୍ୱତନ୍ତ୍ର ଭାବେ ରଖିବାର ଯୋଜନା ଥିବାରୁ ପରିବାର ସହ ବାଲିଯାତ୍ରା ବୁଲିବାକୁ ଆସୁଥିବା ଦର୍ଶକଙ୍କ ପାଇଁ ଏହା ଏକ ଆକର୍ଷଣୀୟ ସ୍ଥାନ ହେବାର ସମ୍ଭାବନା ରହିଛି।

ବାଲିଯାତ୍ରା ଅବସରରେ ସରକାରୀ ବିଭାଗଗୁଡ଼ିକର ଜନସମ୍ପର୍କ ଓ ଲୋକସେବା ସମ୍ପର୍କିତ ପ୍ରଦର୍ଶନୀ ପାଇଁ ମଧ୍ୟ ଉପରପଡ଼ିଆରେ ୩୦ହଜାର ବର୍ଗଫୁଟ୍ ସ୍ଥାନ ରଖାଯାଇଛି । ଏହି ସ୍ଥାନଗୁଡ଼ିକରେ ବିଭିନ୍ନ ବିଭାଗ ନିଜର ଯୋଜନା, ସେବା, କାର୍ଯ୍ୟକ୍ରମ ଓ ଜନକଲ୍ୟାଣ ମୂଳକ ପଦକ୍ଷେପ ସମ୍ପର୍କରେ ଲୋକଙ୍କୁ ସୂଚନା ପ୍ରଦାନ କରିବାର ସୁଯୋଗ ପାଇପାରିବେ । ଏଥିସହ ଭେଣ୍ଡିଂ ଜୋନ୍‌ରେ ଛୋଟ ବ୍ୟବସାୟୀଙ୍କୁ ସ୍ଥାନ ମିଳିବ । ଏଥିପାଇଁ ପ୍ରାୟ ୨,୭୦୦ ବର୍ଗଫୁଟ୍ ଅଞ୍ଚଳ ଚିହ୍ନଟ କରାଯାଇଛି ।

ଅନ୍ୟପଟେ ଉପରପଡିଆରେ କର୍ପୋରେଟ୍ ସଂସ୍ଥା ଓ ଶିଳ୍ପ ପ୍ରତିଷ୍ଠାନ ଗୁଡ଼ିକର ଅଂଶଗ୍ରହଣ ପାଇଁ ମଧ୍ୟ ସ୍ଥାନ ଚିହ୍ନଟ ହୋଇଛି । ପ୍ରାୟ ୧୫,୦୦୦ ବର୍ଗଫୁଟ୍ କର୍ପୋରେଟ୍ ଜାଗା ରଖାଯାଇଛି । ଏହା ବ୍ୟତୀତ ଏମ୍ଏସ୍ଏମ୍ଇ ପାଇଁ ପ୍ରାୟ ୧୦,୦୦୦ ବର୍ଗଫୁଟ୍ ସ୍ଥାନ ଚିହ୍ନଟ ହୋଇଛି । ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟ ପକ୍ଷରୁ ଷ୍ଟଲ୍ ଖୋଲିବା ପାଇଁ ମଧ୍ୟ ୫,୦୦୦ ବର୍ଗଫୁଟ୍ ଅଞ୍ଚଳ ଦର୍ଶାଯାଇଛି
।

ଚଳିତବର୍ଷ ଦର୍ଶକଙ୍କ ଭିଡ଼, ବ୍ୟବସାୟିକ ଆବଶ୍ୟକତା, ମନୋରଞ୍ଜନ ଓ ବିଭିନ୍ନ ସରକାରୀ, ବେସରକାରୀ ପ୍ରଦର୍ଶନୀକୁ ଦୃଷ୍ଟିରେ ରଖି ପଡ଼ିଆକୁ ଏକ ସୁସଂଗଠିତ ଲେଆଉଟ୍‌ରେ ବିକଶିତ କରିବାର ଯୋଜନା କରାଯାଇଛି । ଅତିରିକ୍ତ ଜିଲ୍ଲପାଳ କମଲଜିତ ଦାସ ଓ କଟକ ସଦର ତହସିଲଦାର ଦେବଦତ୍ତ ପ୍ରଧାନଙ୍କ ସହ ଏକ ଟିମ୍ ଏହାର ନେତୃତ୍ୱ ନେଉଛନ୍ତି ।

ବିଶାଳ ଜନସମାଗମକୁ ଦୃଷ୍ଟିରେ ରଖି ପଡ଼ିଆରେ ଆଲୋକୀକରଣ, ଜଳ ନିଷ୍କାସନ, ଆଭ୍ୟନ୍ତରୀଣ ରାସ୍ତା ଓ ପାର୍କିଂ ଭଳି ମୌଳିକ ବ୍ୟବସ୍ଥାକୁ ସୂଚାରୁ କରିବା ଉପରେ ପ୍ରସ୍ତୁତି ପର୍ଯ୍ୟାୟରେ ଗୁରୁତ୍ୱ ଦିଆଯିବ ।

 

Leave A Reply

Your email address will not be published.