Latest Odisha News

BREAKING NEWS

ନ୍ୟୁଜିଲାଣ୍ଡ ପରେ ଫିଲିପିନ୍ସରେ ଭୂମିକମ୍ପ: ଗତ ୧୦ ଦିନ ଭିତରେ ୪ ଦେଶକୁ ଭୂକମ୍ପ ଝଟ୍‌କା

ମାନିଲା: ଏବେ ବିଭିନ୍ନ ଦେଶରେ ଭୂମିକମ୍ପ ହେବାରେ ଲାଗିଛି। ଗତକାଲି ନ୍ୟୁଜିଲାଣ୍ଡରେ ଏକ ବଡ଼ ଭୂମିକମ୍ପ ହୋଇଥିବା ବେଳେ ଗୁରୁବାର ଫିଲିପିନ୍ସରେ ୬.୧ ତୀବ୍ରତାର ଭୂମିକମ୍ପ ହୋଇଛି। ସେଣ୍ଟ୍ରାଲ୍‌ ଫିଲିପିନ୍ସର ମାସ୍‌ବେଟ୍‌ ଅଞ୍ଚରେ ଏହି ଭୂମିକମ୍ପ ହୋଇଥିବା ଆମେରିକା ଭୌଗଳିକ ସର୍ଭେକ୍ଷଣ କେନ୍ଦ୍ର(USGS)ର ସୂଚନା ଦେଇଛି। ତେବେ ଏହି ଭୂମିକମ୍ପରେ କୌଣସି କ୍ଷୟକ୍ଷତି ହୋଇନାହିଁ।

USGSର ସୂଚନା ଅନୁସାରେ, ମାସବେଟ ରାଜ୍ୟର ଉସନ ମ୍ୟୁନିସିପାଲଟି ଅଧିନରେ ଆସୁଥିବା ମିଆଗା ଗାଁରୁ ୧୧ କିମି ଦୂରରେ ଏହି ଭୂମିକମ୍ପର କେନ୍ଦ୍ର ସ୍ଥଳ ଥିଲା। ରାତି ୨ଟା ବେଳେ ଭୂମିକମ୍ପ ଝଟ୍‌କା ଲାଗିବାରୁ ଭୟରେ ଲୋକଙ୍କ ନିଦ ଭାଙ୍ଗିଯାଇଥିଲା। ଲୋକମାନେ ଘରୁ ବାହାରକୁ  ବାହାରି ଆସିଥିଲେ।

ମିଳିଥିବା ସୂଚନା ଅନୁସାରେ ମାସବେଟ୍‌ରେ ଭୂମିକମ୍ପ ହୋଇଥିବାରୁ ରାଜ୍ୟରେ ସ୍କୁଲ୍‌ ଛୁଟି ଘୋଷଣା କରିଦିଆଯାଇଛି। କାଳେ ଆହୁରି ଭୂମିକମ୍ପ ହୋଇପାରେ ଏଥିପାଇଁ ଶିକ୍ଷା ବିଭାଗ ଏପରି ନିଷ୍ପତ୍ତି ନେଇଛି।

ସୂଚନା ଥାଉକି ଗତ ଅକ୍ଟୋବର ମାସରେ ଫିଲିପିନ୍ସରେ ୬.୪ ତୀବ୍ରତାର ଭୂମିକମ୍ପ ହୋଇଥିଲା। ଅବ୍ରା ରାଜ୍ୟରେ ପର୍ବତାଞ୍ଚଳ ଡୋଲୋରସ୍‌ରେ ଏହି ଭୂମିକମ୍ପ ହୋଇଥିଲା। ଏଥିପାଇଁ ଅଧିକାଂଶ ଅଞ୍ଚଳରେ ସମ୍ପତ୍ତି ନଷ୍ଟ ହେବା ସହ ଲୋକେ ଆହତ ହୋଇଥିଲେ। ବିଦ୍ୟୁତ୍ ସେବା ବାଧାପ୍ରାପ୍ତ ହୋଇଥିଲା।

ଗତ ଜୁଲାଇ ମାସରେ ସେହି ଆବ୍ରା ରାଜ୍ୟରେ ୭.୦ ତୀବ୍ରତାର ବଡ଼ ଭୂମିକମ୍ପ ହୋଇଥିଲା।  ଏଥିରେ ଭୁସ୍ଖଳନ ସାଙ୍ଗକୁ ଘର ଭୁଶୁଡ଼ି ପଡ଼ିବା ଓ ୧୧ ଜଣଙ୍କର ମୃତ୍ୟୁ ହୋଇଥିଲା।

ତେବେ ଗତ ୧୦ ଦିନ ଭିତରେ ଫିଲିପିନ୍ସକୁ ମିଶାଇ ୪ଟି ଦେଶରେ ଭୂମିକମ୍ପ ଅନୁଭୁତ ହୋଇଛି। ଗତକାଲି ନ୍ୟୁଜିଲାଣ୍ଡରେ ଭୂମିକମ୍ପ ହୋଇଥିବା ବେଳେ ସିରିଆ-ତୁର୍କୀରେ ଭୟଙ୍କର ଭୂମିକମ୍ପ ଦୁଇ ଦେଶକୁ ଉଜାଡ଼ି ଦେଇଛି। ଫେବ୍ରୁଆରୀ ୬ ତାରିଖରେ ୭.୮ ତୀବ୍ରତାର ଏକ ବଡ଼ ଭୂମିକମ୍ପ ତୁର୍କୀ- ସିରିଆକୁ ଦୋହଲାଇ ଦେଇଥିଲା। ଏଥିରେ ୪୦ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ହଜାର ହଜାର ବାସହୀନ ହୋଇଛନ୍ତି।

 

Leave A Reply

Your email address will not be published.