ରେୱାରୀ: ବୟସ ୬୩…ସ୍କୁଲ୍ ଗଲେ, ଦଶମରେ ଲେଖାଇଲେ ନାମ । ୭୯.୬ ପ୍ରତିଶତ ନମ୍ବର ରଖି ମାଟ୍ରିକ୍ ପରୀକ୍ଷାରେ ହେଲେ ଉତ୍ତୀର୍ଣ୍ଣ । ସ୍ୱପ୍ନର ପଥରେ କେବେ ବାଧା ହୋଇପାରିନି ବୟସ ।
କୁହାଯାଏ ପାଠପଢ଼ିବା ପାଇଁ କୌଣସି ବୟସ ନଥାଏ । ଦୃଢ଼ ଇଚ୍ଛାଶକ୍ତି ଓ ପରିଶ୍ରମ ଥିଲେ ଯେକୌଣସି ବୟସରେ ସଫଳତା ହାସଲ କରାଯାଇପାରେ। ଏହି କଥାକୁ ସତ ପ୍ରମାଣିତ କରିଛନ୍ତି ହରିୟାଣାର ରେୱାରୀ ଜିଲ୍ଲା ଭଦଙ୍ଗୀ ଗାଁର ୬୩ ବର୍ଷୀୟା ସୁଶୀଳା ଦେବୀ। ପ୍ରାୟ ୫୮ ବର୍ଷ ପରେ ପୁଣି ପାଠପଢ଼ା ଆରମ୍ଭ କରି ସେ ଦଶମ ପାସ୍ କରିଛନ୍ତି । ୭୯.୬ ପ୍ରତିଶତ ନମ୍ବର ରଖି ମାଟ୍ରିକ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଫାଷ୍ଟ କ୍ଲାସ୍ ପାଇଛନ୍ତି।
ସୁଶୀଳାଙ୍କ ପାଇଁ ଏହି ସଫଳତା କେବଳ ଗୋଟିଏ ସାର୍ଟିଫିକେଟ୍ ନୁହେଁ, ବରଂ ତାଙ୍କ ଜୀବନର ଦୀର୍ଘ ଦିନର ସ୍ୱପ୍ନ ପୂରଣର ପ୍ରଥମ ପଦକ୍ଷେପ। ତାଙ୍କ ଲକ୍ଷ୍ୟ ହେଉଛି ନିଜ ଗାଁର ସରପଞ୍ଚ ହେବା। ପଞ୍ଚାୟତ ନିର୍ବାଚନ ଲଢ଼ିବା ପାଇଁ ଶିକ୍ଷାଗତ ଯୋଗ୍ୟତା ଆବଶ୍ୟକ ଥିବାରୁ ସେ ପୁଣିଥରେ ପୁସ୍ତକ ଧରିଥିଲେ। ପରିବାରର ଆର୍ଥିକ ଓ ସାମାଜିକ ପରିସ୍ଥିତି ଯୋଗୁଁ ସୁଶୀଲା ଦେବୀଙ୍କୁ ପଞ୍ଚମ ଶ୍ରେଣୀ ପରେ ପାଠପଢ଼ା ଛାଡ଼ିବାକୁ ପଡ଼ିଥିଲା। ଆଉ ପରେ ବିବାହ, ସଂସାର ଓ ପରିବାରର ଦାୟିତ୍ୱ ଭିତରେ ତାଙ୍କ ଶିକ୍ଷା ଅଧାରେ ରହିଯାଇଥିଲା। ତଥାପି ସେ କେବେ ଜ୍ଞାନ ପ୍ରତି ଆଗ୍ରହ ହରାଇନଥିଲେ। ପ୍ରତିଦିନ ଖବରକାଗଜ ପଢ଼ି ନିଜକୁ ସଚେତନ ରଖୁଥିଲେ।
ଆଉ ଆଜି ଦୀର୍ଘ ୫୪ ବର୍ଷ ପରେ ନିଜ ସ୍ୱପ୍ନକୁ ସାକାର କରିବା ପାଇଁ ସୁଶୀଳା ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଓପନ୍ ସ୍କୁଲିଂ (NIOS) ମାଧ୍ୟମରେ ଦଶମ ଶ୍ରେଣୀ ପରୀକ୍ଷାରେ ନାମ ଲେଖାଇଥିଲେ। ୬୩ ବୟସରେ ଘରକାମ ସମ୍ଭାଳିବା ସହ ପାଠପଢ଼ା ଜାରି ରଖି ଶେଷରେ ୭୯.୬ ପ୍ରତିଶତ ନମ୍ବର ସହ ପ୍ରଥମ ଶ୍ରେଣୀରେ ସଫଳତା ପାଇଛନ୍ତି।
ଏହି ସଫଳତା ନେଇ ସୁଶୀଳା ଦେବୀ କହିଛନ୍ତି, ତାଙ୍କର ଲକ୍ଷ୍ୟ କେବଳ ମାଟ୍ରିକ୍ ପାସ୍ କରିବା ନୁହେଁ। ସେ ଗାଁର ସରପଞ୍ଚ ହୋଇ ଲୋକଙ୍କ ସେବା କରିବାକୁ ଚାହୁଁଛନ୍ତି। ଶିକ୍ଷା ହିଁ ସମାଜରେ ପରିବର୍ତ୍ତନ ଆଣିପାରିବ ବୋଲି ସେ ବିଶ୍ୱାସ କରନ୍ତି।
୬୩ ବର୍ଷ ବୟସରେ ମାଟ୍ରିକ୍ ପାସ୍ କରି ସୁଶୀଳା ଦେବୀ ପ୍ରମାଣ କରିଦେଇଛନ୍ତି ଯେ “ପାଠପଢ଼ା ପାଇଁ ବୟସ ନୁହେଁ, ଇଚ୍ଛାଶକ୍ତି ଦରକାର।” ତାଙ୍କ ସଫଳତା କେବଳ ହରିୟାଣା ପାଇଁ ନୁହେଁ, ସମଗ୍ର ଦେଶର ସେହି ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ପ୍ରେରଣା, ଯେଉଁମାନେ କୌଣସି କାରଣରୁ ପଢ଼ା ଅଧାରେ ଛାଡ଼ିଦେଇଛନ୍ତି । ସୁଶୀଳାଙ୍କ କାହାଣୀ କହୁଛି, ସ୍ୱପ୍ନ ଦେଖିବାକୁ କେବେ ବିଳମ୍ବ ହୁଏନି, ଆଉ ସେହି ସ୍ୱପ୍ନକୁ ସାକାର କରିବାକୁ ବୟସ କେବେ ବାଧା ସାଜେନି ।