ଭୁବନେଶ୍ୱର: ବୟସ ୬୭ ଛୁଇଁଲାଣି। ଚାକିରିରୁ ଅବସର ବି ନେଇସାରିଛନ୍ତି। ହେଲେ ଏ ବୟସରେ ସେ ଯାହା କରୁଥିଲେ, ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ। ନିଜ ଘରକୁ ଦେହବ୍ୟବସାୟର ଆଡ୍ଡା ବନାଇଥିଲେ। ଆଉ ଶେଷରେ ଅନୁଗୋଳ ପୋଲିସ ହାତରେ ଧରାପଡ଼ିଛନ୍ତି ଏହି ବୃଦ୍ଧ।
ସୂଚନା ଅନୁଯାୟୀ, ଗିରଫ ବ୍ୟକ୍ତି ଜଣକ ହେଉଛନ୍ତି ପ୍ରଦୀପ କୁମାର ରାଉତରାୟ, ଯିଏକି ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ। ଅବସର ପରେ ସେ ନିଜ ଘରେ ରହୁଥିଲେ। କିନ୍ତୁ ବାହାରୁ ଭଦ୍ର ଲାଗୁଥିବା ଏହି ବ୍ୟକ୍ତିଙ୍କ ଘର ଭିତରେ ଚାଲିଥିଲା ସଙ୍ଗୀନ ବେଆଇନ କାରବାର। ବାହାର ରାଜ୍ୟରୁ ଯୁବତୀମାନଙ୍କୁ ଆଣି ସେ ନିଜ ଘରେ ରଖୁଥିଲେ ଏବଂ ଗ୍ରାହକଙ୍କୁ ଡାକି ଦେହବ୍ୟବସାୟ କରାଉଥିଲେ।
ଦୀର୍ଘ ଦିନ ଧରି ଏହି ରାକେଟ୍ ଚାଲିଥିଲେ ମଧ୍ୟ କେହି ସନ୍ଦେହ କରିନଥିଲେ। କାରଣ ବୃଦ୍ଧ ଜଣକ ବାହାରୁ ଖୁବ୍ ସାଧାରଣ ଜୀବନଯାପନ କରୁଥିଲେ। ହେଲେ ପାଖ ପଡ଼ୋଶୀଙ୍କୁ ଘର ଭିତରକୁ ଅଜଣା ଲୋକଙ୍କ ଯିବାଆସିବା ଉପରେ ସନ୍ଦେହ ହୋଇଥିଲା। ଶେଷରେ କୌଣସି ସୂତ୍ରରୁ ଖବର ପାଇ ପୋଲିସ ଅଚାନକ ତାଙ୍କ ଘରେ ଚଢ଼ାଉ କରିଥିଲା।
ରେଡ୍ ବେଳେ ପୋଲିସ ସେହି ଘରୁ ଆପତ୍ତିଜନକ ଅବସ୍ଥାରେ କିଛି ଯୁବତୀ ଏବଂ ଗ୍ରାହକଙ୍କୁ ଠାବ କରିଥିଲା। ଘଟଣାସ୍ଥଳରୁ ଅନେକ ଆପତ୍ତିଜନକ ସାମଗ୍ରୀ, ମୋବାଇଲ୍ ଫୋନ୍ ଏବଂ ନଗଦ ଟଙ୍କା ଜବତ କରାଯାଇଛି। ଉଦ୍ଧାର ହୋଇଥିବା ଯୁବତୀମାନଙ୍କୁ ପୋଲିସ ସୁଧାର ଗୃହକୁ ପଠାଇ ଦେଇଛି।
ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଜଣେ ବୟସ୍କ ଏବଂ ଶିକ୍ଷିତ ବ୍ୟକ୍ତି ଏଭଳି ଘୃଣ୍ୟ କାମରେ ଲିପ୍ତ ଥିବା ଜାଣି ଲୋକେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ପୋଲିସ ଏବେ ବୃଦ୍ଧଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଏବଂ ଏହି ର୍ୟାକେଟ୍ ପଛରେ ଆଉ କାହାର ହାତ ଅଛି କି ନାହିଁ, ସେ ନେଇ ଅଧିକ ଖୋଳତାଡ଼ ଜାରି ରଖିଛି।