ଚେନ୍ନାଇ: ତାମିଲନାଡୁରେ ନିର୍ବାଚନ ସରିଛି, ହେଲେ ରାଜନୈତିକ ଡ୍ରାମା ଏବେ ବି ଜାରି ରହିଛି। ଅଭିନେତାରୁ ନେତା ସାଜିଥିବା ଥାଲାପତି ବିଜୟଙ୍କ ମୁଖ୍ୟମନ୍ତ୍ରୀ ହେବା ବାଟରେ ବଡ଼ କଣ୍ଟା ସାଜିଛି ‘ମ୍ୟାଜିକ୍ ନମ୍ବର’। ବିଜୟଙ୍କ ଦଳ ଟିଭିକେ ସବୁଠାରୁ ବଡ଼ ଦଳ ଭାବେ ଉଭା ହୋଇଛି ସତ, କିନ୍ତୁ ସରକାର ଗଢ଼ିବାକୁ ତାଙ୍କ ପାଖରେ ସଂଖ୍ୟାଗରିଷ୍ଠତା ନାହିଁ।
ତାମିଲନାଡୁ ବିଧାନସଭାରେ ମୋଟ୍ ୨୩୪ଟି ଆସନ ରହିଛି। ମୁଖ୍ୟମନ୍ତ୍ରୀ ଚୌକିରେ ବସିବାକୁ ହେଲେ ୧୧୮ ଜଣ ବିଧାୟକଙ୍କ ସମର୍ଥନ ଦରକାର। ନିର୍ବାଚନରେ ବିଜୟଙ୍କ ଦଳକୁ ୧୦୮ଟି ଆସନ ମିଳିଛି। ମେଣ୍ଟରେ ଥିବା କଂଗ୍ରେସ ୫ଟି ଆସନ ଜିତିଛି। ଯଦି ଏ ଦୁଇଟିକୁ ମିଶାଇ ଦିଆଯାଏ, ତେବେ ମୋଟ୍ ସଂଖ୍ୟା ୧୧୩ରେ ପହଞ୍ଚୁଛି। ଅର୍ଥାତ୍ ବହୁମତ ପ୍ରମାଣ କରିବା ପାଇଁ ବିଜୟ ଏବେ ବି ୫ଟି ଆସନ ପଛରେ ।
ଏହି ସଂଖ୍ୟା ଖେଳ ଭିତରେ ରାଜ୍ୟପାଳ ଏକ କଡ଼ା ପଦକ୍ଷେପ ନେଇଛନ୍ତି। ସେ ଟିଭିକେ ସୁପ୍ରିମୋ ବିଜୟଙ୍କ ଶପଥ ଗ୍ରହଣ ଉପରେ ସାମୟିକ ଭାବେ ରୋକ୍ ଲଗାଇ ଦେଇଛନ୍ତି। ରାଜ୍ୟପାଳ ସ୍ପଷ୍ଟ ଭାବେ କହିଛନ୍ତି ଯେ, ବିନା ବହୁମତରେ ଶପଥ ଗ୍ରହଣ ହୋଇପାରିବ ନାହିଁ। ପ୍ରଥମେ ୧୧୮ ବିଧାୟକଙ୍କ ଦସ୍ତଖତ ଥିବା ସମର୍ଥନ ପତ୍ର ଦାଖଲ କର, ତା’ପରେ ଶପଥ ନେବ। ଏହି ପ୍ରମାଣ ଦେବା ପାଇଁ ରାଜ୍ୟପାଳ ବିଜୟଙ୍କୁ ଶୁକ୍ରବାର ପର୍ଯ୍ୟନ୍ତ ଡେଡଲାଇନ୍ ଦେଇଛନ୍ତି।
ବିଜୟ ଏବେ ଏହି ୫ ବିଧାୟକଙ୍କୁ ଆଣିବେ କେଉଁଠୁ? ସମସ୍ତଙ୍କ ନଜର ଏବେ ୪୭ଟି ଆସନ ଜିତିଥିବା ଏଆଇଏଡିଏମକେ (AIADMK) ଉପରେ। ଡିଏମକେକୁ କ୍ଷମତାରୁ ଦୂରେଇ ରଖିବା ପାଇଁ ଏଆଇଏଡିଏମକେ ବିଜୟଙ୍କୁ ସମର୍ଥନ ଦେବ କି ନାହିଁ, ସେ ନେଇ ଦଳ ଭିତରେ ମାନସ ମନ୍ଥନ ଚାଲିଛି।
ହାତରେ ସମୟ କମ୍। ଶୁକ୍ରବାର ସୁଦ୍ଧା ଯଦି ବିଜୟ ଏହି ୫ଟି ଆସନର ବ୍ୟବସ୍ଥା ନକରନ୍ତି, ତେବେ ତାମିଲନାଡୁ ରାଜନୀତି ଏକ ନୂଆ ମୋଡ଼ ନେବା ଥୟ। ସୁପରଷ୍ଟାରରୁ କିଙ୍ଗମେକର ଏବଂ ଏବେ ମୁଖ୍ୟମନ୍ତ୍ରୀ ଦୌଡ଼ରେ ଥିବା ବିଜୟଙ୍କ ପରବର୍ତ୍ତୀ ଗୋଟି ଚାଳନା ଉପରେ ସମଗ୍ର ଦେଶର ଏବେ ନଜର ଅଟକିଛି।