Latest Odisha News

[ଦେଖନ୍ତୁ ଭିଡିଓ] 6G ଆସିଲେ କେମିତି ବଦଳି ଯିବ ଦୁନିଆ ?

ନୂଆଦିଲ୍ଲୀ: ବେକାର ହୋଇଯିବ ସ୍ମାର୍ଟଫୋନ୍ ! ମଣିଷ ଦେହରେ ଲାଗିବ ଚିପ୍ । 6G ଆସିଲେ ବଦଳି ଯିବ ଦୁନିଆ । ଇତିହାସ ପାଲଟିବାକୁ ଯାଉଛି ଆପଣଙ୍କ ହାତରେ ଥିବା ଦାମୀ ହ୍ୟାଣ୍ଡସେଟ୍ । ୨ ଦଶକ ପୂର୍ବରୁ ସ୍ମାର୍ଟଫୋନ୍ ଭଳି କୌଣସି ଯନ୍ତ୍ରକୁ ଧରି ବୁଲିବା ଯାହା କଳ୍ପନା ମାତ୍ର ଥିଲା । ଆଉ ସ୍ମାର୍ଟଫୋନର ଦ୍ରୁତ ବିକାଶ ଏବେ ତାର ଅସ୍ତିତ୍ୱ ଉପରେ ସୃଷ୍ଟି କରିଛି ପ୍ରଶ୍ନବାଚୀ ।

ଦେଶରେ ଚଳିତ ବର୍ଷ ଶେଷ ସୁଦ୍ଧା 5G ସେବା ଆରମ୍ଭ ହେବାକୁ ଯାଉଛି । ଆଉ 5G ଆରମ୍ଭ ପୂର୍ବରୁ 6Gକୁ ନେଇ ବଢ଼ିଲାଣି ଚର୍ଚ୍ଚା । କଣ ରହିବ 6Gର ବୈଶିଷ୍ଟ୍ୟ ? 6G ଆସିଲେ କେମିତି ବଦଳିଯିବ ଦୁନିଆ ? କଣ ବିପ୍ଲବ ଆଣିବ 6G ? ଏମିତି ଅନେକ କଥା ଶୁଣିବାକୁ ମିଳୁଥିବା ବେଳେ ନୋକିଆ ସିଇଓ ପେକ୍କା ଲଣ୍ଡମାର୍କ କରିଛନ୍ତି ବଡ଼ ଭବିଷ୍ୟବାଣୀ । ଲଣ୍ଡମାର୍କଙ୍କ ଅନୁସାରେ, ୨୦୩୦ ସୁଦ୍ଧା ବଜାରକୁ ଆସିଯିବ 6G ।

ତେବେ ୨୦୩୦ ସୁଦ୍ଧା କେବଳ 6G ଆସିବନି ବରଂ ଆଜିକା ଦିନରେ ଚାହିଦାରେ ଥିବା ସ୍ମାର୍ଟଫୋନ୍ ଅସ୍ତିତ୍ୱ ହରାଇବ । ପେକ୍କା ଲଣ୍ଡମାର୍କଙ୍କ ଆକଳନ ଅନୁସାରେ, ୨୦୩୦ ବେଳକୁ ସ୍ମାର୍ଟଫୋନ୍ ଆଉ ଉପଯୋଗୀ ହୋଇ ରହିବ ନାହିଁ । ଯଦିଓ ସ୍ମାର୍ଟଫୋନ୍ ସମ୍ପୂର୍ଣ୍ଣ ଭାବେ ଲୋପ ପାଇବ ନାହିଁ ତଥାପି ବ୍ୟବହାରର ମାଧ୍ୟମ ବଦଳି ଯିବ । ଏପରିକି ଲୋକ ଚଷମା କିମ୍ବା ସ୍ମାର୍ଟୱାଚରେ ସ୍ମାର୍ଟଫୋନରେ ମିଳୁଥିବା ସବୁ ସେବା ପାଇପାରିବେ । ଦାବୋସରେ ଅନୁଷ୍ଠିତ ୱାର୍ଲ୍ଡ ଇକୋନୋମିକ ଫୋରମ୍ ସମ୍ମିଳନୀରେ ଏଭଳି କହିଛନ୍ତି ନୋକିଆ ସିଇଓ ।

ସେ ଆହୁରି କହିଛନ୍ତି, ଖାଲି ସ୍ମାର୍ଟଫୋନ୍ ବ୍ୟବହାର କମିବନି । ବରଂ ଏଥିରୁ ଅଧିକାଂଶ ଜିନିଷ ସିଧା ଆମ ଶରୀରରେ ଲାଗିବ । ତେବେ କେଉଁ ଟେକ୍ନୋଲୋଜି ଦ୍ୱାରା ଏସବୁ ସମ୍ଭବ ହେବ ସେନେଇ କିଛି କହିନାହାନ୍ତି ପେକ୍କା ଲଣ୍ଡମାର୍କ । 6Gକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିବା ବେଳେ ଏକାଧିକ କମ୍ପାନୀ ସାଇବର୍ଗ ଓ ବ୍ରେନ୍ କମ୍ପ୍ୟୁଟର ଉପରେ କାମ କରୁଛନ୍ତି ।

ସାଇବର୍ଗ ହେଉଛି ଏଭଳି ଏକ ଟେକ୍ନୋଲୋଜି ଯେଉଁଥିରେ ଚିପ୍ସକୁ ମଣିଷ ଶରୀରରେ ଖଞ୍ଜା ଯାଇ ପାରିବ । ଏବେ ଯାଏ ହଲିଉଡ୍ ଫିଲ୍ମରେ ଏହା ଦେଖିବାକୁ ମିଳୁଛି । ସାଇବର୍ଗ ଟେକ୍ନୋଲୋଜିକୁ ନେଇ ଗବେଷଣା ଜାରି ରହିଥିବା ବେଳେ ଯଦି ସବୁକିଛି ଠିକ୍ ରୁହେ ତ 6G ସିମ୍ ସିଧା ମଣିଷ ଶରୀରରେ ଲାଗିବ ।

ଏହାଛଡ଼ା ଏଲନ୍ ମସ୍କଙ୍କ କମ୍ପାନୀ ନ୍ୟୁରାଲିଙ୍କ ଗତବର୍ଷ ଏକ ଟିଜର୍ ଛାଡ଼ିଥିଲା । ଡେମୋ ଭିଡିଓରେ ଏକ ଆଫ୍ରିକୀୟ ମାଙ୍କଡ଼ ମସ୍ତିଷ୍କରେ ଚିପ୍ ଲଗା ଯାଇଥିଲା । ଯାହାକୁ ନେଇ ଚର୍ଚ୍ଚା ଥମିନଥିବା ବେଳେ ଏବେ ନୋକିଆ ସିଇଓଙ୍କ ଏଭଳି ମନ୍ତବ୍ୟ ଲୋକଙ୍କ ମନରେ 6G ଦୁନିଆକୁ ନେଇ କୌତୁହଳ ସୃଷ୍ଟି କରିଛି ।

ତେବେ 6Gକୁ ନେଇ ଏବେ ସୁଦ୍ଧା ସବୁକିଛି ସ୍ପଷ୍ଟ ଜଣାପଡ଼ିନାହିଁ । 6G ଆସିଲେ ସ୍ପିଡ୍ କେତେ ରହିବ ସେ ନେଇ ବି ତଥ୍ୟ ନାହିଁ । କିନ୍ତୁ ରିପୋର୍ଟ ଅନୁସାରେ, 5G ତୁଳନାରେ 6G ସ୍ପିଡ୍ ୧୦୦ ଗୁଣ ଅଧିକ ରହିବ । ଦେଶରେ ଏବେ 5G ସେବା ଆରମ୍ଭ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ 6G ପାଇଁ କେନ୍ଦ୍ର ସରକାର ଗଠନ କରିଛନ୍ତି ଟାସ୍କ ଫୋର୍ସ ।

Leave A Reply

Your email address will not be published.