Latest Odisha News

ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ମିତାଲି ରାଜ

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟକ ମିତାଲି ରାଜ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ଏଥିସହ ମିତାଲିଙ୍କ ୨୩ ବର୍ଷର ଅନ୍ତର୍ଜାତୀୟ କ୍ରିକେଟ୍ ଜୀବନୀରେ ପଡ଼ିଛି ପୂର୍ଣ୍ଣଛେଦ । ୩୯ ବର୍ଷିଅ ମିତାଲି ବୁଧବାର ଟ୍ୱିଟ୍ କରି ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା ସହ ଜୀବନର ଦ୍ୱିତୀୟ ଇନିଂସ ଲାଗି ଆଶୀର୍ବାଦ ଓ ସମର୍ଥନ କାମନା କରିଛନ୍ତି ।

ସେ ଟ୍ୱିଟ୍ କରି ଲେଖିଛନ୍ତି, ବ୍ଲୁ ଜର୍ସି ପିନ୍ଧି ଦେଶର ପ୍ରତିନିଧିତ୍ୱ କଲା ବେଳେ ମୁଁ ଛୋଟ ଛୁଆ ଥିଲି । ଆଉ ଟିମ୍ ଇଣ୍ଡିଆ ସହ ଦୀର୍ଘପଥର ଯାତ୍ରୀ ଥିଲି । ଏହି ସମୟରେ ବହୁତ କିଛି ଘଟଣା ଘଟିଛି । ବିଗତ ୨୩ ବର୍ଷ ଜୀବନର ସବୁଠୁ ଭଲ ସମୟ ମଧ୍ୟରୁ ସର୍ବୋତ୍ତମ ଥିଲା । ସବୁ ଯାତ୍ରା ଭଳି ଏ ଯାତ୍ରାର ସମାପ୍ତ ଘଟିଛି । ଆଜି ମୁଁ ଅନ୍ତର୍ଜାତୀୟ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଉଛି ।

ମିତାଲି ରାଜ ୨୩୨ ଦିନିକିଆ ମ୍ୟାଚ୍ ଖେଳି ୭୮୦୫ ରନ୍ କରିଛନ୍ତି । ଦିନିକିଆ କ୍ରିକେଟରେ ସର୍ବାଧିକ ସ୍କୋର୍ କରିଥିବା ମହିଳା କ୍ରିକେଟର ହେଉଛନ୍ତି ମିତାଲି । ସେ ୭ଟି ଶତକ ସହ ୬୪ଟି ଅର୍ଦ୍ଧଶତକର ଅଧିକାରୀ । ୨୩ ବର୍ଷର କ୍ରିକେଟ ଜୀବନରେ ମିତାଲି ମାତ୍ର ୧୨ଟି ଟେଷ୍ଟ ମ୍ୟାଚ୍ ଖେଳି ୬୯୯ ରନ୍ ସ୍କୋର କରିଛନ୍ତି । ଯେଉଁଥିରେ ୨୧୪ ରନର ଦ୍ୱି-ଶତକ ରହିଛି ।

ସେହିଭଳି ଅନ୍ତର୍ଜାତୀଯ ଟି-ଟ୍ୱେଣ୍ଟିରେ ମିତାଲି ରାଜ ୮୯ଟି ମ୍ୟାଚ୍ ଖେଳି ୨୩୬୪ ରନ୍ ସ୍କୋର କରିଛନ୍ତି । ଯେଉଁଥିରେ ୧୭ଟି ଅର୍ଦ୍ଧଶତକ ସାମିଲ୍ । ମିତାଲି ୧୫୫ଟି ଦିନିକିଆ ଦଳର ପ୍ରତିନିଧିତ୍ୱ କରିଥିବା ବେଳେ ୮୯ଟି ମ୍ୟାଚ୍ ଜିତିଛନ୍ତି ।

Leave A Reply

Your email address will not be published.