ଦିଲ୍ଲୀ: ଭୂମିକମ୍ପରେ ଥରିଲା ଉତ୍ତର ଇଣ୍ଡୋନେସିଆ । ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭.୭ ଥିବା ଜଣାପଡିଛି । ଏହା ପରେ ଫ୍ଲୋର୍ସ ଆଇଲ୍ୟାଣ୍ଡରେ ସୁନାମି ଆଲର୍ଟ ଜାରି କରିଛି ପ୍ରଶାସନ । ମାଉମେରେ ସହରର ଉତ୍ତର ଦିଗଠାରୁ ୧୦୦ କିମି ଦୂର ହେଉଛି ଭୂକମ୍ପର କେନ୍ଦ୍ରସ୍ଥଳ। ଭୂପୃଷ୍ଠରୁ ଭୂକମ୍ପର ଗଭୀରତା ୧୮.୫ କିମି । ଫ୍ଲୋରେସ ସମୁଦ୍ରରେ ସ୍ଥାନୀୟ ସମୟ ୧୦.୨୦ରେ ଏହା ଘଟିଛି । ତେଣୁ ଫ୍ଲୋରେସ ଦ୍ୱୀପ ପାଇଁ ଅଧିକ ବିପଦ ସୃଷ୍ଟି ହୋଇଛି।
ଫ୍ୟାସିଫିକ ସୁନାମି ୱାର୍ଣ୍ଣିଂ ସେଣ୍ଟର କହିଛି, ଭୂକମ୍ପର କେନ୍ଦ୍ର ସ୍ଥଳ ଠାରୁ ଉପକୂଳରେ ଥିବା ୧୦୦୦ କିମି ଅଞ୍ଚଳ ଯାଏ ବଡ଼ବଡ଼ ଢେଉ ମାଡ଼ି ଆସିବାର ଆଶଙ୍କା ରହିଛି । ତେଣୁ କେନ୍ଦ୍ର ପକ୍ଷରୁ ଉପକୂଳବର୍ତ୍ତୀ ଅଞ୍ଚଳର ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।
ଭୂକମ୍ପ ଝଟକାରେ କ’ଣ କ୍ଷୟକ୍ଷତି ହୋଇଛି ଜଣାପଡ଼ିନି । କିନ୍ତୁ ସୁନାମି ଓ ଭୂସ୍ଖଳନ ବ୍ୟାପକ କ୍ଷୟକ୍ଷତି ଘଟାଇବାର ସମ୍ଭାବନା ରହିଛି ।
ସେହିପରି ୨୦୧୮ରେ ଲୋମବକ ଦ୍ୱୀପରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ଏଥିରେ ୫୫୦ ଜଣଙ୍କ ଜୀବନ ଯାଇଥିଲା । ଗତବର୍ଷ ପଲରେ ୭.୫ ତୀବ୍ରତାର ଭୂକମ୍ପ ପରେ ସୁନାମି ଦେଖାଯାଇଥିଲା। ଏଥିରେ ୪,୩୦୦ ଜଣ ଲୋକ ମୃତ କିମ୍ବା ନିଖୋଜ ହୋଇଯାଇଥିଲେ ।
Comments are closed.