ନୂଆଦିଲ୍ଲୀ:ହିମାଚଳପ୍ରଦେଶର ଚମ୍ବା ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ତିସା ଅଞ୍ଚଳରୁ ସାଚ ପାସ୍ ଅଭିମୁଖେ ଯାଉଥିବା ଏକ ଇନୋଭା କାର କଳାବନ ନିକଟରେ ଏକ ଗଭୀର ଖାଇକୁ ଖସି ପଡ଼ିଥିଲା। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଗାଡ଼ିରେ ଥିବା ଆଠ ଜଣଙ୍କର ମୃତ୍ୟୁ ଘଟିଛି।
ସ୍ଥାନୀୟ ଲୋକଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଗାଡ଼ିରେ ଥିବା ଲୋକମାନେ ସାଚ୍ ପାସ୍ ଯାତ୍ରା ପାଇଁ ବାହାରିଥିଲେ। ଯେତେବେଳେ ଗାଡ଼ିଟି କଳାବନ ଅଞ୍ଚଳରେ ପହଞ୍ଚିଲା, ଡ୍ରାଇଭର ନିୟନ୍ତ୍ରଣ ହରାଇଲେ ଏବଂ ଗାଡ଼ିଟି ନିୟନ୍ତ୍ରଣ ହରାଇ ୫୦୦ମିଟର ଗଭୀର ଖାଇରେ ଖସି ପଡିଥିଲା ।
ଦୁର୍ଘଟଣାର ଶିକାର ହୋଇଥିବା ଲୋକମାନେ ହିମାଚଳ ପ୍ରଦେଶ ବୁଲିବାକୁ ଆସିଥିଲେ। ସେମାନେ ଡାଲହାଉସିରେ ଏକ ଇନୋଭା ଟ୍ୟାକ୍ସି ବୁକ୍ କରିଥିଲେ। ଡାଲହାଉସିରେ, ସେମାନେ ଅନ୍ୟ ଏକ ପର୍ଯ୍ୟଟକ ପରିବାରକୁ ଭେଟିଥିଲେ, ଏବଂ ଦୁଇ ପରିବାର ବରଫ ଆଚ୍ଛାଦିତ ପର୍ବତ ଦେଖିବା ପାଇଁ ଗାଡ଼ି ସେୟାର କରି ସାଚ ପାସ୍ ଅଭିମୁଖେ ଯାତ୍ରା କରିଥିଲେ।ଦୁର୍ଘଟଣା ପରେ ବହୁତ ସମୟ ପର୍ଯ୍ୟନ୍ତ କାହାକୁ ଘଟଣା ବିଷୟରେ ଜଣା ପଡିନଥିଲା। ଏହି ଅଞ୍ଚଳକୁ ହିମାଚଳ ପ୍ରଦେଶର ସବୁଠାରୁ ଦୁର୍ଗମ ଅଞ୍ଚଳ ମଧ୍ୟରୁ ଗୋଟିଏ । ଏଠାରେ ପହଞ୍ଚିବା କଷ୍ଟକର। ଏହି ଅଞ୍ଚଳରେ ଉପଯୁକ୍ତ ନେଟୱାର୍କ ଅଭାବରୁ ଯୋଗାଯୋଗ ମଧ୍ୟ କଷ୍ଟକର।
ବୈରାଗଢ ପୋଲିସ ଚେକପୋଷ୍ଟ ଅତିକ୍ରମ କରିବା ପରେ ପର୍ଯ୍ୟଟକଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବରଫାବୃତ୍ତ ରାସ୍ତା କାରଣରୁ ଚକ ଖସିଯାଇ ଦୁର୍ଘଟଣା ହୋଇଥିବା ଅନୁମାନ କରାଯାଉଛି । ଅନ୍ୟପଟେ ବିଳମ୍ବିତ ରାତି କାରଣରୁ ଡ୍ରାଇଭରଙ୍କ ଆଖି ଲାଗି ଯିବାରୁ ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି ।