Latest Odisha News

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ ଓ କାର୍ ଧକ୍କା, ୭ ମୃତ

ଭୋପାଳ: ମଧ୍ୟପ୍ରଦେଶ ସିଧି ଜିଲ୍ଲାରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରବିବାର ବିଳମ୍ବିତ ରାତିରେ ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଏକ ଗାଡ଼ି ସହିତ ଟ୍ରକ୍ ମୁହାଁମୁହିଁ ଧକ୍କା ହେବାରୁ ୭ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୪ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୯ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ଗୁରୁତରଙ୍କୁ ସଞ୍ଜୟ ଗାନ୍ଧି, ରିୱା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସାମାନ୍ୟ ଆହତଙ୍କୁ ଜିଲ୍ଲା ହସ୍ପିଟାଲରେ ଚିକିତ୍ସା କରାଯାଇଛି। ତେବେ ଦୁର୍ଘଟଣା ସିଧି ବହରି ରାସ୍ତାରେ ଉପନୀ ପେଟ୍ରୋଲ ପମ୍ପ ନିକଟରେ ରାତି ୨.୩୦ରେ ଘଟିଛି। ଦୁର୍ଘଟଣା ବିଷୟରେ ଖବର ପାଇ ପୋଲିସ ଏବଂ ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ଗୁରୁତରଙ୍କୁ ସେଠାରୁ ରେସକ୍ୟୁ କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ, ମଧ୍ୟପ୍ରଦେଶର ସିଧି ଜିଲ୍ଲାରୁ କିଛି ଶ୍ରଦ୍ଧାଳୁ କାର୍‌ରେ ମେହର ମନ୍ଦିରକୁ ମୁଣ୍ଡନ ପାଇଁ ଯାଇଥିଲେ। ଏହି ସମୟରେ କାର୍‌କୁ ଏକ ଟ୍ରକ୍ ଧକ୍କା ଦେଇଥିଲା। ଏଥିରେ ୭ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୪ଜଣ ଆହତ ହୋଇଛନ୍ତି। ତେବେ କେଉଁ କାରଣରୁ ଏକେ ବଡ଼ ଦୁର୍ଘଟଣା ହେଲେ ସ୍ଥାନୀୟ ପୋଲିସ ଯାଞ୍ଚ ଚଳାଇଛି। ଟ୍ରକ ଚାଳକକୁ ଗିରଫ କରି ପୋଲିସ ତଦନ୍ତ ଆରମ୍ଭ କରିଛନ୍ତି। ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଦୁଃଖ ପ୍ରକାଶ କରିବା ସହିତ ସମବେଦନା ଜଣାଇଛନ୍ତି । ଆହତମାନଙ୍କୁ ସମସ୍ତ ପ୍ରକାରର ଚିକିତ୍ସା ସୁବିଧା ଦିଆଯିବ ବୋଲି କହିଛନ୍ତି । ଏହାସହିତ ମ୍‌ତକଙ୍କ ପରିଜନକୁ ୨-୨ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ରାଶି, ଗୁରୁତରଙ୍କୁ ୧-୧ ଲକ୍ଷ ଟଙ୍କା ଏବଂ ସାମାନ୍ୟଙ୍କୁ ୫୦-୫୦ ଟଙ୍କା ରାଶି ଦେବାକୁ ଘୋଷଣା କରିଛନ୍ତି।

Comments are closed.