Latest Odisha News

BREAKING NEWS

ଓଡ଼ିଶାର ହୃଦୟ ଜିଣିଲେ ୮୫ ବର୍ଷୀୟା ସଖୁବାଇ…

ପୁରୀ: ପୁରୀ ବେଳାଭୂମିରେ ସର୍ବବୃହତ ସ୍ୱଚ୍ଛତା କାର୍ଯ୍ୟକ୍ରମରେ ନିଜକୁ ସାମିଲ୍ କରି ମହାରାଷ୍ଟ୍ରର ଜଣେ ୮୫ ବର୍ଷୀୟା ବୃଦ୍ଧା ଓଡ଼ିଶା ଜନସାଧାରଣଙ୍କ ମନ ଜିଣିନେଇଛନ୍ତି ।

ମହାରାଷ୍ଟ୍ରର ୮୫ ବର୍ଷୀୟା ସ୍ୱେଚ୍ଛାସେବୀ ହେଲେ ସଖୁବାଇ ଦେଶମୁଖ । ସେ ଜୁଲାଇ ୨୬ ଏବଂ ୨୭ ତାରିଖରେ ପୁରୀ ଶ୍ରୀମନ୍ଦିର ଓ ବେଳାଭୂମିଠାରେ ମହାରାଷ୍ଟ୍ରର ପ୍ରାୟ ୧,୦୦୦ ସ୍ୱେଚ୍ଛାସେବୀଙ୍କ ସହିତ ସ୍ୱଚ୍ଛତା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ସଖୁବାଇ ହେଉଛନ୍ତି ଶ୍ରୀ ସନ୍ଥ ଜନାର୍ଦ୍ଦନ ସ୍ୱାମୀ ସଂସ୍ଥାର ଜଣେ ଅନୁଗାମୀ ତଥା ସ୍ୱେଚ୍ଛାସେବୀ । ଏପରିକି ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମଧ୍ୟ ଝୁଡ଼ି ଓ ଝାଡୁ ଧରି ସଫାସୁତରା କାର୍ଯ୍ୟ କରିଥିଲେ ।

ପୁରୀ ବେଳାଭୂମି ପ୍ରଳୟଙ୍କରୀ ବାତ୍ୟା ପରେ ଅତ୍ୟନ୍ତ ଅସ୍ୱଚ୍ଛ ଅବସ୍ଥାରେ ରହିଥିଲା । ସଖୁବାଇ ଏବଂ ମହାରାଷ୍ଟ୍ରର ଏହି ସ୍ୱେଚ୍ଛାସେବୀଙ୍କ ଅକ୍ଳାନ୍ତ ପରିଶ୍ରମ ଯୋଗୁଁ ବେଳାଭୂମି, ବଡ଼ଦାଣ୍ଡ ଏବଂ ପୁରୀ ମୁଖ୍ୟ ଚିକିତ୍ସାଳୟ ସଫା ସୁତରା ହୋଇଥିଲା । ସଖୁବାଇଙ୍କ ଏହି ପ୍ରଶଂସନୀୟ କାର୍ଯ୍ୟକୁ ପୁରୀ ଜିଲ୍ଲାପାଳ ଉଚ୍ଚ ପ୍ରଶଂସା କରିବା ସହିତ ତାଙ୍କୁ ମାନପତ୍ର ପ୍ରଦାନ କରିଛନ୍ତି ।

୮୫ ବର୍ଷୀୟା ସଖୁବାଇ ଦେଶମୁଖଙ୍କ ଏହି ପ୍ରଶଂସନୀୟ କାର୍ଯ୍ୟକୁ ବିଭିନ୍ନ ସୋସିଆଲ୍ ମିଡ଼ିଆରେ ଓଡ଼ିଶାର ଜନସାଧାରଣ ଉଚ୍ଚ ପ୍ରଶଂସା କରିଛନ୍ତି ।

ଏନେଇ ସଖୁବାଇ କହିଛନ୍ତି, “ଏହିପରି କିଛି ସମାଜସେବା ମାଧ୍ୟମରେ ଆମେ ଭଗବାନଙ୍କୁ ଉପଲବ୍ଧି କରିପାରିଥାଉ । ଆମକୁ ଆନନ୍ଦ ଦେଇଥାଏ । ଆମେ ଯାହା ଆମ କାମ କରିଛୁ ମାତ୍ର, ସେହିପରି ଅନ୍ୟମାନେ ମଧ୍ୟ ଆଗେଇ ଆସିବା ଆବଶ୍ୟକ । ପରିବେଶକୁ ଅସ୍ୱଚ୍ଛ ନକରି ସଫାସୁତାରା ରଖିବା ଆବଶ୍ୟକ ।”

Leave A Reply

Your email address will not be published.