Latest Odisha News

କଂସଙ୍କ ରାଜୁତିରେ ଥରହର ମଥୁରା ନଗରୀ

ବରଗଡ: ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରାର ଆଜି ହେଉଛି ୮ମ ଦିନ । ଏହି ଅବସରରେ କୃଷ୍ଣ-ବଳରାମଙ୍କୁ ନିମନ୍ତ୍ରଣ ଓ ହତ୍ୟା କରିବା ପାଇଁ ଷଡଯନ୍ତ୍ରରେ ମାତିଛନ୍ତି ମହାରାଜା କଂସ ।

କୃଷ୍ଣଙ୍କୁ ବଦ୍ଧ କରିବା ପାଇଁ ମହାରାଜା କଂସଙ୍କୁ ସମସ୍ତ ଅତିଥି ରାଜାମାନେ ସହାୟତା କରିବାକୁ ପ୍ରତିଶୃତି ଦେବାପରେ ଧନୁଯାତ୍ରା ଆୟୋଜିତ କରିବା ଲାଗି ସମସ୍ତେ ଏକପ୍ରକାର ପ୍ରସ୍ତୁତ । ଦୁଇ ଭାଇଙ୍କୁ ଉତ୍ସବରେ ନିମନ୍ତ୍ରଣ କରିବା ପାଇଁ କଂସ ଅକ୍ରୁରଙ୍କୁ ନିର୍ଦ୍ଦେଶ ମିଳିବା ପରେ ସେ ଚିନ୍ତାମଗ୍ନ ଅଛନ୍ତି ।

ମିଳିଥିବା ସୂଚନାନୁଯାୟୀ ଏହି ଅବସରରେ ବରଗଡ ସହର ସଜ୍ଜେଇ ହୋଇ ମଥୁରା ନଗରୀର ରୂପ ନେଇଛି । ଅମ୍ବାପାଲି ଏବେ ଗୋପପୁର ପାଲଟିବା ଆଉ ଜୀରା ନଈ ଯମୁନା ନଦୀ ଭାବେ ପରିଚିତ ପାଇବ ।

ଏହି ଧନୁଯାତ୍ରା ମାଧ୍ୟମରେ ଦ୍ୱାପର ଯୁଗରେ କୃଷ୍ଣ-ବଳରାମଙ୍କ ବାଲ୍ୟଲୀଳା ଓ କଂସର କ୍ରୁର ଶାସନ ସହ ତା’ର ବଦ୍ଧକୁ ଅତି ନିକଟରୁ ଅନୁଭବ କରିପାରିବେ ଦର୍ଶକମାନେ । ଯାହାଫଳରେ ଏହି ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାକୁ ଦେଖିବା ଲାଗି ରାଜ୍ୟ ତଥା ଦେଶବିଦେଶରୁ ଦର୍ଶକଙ୍କର ସୁଅ ଛୁଟୁଛି ବରଗଡକୁ ।

ଏହି ୧୧ ଦିନ ଯାତ୍ରା ମଧ୍ୟରେ କଂସ ମହାରାଜାଙ୍କ କ୍ରୁରତା ତଥା ଶାସନ, ଉଗ୍ରସେନଙ୍କ ଗାଦିଚ୍ୟୁତ୍ ଏବଂ ଦେବକୀ ଓ ବସୁଦେବଙ୍କ ବିବାହ ତଥା ଦେବବାଣୀ ଆଦି ଦେଖିବାକୁ ମିଳିବ ।

ଅନ୍ୟପକ୍ଷରେ ଧନୁଯାତ୍ରା ପାଇଁ ସ୍ଥାନୀୟ କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

Comments are closed.