ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଶନିବାର ଦିନ ରାଉରକେଲା ନିକଟସ୍ଥ ବ୍ରାହ୍ମଣୀତରଙ୍ଗ ଠାରେ ନିର୍ମାଣଧୀନ ୨୦୦ ବେଡ୍ ବିଶିଷ୍ଟ ବୃଦ୍ଧାଶ୍ରମର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି।
ସେହିପରି କର୍ଲାଖମନଠାରେ ତିଆରି ଚାଲିଥିବା ୧୦୦ ବେଡ୍ ବିଶିଷ୍ଟ ମାନସିକ ରୋଗୀଙ୍କ ପାଇଁ ଆଶ୍ରୟସ୍ଥଳର କାମ ମଧ୍ୟ ତଦାରଖ କରିଛନ୍ତି।
ବେଦବ୍ୟାସ ନିକଟସ୍ଥ ବ୍ରାହ୍ମଣୀତରଙ୍ଗ ଠାରେ ସାଢ଼େ ୪ ଏକର ଜମିରେ ଏହି ଅତ୍ୟାଧୁନିକ ବୃଦ୍ଧାଶ୍ରମ ନିର୍ମାଣ କରାଯାଉଛି। ସେଠାରେ ମାଗଣାରେ ବୟସ୍କ ବ୍ୟକ୍ତିଙ୍କୁ ରହିବା ଓ ଖାଇବା ସହ ଚିକିତ୍ସା ତଥା ପରାମର୍ଶ ଯୋଗାଇ ଦିଆଯିବ। ଅନ୍ତେବାସୀ ମାନଙ୍କ ସୁବିଧା ପାଇଁ ବିଭିନ୍ନ ପ୍ରକାର ଇନଡୋର୍ କ୍ରୀଡ଼ା, ଯୋଗ ଓ ପାଠାଗାର ଆଦି ବ୍ୟବସ୍ଥା କରାଯାଉଛି।
ସେହିପରି କର୍ଲାଖମନରେ ୩ ଏକର ଜାଗାରେ ମାନସିକ ରୋଗୀଙ୍କ ପାଇଁ ତିଆରି ହେଉଛି ଅତ୍ୟାଧୁନିକ ଆଶ୍ରୟସ୍ଥଳ। ସେଠାରେ ଅନ୍ତେବାସୀମାନଙ୍କୁ ମାଗଣାରେ ରହିବା ଖାଇବା ସହ ଚିକିତ୍ସା, ଯୋଗ ଓ ବିଭିନ୍ନ ଥେରାପିର ବ୍ୟବସ୍ଥା କରାଯିବ।
ଏହି ବୃଦ୍ଧାଶ୍ରମ ଏବଂ ମାନସିକ ରୋଗୀଙ୍କ ଆଶ୍ରୟସ୍ଥଳ ନିର୍ମାଣ ଲାଗି ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମ୍ଏଫ୍) ଆର୍ଥିକ ସହାୟତା ଯୋଗାଇ ଦେଉଛି। ଜାତୀୟ ସ୍ତରର ନିର୍ମାଣ ସଂସ୍ଥା ଏନବିସିସିକୁ ଏହାର ନିର୍ମାଣ କାର୍ଯ୍ୟ ପାଇଁ ନିୟୋଜିତ କରାଯାଇଛି।
ଏହି ଦୁଇଟି ଅତ୍ୟାଧୁନିକ କେନ୍ଦ୍ରର ନିର୍ମାଣ କାର୍ଯ୍ୟ ୨୦୨୧ ମେ ମାସ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।ଶନିବାର ଜିଲ୍ଲାପାଳଙ୍କ ଏହି ଗସ୍ତ ସମୟରେ ଡିଏମ୍ଏଫର ବରିଷ୍ଠ ଅଧିକାରୀ ଦିପୁ ଶଙ୍କର ସାମଲ ଏବଂ ଏନବିସିସିର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।
Comments are closed.