Latest Odisha News

ବର୍ଦ୍ଧିତ କରୋନା ରୋଗୀଙ୍କ ସ୍ୱାସ୍ଥ୍ୟ ସୁବିଧା ନିମନ୍ତେ ବଢିବ ଆଇସିୟୁ ବେଡ୍

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ତଥା ରାଉରକେଲା ଓ ଆଖପାଖ ଅଞ୍ଚଳରେ କୋଭିଡ୍-୧୯ ସଂକ୍ରମଣର ବର୍ଦ୍ଧିତ ହାରକୁ ଦୃଷ୍ଟିରେ ରଖି ରାଜ୍ୟସରକାରଙ୍କ ଅନୁମତି କ୍ରମେ ଜିଲ୍ଲା ପ୍ରଶାସନ ପକ୍ଷରୁ କେତେକ ହସ୍ପିଟାଲରେ ବେଡ୍ ସଂଖ୍ୟା ବଢାଯିବ।

ତଦନୁଯାୟୀ ଜୟପ୍ରକାଶ୍ ହସ୍ପିଟାଲ ଓ ଶାନ୍ତି ମେମୋରିଆଲ ଭଳି ୨ଟି ହସ୍ପିଟାଲରେ ଯଥାକ୍ରମେ ୬୦ଟି ଓ ୩୦ଟି ଆପାତକାଳୀନ ବେଡର(ଆଇସିୟୁ) ବ୍ୟବସ୍ଥା କରାଯାଇଛି।

ଏହା ପୂର୍ବରୁ ହାଇ-ଟେକ୍ ହସ୍ପିଟାଲରେ ୨୦୦ ବେଡ ବିଶିଷ୍ଟ କୋଭିଡ ସ୍ୱାସ୍ଥ୍ୟ ସୁବିଧା ଉପଲବ୍ଧ ରହିଛି। ଏହା ସହିତ ରାଉରକେଲା ମହାନଗର ଓ ଇସ୍ପାତ ଶିଳ୍ପ ସହରାଞ୍ଚଳରେ ଥିବା ୩୦ ବେଡରୁ ଅଧିକ ଶଯ୍ୟାବିଶିଷ୍ଟ ହସ୍ପିଟାଲ୍ଗୁଡ଼ିକରେ ୫୦% ସାଧାରଣ ଶଯ୍ୟା କୋଭିଡ୍-୧୯ ସଂକ୍ରମିତ ରୋଗୀମାନଙ୍କ ସଂରକ୍ଷିତପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

ସେହିଭଳି ଏହି ସବୁ ହସ୍ପିଟାଲର ଆପାତକାଳୀନ ଶଯ୍ୟା(ଆଇସିୟୁ)ର ୮୦% କୋଭିଡ୍-୧୯ ସଂକ୍ରମିତ ରୋଗୀମାନଙ୍କ ପାଇଁ ସଂରକ୍ଷିତ ରଖିବାପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ସ୍ୱୀକୃତିପ୍ରାପ୍ତ ସ୍ୱାସ୍ଥ୍ୟ ଅଧିକାରୀଙ୍କ ଦ୍ୱାରା ରେଫର କରାଯାଇ ଜୟପ୍ରକାଶ ହସ୍ପିଟାଲ୍ ଓ ଶାନ୍ତି ମେମୋରିଆଲ ହସ୍ପିଟାଲରେ ଭର୍ତ୍ତି ହେଉଥିବା ରୋଗୀମାନଙ୍କୁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ।

ଅନ୍ୟପକ୍ଷରେ ଯେଉଁ ରୋଗୀମାନେ ସ୍ୱୀକୃତିପ୍ରାପ୍ତ ସ୍ୱାସ୍ଥ୍ୟ ଅଧିକାରୀଙ୍କ ଦ୍ୱାରା ରେଫର ନ ହୋଇ ନିଜ ନିଜ ସ୍ତରରେ (ସରକାରୀ ସଂରକ୍ଷିତ ଶଯ୍ୟା ନିର୍ଦ୍ଦେଶନାମା ଅନୁଯାୟୀ) ଆଇସିୟୁ ଶଯ୍ୟାରେ ଭର୍ତ୍ତି ହୋଇଥିବେ ସେମାନଙ୍କୁ ସରକାରଙ୍କ ଦ୍ୱାରା ନିର୍ଧାରିତ ଦେୟ ଦେବାକୁ ପଡ଼ିବ।

ସମସ୍ତ ଘରୋଇ ହସ୍ପିଟାଲଗୁଡ଼ିକ ସରକାରଙ୍କ ହସ୍ପିଟାଲ ଶଯ୍ୟା ସଂରକ୍ଷଣ ନିୟମ ଯଥା ସାଧାରଣ ଶଯ୍ୟା-୫୦% ଓ ଆଇସିୟୁ-୮୦% ଶଯ୍ୟା ନିମନ୍ତେ ନିର୍ଧାରିତ ନିୟମାବଳୀ ପାଳନ ସହିତ ଶଯ୍ୟା ନିମନ୍ତେ ଦେୟ ଖର୍ଚ୍ଚ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ଯଦି କୌଣସି ହସ୍ପିଟାଲ ସରକାରୀ ନିର୍ଦ୍ଦେଶକୁ ଅମାନ୍ୟ କରିବେ ତେବେ ସେମାନଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୁଚନା ଦିଆଯାଇଛି।

Comments are closed.