Latest Odisha News

BREAKING NEWS

ପଥରର ପ୍ରାଣବାଣୀ

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର…

ହେ ଆତ୍ମକୈନ୍ଦ୍ରିକ ବସ୍ତୁଲୋଭୀ ମଣିଷ, ନିଜ ସଭ୍ୟତାର ଇତିହାସକୁ ଅନା । ଯେତେବେଳେ ସଭ୍ୟତାର ସମୟ ଆସି ନ ଥିଲା, ସେତେବେଳେ ତମେସବୁ ରହୁଥିଲ ଘନ ଅନ୍ଧକାର ଯୁଗରେ – ସେ ଯୁଗ ଥିଲା ପ୍ରାଗୈତିହାସିକ ଯୁଗ । ଜଙ୍ଗଲରେ ଫଳମୂଳ ଖାଇ ବଂଚୁଥିଲ । ଯେଉଁଦିନ ତମେମାନେ ଜାଣିଗଲ ନିଆଁର ରହସ୍ୟ, ସେଇଦିନ ସଭ୍ୟତା ଅନୁଭବ କଲା ଆଲୋକର ସତ୍ୟତା । ଚକ୍‌ମକ ପଥରକୁ ଘଷି ଛୋଟ ପିଲାଟିଏ ଖେଳୁଖେଳୁ ନିଆଁର ଛିଟିକା ବାହାରିଲା । ସେ ଦୃଶ୍ୟ ଦେଖିଦେଇ ବଡ଼ମଣିଷଗୁଡ଼ାକ ଖୁସିରେ କୁରୁଳି ଉଠିଥିଲେ ସେଦିନ । ସେଦିନ ସେମାନେ ଜାଣିଗଲେ ନିଆଁ ଜଳାଇବାର କୌଶଳ ।

ଏଇ ନିଆଁ ବଳରେ ସେମାନେ ଡରାଇରଖିଲେ ବଡ଼ବଡ଼ ଜଙ୍ଗଲି ଜାନୁଆର୍‌ଙ୍କୁ । କୁଟ୍ରା, ଠେକୁଆ, ହରିଣ, ସମ୍ବର, ବାର୍‌ହା ମାରି ସେମାନଙ୍କ ମାଂସଖଣ୍ଡକୁ ପୋଡ଼ି ଖାଇବାର ସ୍ୱାଦ ଶିଖିଗଲେ । ସେତେବେଳେ ସବୁଆଡ଼ ଖାଲି ଅନ୍ଧାର ନ ଥିଲା, ବରାବର ବର୍ଷା ଆଉ ଶୀତ ଲାଗିରହୁଥିଲା – ଗୁମ୍ଫା, ଗିରିଗୁହାବାସୀ ମଣିଷ ଗୋଟାଏ ଗୋଟାଏ ବଡ଼ ପଥରଖଣ୍ଡକୁ କବାଟ ପରି ମଧ୍ୟ କ୍ରମେ ବ୍ୟବହାର କଲେ । ପଥରର ଶେଯ, ତକିଆରେ ଶୋଇଲେ । ପଦାରେ ଡାଳପତ୍ରରେ ନିଆଁ ଲଗାଇ ଥଣ୍ଡାରୁ ବର୍ତିଲେ ।

ନିଆଁ ଆସିଲା, ଅନ୍ଧାର ଗଲା, ସଭ୍ୟତା ଆରମ୍ଭ ହେଲା । ପଥରକୁ ହତିଆର କରାଯିବା ପରେ ତମେ ମଣିଷମାନେ ଖାଲି ଜୀବଜନ୍ତୁକୁ ଶିକାର କଲନାହିଁ, ନିଜନିଜ ଭିତରେ କନ୍ଦଳ ଆରମ୍ଭ କରିଦେଲ – ସ୍ୱାର୍ଥ ପାଇଁ ନିଜ ଭାଇବିରାଦରମାନଙ୍କୁ ବି ହତ୍ୟା କରିବାକୁ ପଛାଇଲ ନାହିଁ । ବାଇବେଲ୍‌ରେ ପଢ଼ିବ ତୁମ ପ୍ରଥମ ପାପର ଫର୍ଦ । ଯେଉଁଦିନ ଭାଇ ହତ୍ୟା କଲା ଭାଇକୁ, ସେଇଦିନ ପ୍ରଥମ ପାପର ପ୍ରବେଶ । ତା’ପରେ ତ ତୁମ ସଭ୍ୟତାର ସୁଦୀର୍ଘ ଶୋଭାଯାତ୍ରା – ଦଳବଳ ଧରି ଗୋଷ୍ଠୀ ଗଢ଼ିଲ, ବାହିନୀ ଗଢିଲ, ଗୋତ୍ର ଓ ବଂଶ ବିସ୍ତାରିଲ, ଦେଶେଦେଶେ ରାଜ୍ୟସାମ୍ରାଜ୍ୟର ଧ୍ୱଜ ଉତୋଳନ କଲ । ବହୁ ପ୍ରଜା, ଏକ ରଜା – ଅନେକ ପୋଇଲି, ଜଣେ ପାଟରାଣୀ – ଗଣସମାଜର କବର ଉପରେ ପ୍ରତିଷ୍ଠିତ ହେଲା ରାଜତନ୍ତ୍ର । ରଜା-ରଜା ଭିତରେ ଲଢେଇରେ ତୁମ ଇତିହାସ ରକ୍ତାକ୍ତ । କିଏ କାହାର ସୁନ୍ଦରୀ ରାଣୀ ଉପରେ ଆଖି ପକାଇଲାଣି ତ ଆଉ କିଏ ଅନ୍ୟର ସଂଚିତ ଧନରତ୍ନ, ମୋତିମାଣିକ୍ୟମଣି ଉପରେ ଲାଖି ଗଲାଣି – ତାପରେ ରାଜ୍ୟବିସ୍ତାର – ସାମ୍ରାଜ୍ୟ ସ୍ଥାପନ । ହାତୀର ଖୋଜଚିହ୍ନ, ଘୋଡ଼ାର ଖୁରାଚିହ୍ନ ଆଉ ପଦାତିର ପଦଚିହ୍ନରେ ପାଂଶୁଳ ତୁମ ଇତିହାସର ଅକ୍ଷର । ତୁମେ ସେ ଇତିହାସ ପଢ଼ି ଗର୍ବ ଅନୁଭବ କରିଥାଅ, ପରବର୍ତୀ ପିଢ଼ି ପାଇଁ ଛାଡ଼ିଯାଇଥାଅ ବିରଳ ବୀରତ୍ୱର ବିସ୍ତାରିତ ବିବରଣୀ; ମାତ୍ର ତୁମ ଇତିହାସର ଆରପଟେ ଯେଉଁ ବିଭୀଷିକା, ବିପର୍ଯ୍ୟୟ, ବ୍ୟଥାବେଦନାର ଆର୍ତନାଦ – ବାଦବିସଂବାଦ – ନିର୍ଦୟ ନିପୀଡ଼ନ ଓ ନିର୍ଯାତନାର ନିରବଚ୍ଛିନ୍ନ ନିନାଦ – ରକ୍ତପାତ ଓ ଅଶ୍ରୁପାତର ସକରୁଣ ସ୍ୱରଶବ୍ଦ – ତା’ କ’ଣ କେବେ ହୃଦୟଙ୍ଗମ କରିଛ ? ଦେଶ ଦେଶାନ୍ତରବ୍ୟାପୀ ଦାରୁଣ ଯୁଦ୍ଧର ଦୁନ୍ଦୁଭିନାଦ ମଧ୍ୟରେ ହଜିଯାଇଛି ଯୁଗଯୁଗାନ୍ତର ଦୁଃଖ, ଦୀର୍ଘଶ୍ୱାସ ! ଏଇ ତୁମ ସଭ୍ୟତା – ବୀଭତ୍ସ ବର୍ବରତା । ମାତ୍ର ମନେରଖ, ତୁମ ସଭ୍ୟତାର ପ୍ରଥମ ଦୁଇଟି ପର୍ଯାୟ ଆମ ପଥରମାନଙ୍କୁ ନେଇ ଚିହ୍ନିତ – ପ୍ରାଚୀନ ପ୍ରସ୍ତରଯୁଗ ଓ ନୂତନ ପ୍ରସ୍ତର ଯୁଗ ।

ଆମେ ପଥରମାନେ ସବୁ ଦେଖିଛୁ, ସବୁ ସହିଛୁ । ତୁମ ସଭ୍ୟତାରେ ପ୍ରଥମେ ଦେଖିଥିଲୁ ମାତୃପ୍ରଧାନ ସମାଜର ଚେହେରା । ସେ ସମାଜରେ ନାରୀ ଥିଲା ନେତ୍ରୀ । ନାରୀର ପରିଚୟରେ ଚିହ୍ନଟ ହେଉଥିଲା ଗଣ – ଗୋତ୍ର – କୁଳ । ତୁମ ମଣିଷ ସମାଜର ପୁରୁଷମାନଙ୍କ ଦେହ ସହିଲା ନାହିଁ । ସେମାନେ ନାରୀର ସର୍ବବିଧ ସହାୟତା ଓ ସାହଚର‌୍ୟ୍ୟ ପାଇ ସୁଦ୍ଧା ଅନ୍ତଃକରଣରେ କେବେହେଲେ ନାରୀର ମୁକ୍ତ ପଦକ୍ଷେପ, ସ୍ୱାଧୀନତା ପ୍ରତି ସମର୍ଥନ ଦେଉ ନ ଥିଲେ । ସେମାନେ ଭୁଲିଗଲେ ଯେ ପୃଥିବୀର ପ୍ରଥମ ଶସ୍ୟବୀଜର ଆବିଷ୍କର୍ତ୍ରୀ ହେଉଛି ନାରୀ । ମଂଜିଟିରୁ ଗଛ ହୁଏ – ଏ ସତ୍ୟ ପୁରୁଷକୁ ପ୍ରଥମେ କହିଛି ନାରୀ । ସୁନାରୁପା, ହୀରାନୀଳାଠୁ କାହିଁ କେତେ ଦରକାରୀ ଫଳମୂଳ, ପନିପରିବା – ସ୍ୱର୍ଣ୍ଣକଣାଠାରୁ କେତେ ମହାର୍ଘ ଶସ୍ୟକଣା – ଏଇ ମହାଚେତନାର ମନ୍ତ୍ରଦାତ୍ରୀ ସେ । ସମାଜ ପ୍ରତି ତାର ଦାନ, ଅବଦାନ, ଅନୁଦାନ ଅତୁଳନୀୟ । ସମାଜ ଯେତେବେଳେ ସ୍ଥିର ନ ଥିଲା, ଖୋଦ୍ ନିଜର ଓ ନିଜ ପାଳିତ ପଶୁପକ୍ଷୀଙ୍କ ଖାଦ୍ୟ ସନ୍ଧାନରେ ଯାଯାବର ପରି ଘୂରିବୁଲୁଥିଲା ଏ କ୍ଷେତ୍ରରୁ ସେ କ୍ଷେତ୍ର, ଏ ଅରଣ୍ୟରୁ ସେ ଅରଣ୍ୟ, ଏ ହ୍ରଦ-ଗିରିପର୍ବତରୁ ସେ କନ୍ଦର – ସେତେବେଳେ ତାକୁ ତା’ର ଚାରଣଭୂମିର କ୍ଳେଶକର ଅନୁସନ୍ଧାନ ଅଭିଯାନରୁ ନିବୃତ କରାଇ କୃଷିଭିତିକ ସଂସ୍କୃତି ଆଡ଼କୁ ମାର୍ଗ ଦେଖାଇଲା ନାରୀ । ମଣିଷ ଘର କଲା, ନଦୀକୂଳର ଉପକଣ୍ଠରେ, ଅବବାହିକାରେ ବସତି ବିସ୍ତାରିଲା, ବସତି ପରେ ସଂପତି ସଂଚୟ ଦିଗରେ ଧ୍ୟାନ ଦେଲା । ଏଇଠି ଆସିଲା ସ୍ୱାର୍ଥୀ ମନୋଭାବ ।

ସଂପତି ଉପରେ ମାଲିକାନାକୁ ନେଇ ଉଠିଥିବା ପ୍ରଶ୍ନରୁ ପରିବାର ସୃଷ୍ଟି ହେଲା । ନାରୀକୁ ବି ସଂପତି ଦୃଷ୍ଟିରେ ଦେଖିଲା ପୁରୁଷ । ପୂର୍ଣ୍ଣଚ୍ଛେଦ ପଡ଼ିଗଲା ଦୀର୍ଘକାଳର ମାତୃପ୍ରଧାନ ସମାଜର ମାଂଗଳିକ ସଂସ୍କୃତିରେ । ମୁଣ୍ଡ ଟେକିଲା ପିତୃପ୍ରଧାନ ସମାଜ – ଦଳ, ଗୋଷ୍ଠୀ, ବଂଶ । ପୁରୁଷ ହେଲା କର୍ତା । ନାରୀ ହେଲା ତା’ର ସେବାଦାସୀ । ପତିକୁ ପରମେଶ୍ୱର ମଣିବାକୁ ମଣିଷ ଶିଖାଇଲା ତାକୁ । ପଥର ହେଇଗଲା ନାରୀ – ରକ୍ତମାଂସର ପଥର !
ବେଶି କଣ କହିବି ଆଉ ? ସାଧୁବାଦ ଦେବି ସେଇ ସ୍ୱଳ୍ପସଂଖ୍ୟକ ସୃଜନବିଭୋର ମଣିଷମାନଙ୍କୁ, ଯେଉଁମାନେ ଶିଳ୍ପୀ, ଭାସ୍କର, ସ୍ଥପତି, ବିନ୍ଧାଣି, କାରିଗର, କବି । ସେମାନେ ଧ୍ୱଂସରେ ବିଶ୍ୱାସ ନ କରି ସର୍ଜନାରେ ମନପ୍ରାଣଚୈତନ୍ୟ ସମର୍ପି ଦେଇଛନ୍ତି – ଯୁଗେଯୁଗେ ସେମାନଙ୍କ ସଂଖ୍ୟା ସ୍ୱଳ୍ପ । ମାତ୍ର ସେଇ ମୁଷ୍ଟିମେୟର ଦଳ ହିଁ କାଳକାଳ ପାଇଁ ରଖିଯାଇଛନ୍ତି କଳା ଓ କୀର୍ତିର ମହାନ ସଭ୍ୟତା । କୃଷି ଓ କୃଷ୍ଟିର ସମନ୍ୱୟରେ ଯେଉଁ ସଂସ୍କୃତି – ସେଇ ସଂସ୍କୃତିର ଶତଦଳ ଫୁଟାଇଛନ୍ତି ଏମାନେ ଯୁଗେଯୁଗେ, କାଳେକାଳେ । ଆଜି ବି ପରମ ବିସ୍ମୟ ସେମାନଙ୍କ ଶିଳ୍ପକଳା – ଆଧୁନିକ ମଣିଷ ଆଖିରେ । ତୁମେ ପ୍ରକୃତରେ କୃତାର୍ଥ ମଣିପାର ନିଜକୁ – ଏଇ ମୁଷ୍ଟିମେୟ ମଣିଷର କଳା ଓ କୀର୍ତି ଦର୍ଶନ କରି । ରହସ୍ୟମୟ ମାୟାସଭ୍ୟତା ତୁମକୁ ଯେଉଁ ଉତୁଙ୍ଗ ପ୍ରସ୍ତରମାଳାର ଅଦ୍ଭୁତ ଦୃଶ୍ୟ ଦେଖାଏ, କଳନା କରିପାରିବ ସେ କଳ୍ପନାତୀତ ବାସ୍ତବତାର ରହସ୍ୟ ? ମିଶରର ପିରାମିଡ୍ ଆଜି ବି ପଥର ପିଣ୍ଡରେ ପରମ ବିସ୍ମୟ । ଦେଖ ପୁଣି ପ୍ରାଚୀନ ଗ୍ରୀସ୍‌ର ଭାବୋଦ୍ଦୀପକ ଭାସ୍କର୍ଯ୍ୟ, ଚୀନ୍‌ର ସୁଦୀର୍ଘ ପ୍ରାଚୀର, ଦେଶବିଦେଶର ଦୁରତିକ୍ରମ୍ୟ ଦୁର୍ଗଶିଖର । ସବୁଠି ଆମ ପଥରମାନଙ୍କର ଭିନ୍ନ ଭିନ୍ନ ଭୂମିକାରେ ବିଚିତ୍ର ବର୍ଣ୍ଣାଢ୍ୟତା । ପ୍ରାଚୀନ ସଭ୍ୟତାର ସ୍ମୃତିଲିପି ସଂରକ୍ଷିତ ହୋଇରହିଛି ସୁରମ୍ୟ ଶିଳାଖଣ୍ଡଗୁଡ଼ିକରେ । ଶିଳାସ୍ତମ୍ଭରେ ସ୍ମାରକିତ ହୋଇଛି କେତେ କମ୍ର କମକୁଟି । ମନ୍ଦିର, ମସ୍‌ଜିଦ୍‌, ଗିର୍ଜା, ପାଗୋଡ଼ା – ସବୁ ଧର୍ମପୀଠର ଭିତି ଓ ଭୂତି ପଥର – ସୋପାନରୁ ଶିଖରଦେଶ ପର‌୍ୟ୍ୟନ୍ତ ସବୁ ପଥର – ତୁମେ ପୂଜୁଥିବା ଶାଳଗ୍ରାମ ବି ପଥର – ଲକ୍ଷ୍ୟ କର । ମାତ୍ର କଠିନ ପଥରକୁ ଫୁଲ କରିଦେବାର କଳା ଯଦି କେହି ଦେଖାଇଥାନ୍ତି, ତା’ହେଲେ ସେମାନେ ଏ ଦେଶର ଦୁଃସ୍ଥଦୁର୍ଗତ ଶିଳ୍ପୀକୁଳ । ଯାଅ ଦେଖିବ ଅଜନ୍ତା, ଏଲୋରା, ଖଜୁରାହୋ, କୋଣାର୍କ – ପରମ ବିସ୍ମୟରେ ନିଜେ ବି ପାଲଟିଯାଇପାର ପଥର !

ଏବେ କିନ୍ତୁ ମଣିଷର ଆଖିରେ ଲାଳସାର ଲାଲ୍‌ରଙ୍ଗ । ଲାଭଖୋର୍ ଲୋଭୀମଣିଷ ପଥରକୁ ତା’ ତରାଜୁର ପଲା ଉପରେ ଥୋଇ ଓଜନ କରୁଛି । ଅନ୍ୟ ଗ୍ରହରେ ଜୀବଜଗତର ସ୍ଥିତି ସନ୍ଧାନ ପାଇଁ ତାର ମହାକାଶ ଅଭିଯାନ ଜାରି ରହିଛି – ଏଲିଏନ୍ ହେଉ କି ଉଡ଼ନ୍ତା ଥାଳିଆ ହେଉ, କେତେ କ’ଣ କାହାଣୀକୁ ନେଇ ରୂପେଲି ପରଦାରେ ରଙ୍ଗ ସୃଷ୍ଟି କରୁଛି – ଅନ୍ୟ ଗ୍ରହରେ ଜଳ ଅଛି କି ନାହିଁ ଖୋଜି ବୁଲୁଛି । ତା’ ନିଜ ଗ୍ରହର ଉପଗ୍ରହରେ ଅର୍ଥାତ୍ ଚନ୍ଦ୍ରରେ ଏଯାବତ୍ ଚାଲିଛନ୍ତି ୧୨ଜଣ ମହାକାଶଚାରୀ । ସେଠାରେ ପାଣି ମିଳି ନ ଥିଲେ ବି ବୈଜ୍ଞାନିକ ପରୀକ୍ଷାରୁ ବରଫ ପ୍ରସ୍ତୁତ ହେଉଥିବା ତଥ୍ୟ ସୂଚାଇ ଦିଆଯାଇଛି । ଚନ୍ଦ୍ରରୁ ପାଣି ଟୋପିଏ ସିନା ମିଳିନି, ମାତ୍ର ଆପୋଲୋ ଅଭିଯାନରେ ସଂଗ୍ରହ କରାଯାଇଛି ୨୧୯୬ ଖଣ୍ଡ ପଥର ! ସେ ପଥରଖଣ୍ଡଗୁଡ଼ିକୁ ଏକାଠି ମିଶାଇଦେଲେ ତା’ର ସର୍ବମୋଟ ଓଜନ ୩୮୨ କିଲୋଗ୍ରାମ । ତୁମ ମଣିଷମାନଙ୍କର ମତଲବ ହେଉଛି ଖାଲି ତଉଲିବା । ଏପରିକି ସରଳ ନିରୀହ ଭାଗ୍ୟବାଦୀ ମଣିଷମାନଙ୍କୁ ଭଣ୍ଡେଇବା ପାଇଁ କିଛି ଧୂର୍ତ ମଣିଷ ନିଜକୁ ଭବିଷ୍ୟଭାଷୀ ଭାଗ୍ୟପରିବର୍ତନକାରୀ ଜ୍ୟୋତିଷୀ ଆସନରେ ବସାଇ ‘ଗ୍ରହପଥର’ ନାଆଁରେ ଗୁଡ଼ିଏ ରଙ୍ଗିଲା ପଥର ବିକି ବିତଶାଳୀ ହେବାରେ ଲାଗିପଡ଼ିଛନ୍ତି । ଏମିତି ମୁନାଫାଖୋର୍ ମଣିଷଙ୍କ ହାତରେ ପଡ଼ି ଜଣେ ନିରୀହ ମଣିଷକୁ ପ୍ରତାରିତ କରିବାର ପ୍ରକ୍ରିୟାରେ ପରୋକ୍ଷଭାବରେ ସାମିଲ୍ ହେଲାବେଳେ ସୁଦ୍ଧା ଆମେ ପଥରମାନେ କ’ଣ କମ୍ ଲଜ୍ଜିତ ହୋଇନଥାଉ ? (କ୍ରମଶଃ…)

ଯାଜପୁର ରୋଡ, ଯାଜପୁର, ମୋ : ୯୮୬୧୦୩୪୧୬୩
(ଲେଖକ ଜଣେ ବରିଷ୍ଠ ଶ୍ରମିକ ନେତା ଓ ସ୍ତମ୍ଭକାର)
ବିଶେଷ ଦ୍ରଷ୍ଟବ୍ୟ: ଏହି ସ୍ତମ୍ଭରେ ପ୍ରକାଶିତ ହୋଇଥିବା ବିଚାର ବା ମତ ସମ୍ପୂର୍ଣ୍ଣ ଭାବେ ଲେଖକଙ୍କର ନିଜସ୍ୱ ଅଟେ । ଏହି ସ୍ତମ୍ଭରେ ପ୍ରକାଶିତ କୌଣସି ଅଂଶ ଲାଗି www.odishasambad.in ର ସମ୍ପାଦନା ମଣ୍ଡଳୀ ଦାୟୀ ନୁହଁନ୍ତି ।
Leave A Reply

Your email address will not be published.