Latest Odisha News

BREAKING NEWS

କୃଷି ଉଦ୍ୟୋଗୀଙ୍କ ପାଇଁ ବ୍ୟାଙ୍କିଂ ଟିପ୍ସ ବିଷୟବସ୍ତୁ ଉପରେ ୱେବିନାର ଆୟୋଜିତ

ଭୁବନେଶ୍ୱର : କୋଭିଡ ସମୟରେ ରାଜ୍ୟର ଅନ୍ୟ ସବୁ କ୍ଷେତ୍ର ଭଳି କୃଷି ଉଦ୍ୟୋଗ କ୍ଷେତ୍ର ମଧ୍ୟ ପ୍ରଭାବିତ ହୋଇଛି । ତେବେ କୃଷି ଉଦ୍ୟୋଗ କ୍ଷେତ୍ରରେ ଆଗକୁ ବଢିବା ସହ ଆର୍ଥିକ ଦୃଷ୍ଟିରୁ ସ୍ୱାବଲମ୍ବୀ ଏବଂ ଆତ୍ମନିର୍ଭର ହେବା ଲାଗି ରହିଛି ଅନେକ ସୁଯୋଗ । ଏ ଦିଗରେ ରାଜ୍ୟ ଏବଂ କେନ୍ଦ୍ର ସରକାର ସବ୍‌ସିଡି ଦେବା ସହ ବିଭିନ୍ନ ପ୍ରୋତ୍ସାହନକାରୀ ଯୋଜନା ପ୍ରଣୟନ କରିଛନ୍ତି । ତେବେ ଆଗ୍ରହୀ ବ୍ୟକ୍ତି କୃଷି ଉଦ୍ୟୋଗ ପ୍ରତିଷ୍ଠା ପାଇଁ ବ୍ୟାଙ୍କରୁ ଆବଶ୍ୟକ ଋଣ ପାଇପାରିବେ । ଏଥିସହ ସରକାରଙ୍କ ବିଭିନ୍ନ ଯୋଜନାର ଫାଇଦା ମଧ୍ୟ ପାଇପାରିବେ ବୋଲି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଜେନେରାଲ ମ୍ୟାନେଜର ତଥା ଭୁବନେଶ୍ୱର ଜୋନାଲ ମ୍ୟାନେଜର ଅଶ୍ୱିନୀ କୁମାର ଓଡିଶା କର୍ପୋରେଟ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ୱେବିନାର ‘କୃଷି ଉଦ୍ୟୋଗୀଙ୍କ ପାଇଁ ବ୍ୟାଙ୍କିଂ ଟିପ୍ସ’ରେ ସୂଚନା ଦେଇଛନ୍ତି ।

ବିଭିନ୍ନ ସମୟରେ କୃଷି ଉଦ୍ୟୋଗ ସ୍ଥାପନ ଲାଗି ଇଚ୍ଛା ଥିଲେ ମଧ୍ୟ ଆଗ୍ରହୀ ବ୍ୟକ୍ତି ଏ ନେଇ ସଠିକ୍ ପରାମର୍ଶ ପାଆନ୍ତି ନାହିଁ । ତେଣୁ ବ୍ୟାଙ୍କରୁ ଋଣ ପାଇବାରେ ସମସ୍ୟା ହୋଇଥାଏ । ଏସବୁ ଦିଗ ଉପରେ ଆଲୋଚନା କରି ପିଏନବିର ସର୍କଲ ମୁଖ୍ୟ ଶିବାନନ୍ଦ ଭଞ୍ଜ ବ୍ୟାଙ୍କର ୩ଟି ପ୍ରମୁଖ ସ୍କିମ୍ ସଂପର୍କରେ ସୂଚନା ଦେଇଥିଲେ। ଏଥି ସହ ସେ କହିଥିଲେ ‘କୁକୁଡାପାଳନ, ଗୋପାଳନ ଏବଂ ମତ୍ସ୍ୟପାଳନ ସ୍କିମରେ କୃଷିଋଣ ମିଳିପାରୁଛି । ପ୍ରକଳ୍ପ ମୂଲ୍ୟର ୭୫ପ୍ରତିଶତ ଯାଏଁ ଋଣ ବ୍ୟାଙ୍କରୁ ମିଳିପାରିବ । ବ୍ୟକ୍ତିଗତ ସ୍ତରରେ ଚାଷୀ, ସ୍ୱେଚ୍ଛାସେବୀ ସଂଗଠନ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ଏହି ଋଣ ପାଇପାରିବେ । ଏସବୁ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ସବ୍‌ସିଡି ଉପଲବ୍ଧ ହେଉଛି ।’

ଏଥି ସହ ଶ୍ରୀ ଭଂଜ ଗୋପାଳନ କ୍ଷେତ୍ର ସମ୍ପର୍କରେ ମଧ୍ୟ ଆଲୋଚନା କରିଥିଲେ । ସେ କହିଥିଲେ, ‘ଆମ ରାଜ୍ୟର ଚାଷୀଙ୍କ ପାଇଁ ଗୋପାଳନକୁ ନେଇ ବହୁ ସୁଯୋଗ ରହିଛି । ବିଶେଷ ଭାବରେ ଛୋଟ ସହର ଗୁଡିକ ଦୁଗ୍ଧ ଉତ୍ପାଦନରେ ଆତ୍ମନିର୍ଭର ନୁହନ୍ତି । ଏଥିପାଇଁ ଗ୍ରାହକମାନେ ବିଭିନ୍ନ କମ୍ପାନୀର ପ୍ୟାକେଟ୍ କ୍ଷୀର ଉପରେ ନିର୍ଭରଶୀଳ । ତେଣୁ ଏପରି କ୍ଷେତ୍ରରେ ଡାଏରୀ ଫାର୍ମ ବେଶ ଲାଭ ଜନକ ବ୍ୟବସାୟ ହୋଇପାରିବ ।’

ସେହିପରି ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ଏଗ୍ରି ବିଜିନେସ୍ ୟୁନିଟ୍ ର ଡିଜିଏମ୍ ସୁନୀଲ ବି. ଖୈରନାର ୱେବିନାରରେ ଅଂଶ ଗ୍ରହଣ କରି କହିଥିଲେ ଯେ ‘କୃଷିଜାତ ଦ୍ରବ୍ୟ ଉତ୍ପାଦନ ସହ ଏହାର ସଂରକ୍ଷଣ ଜରୁରୀ, ଯାହା ଚାଷୀଙ୍କୁ ଦୀର୍ଘମିଆଦି ଲାଭ ଦେବ । ରାଜ୍ୟରେ ଶୀତଳ ଭଣ୍ଡାରର ଅଭାବ ଯୋଗୁ ପ୍ରତିବର୍ଷ ଚାଷୀଙ୍କ ଉତ୍ପାଦ ନଷ୍ଟ ହେଉଛି ଏହି ଅଭାବକୁ ଦୂର କରିବା ଲାଗି ଆଧୁନିକ ଶୀତଳ ଭଣ୍ଡାର ସ୍ଥାପନ କରିବା ପାଇଁ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ବିଶେଷ ସ୍କିମ୍ ରହିଛି । ଶୀତଳ ଭଣ୍ଡାର ପ୍ରକଳ୍ପ ଲାଗି ଏସ୍‌ବିଆଇ ପ୍ରକଳ୍ପ ମୂଲ୍ୟର ୭୫ପ୍ରତିଶତ ଯାଏଁ ଋଣ ଦେଇଥାନ୍ତି । ’

ଏହ ୱେବିନାରକୁ ଓଡିଶା କର୍ପୋରେଟ ଫାଉଣ୍ଡେସନ ପକ୍ଷରୁ ଧନେଶ୍ୱର ସାହୁ ପରିଚାଳନା କରିଥିଲେ । ଏଥିରେ କୃଷି ଉଦ୍ୟୋଗୀ, ଆଗ୍ରହୀ ଯୁବକ ଯୁବତୀ, ଚାଟାର୍ଡ ଆକାଉଣ୍ଟାଣ୍ଟ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

Leave A Reply

Your email address will not be published.