Latest Odisha News

BREAKING NEWS

ଆମ ଭିତରେ ଗଧ ଅଛି!

ଗଧଟିଏ ଗଛରେ ବନ୍ଧା ହୋଇଥିଲା । ବାବାଜୀଟିଏ ସେଇ ବାଟଦେଇ ଯାଉଥିଲେ । ପଘାରେ ବନ୍ଧା ହୋଇଥିବା ଗଧ ମୁକ୍ତି ପାଇଁ କସରତ କରୁଥିବାର ସେ ଦେଖିଲେ । ଦୟା ପାଇ ବାବାଜୀ ତା ପଘାକୁ ଖୋଲିଦେଇ ନିଜ ରାସ୍ତାରେ ଚାଲିଗଲେ । ବାସ୍ ଏଇଠୁ ଆରମ୍ଭ ହେଲା ନାଟକରୁ କ୍ଲାଇମାସ୍କ । ଗଧ ସିଧା ଦୌଡିଲା ଏକ କୃଷିକ୍ଷେତ୍ରକୁ । ନିଜ ମନଇଚ୍ଛା ଦଳିମକଚି ନଷ୍ଟ କରିଦେଲା କ୍ଷେତକୁ ।

କୃଷକର ସ୍ତ୍ରୀ ଗଧକୁ ଦେଖିଦେଲା । ଉଜୁଡା କ୍ଷେତକୁ ଦେଖି ତା ମୁଣ୍ଡକୁ ପିତ ଚଢ଼ିଗଲା । ଗୋଟିଏ କାଠ ଫାଳିଆ ଆଣି ଗଧ ମୁଣ୍ଡକୁ ପାହାରେ ଦେଲା । ଗଧର ସେଇଠି ସିୟା ରାମ କି ଜୟ । ଖବର ଯାଇ ପହଂଚିଲା ଗଧର ମାଲିକ ପାଖରେ । ଏକମାତ୍ର ଗଧର ମୃତ୍ୟୁରେ ସେ ଭାଙ୍ଗି ପଡିଲା । ଯେସାକୁ ତେସା ନ୍ୟାୟରେ ସେ ସେଇ
କାଠ ଫାଳିଆରେ କୃଷକର ସ୍ତ୍ରୀକୁ ମାରିଦେଲା । ସ୍ତ୍ରୀର ମୃତ ଦେହ ଦେଖି କୃଷକର ବୁଦ୍ଧି ହଜିଗଲା । ଗଧ ମାଲିକ
ସହ ଚାଲିଲା ଲଢ଼େଇ । ଶେଷରେ ଗଧ ମାଲିକ ମଲା । ଗଧ ମାଲିକର ଦୁଇଟି ଭେଣ୍ଡା ପୁଅ । ସ୍ୱାମୀକୁ ମାରି ଦିଆଯିବାର ଖବର ଶୁଣି ଗଧ ମାଲିକର ସ୍ତ୍ରୀ ନିଜ ଦୁଇ ପୁଅକୁ ଆଦେଶ ଦେଲା-ଯାଅ, ତୁମେ ଯଦି ଠିକ୍ ମୋ ଛୁଆ ହୋଇଥିବ, ପିତୃହତ୍ୟାର ପ୍ରତିଶୋଧ ନିଅ ।

ମାତୃ ଆଜ୍ଞା ମାନି ଦୁଇ ପୁଅ ରାତି ଅଧରେ ଯାଇ କୃଷକ ଘରେ ନିଆଁ ଲଗେଇ ଦେଲେ । ଘର ହୁତୁ ହୁତୁ ହୋଇ ଜଳିଲା । ଖୁସି ହେଲେ ଦୁହେଁ । ଏଥର କୃଷକ ନିଶ୍ଚେ ଘର ଭିତରେ ଜଳି ପୋଡି ମରିବ । କିନ୍ତୁ ଦୁଇ ପୁଅଙ୍କ ଭାବନା ଅନୁସାରେ ସେମିତି କିଛି ହେଲାନି । ସେଦିନ ରାତିରେ କୃଷକ ଘରେ ନଥିଲା । କୁଣିଆ ଘର ଯାଇଥିଲା । ସକାଳୁ ଫେରି ଦେଖେତ ନିଜ ଘର ଆଉ ନାହିଁ । ରାଗ ତମତମ ହୋଇ ଦୌଡିଲା ଗଧ ମାଲିକ ଘରକୁ । ପହେଲମାନ କୃଷକ ଘରେ ନିଆଁ ଲଗାଇଥିବା ସେଇ ଦୁଇ ପୁଅ ଆଉ ତା’ ମା ଅର୍ଥାତ ଗଧ ମାଲିକର ସ୍ତ୍ରୀକୁ
ମାତ୍ର ତିନିଟା ମୁଥରେ ଶେଷ କରିଦେଲା ।

ଗଧ ମାଲିକର ବଂଶ ବୁଡିଲା । ଏଣେ ନିଜ ସ୍ତ୍ରୀ ବି ମଲା । ଦୁଃଖରେ ବିମର୍ଶ କୃଷକ ଯୋରରେ କାନ୍ଦିଲା । ଗଧ ସକାଶେ ସିନା ଏତେ ନାଟ । ଠିକ୍ ଏହି ସମୟରେ ଗଧକୁ ଫିଟାଇଥିବା ସେଇ ବାବାଜୀ ଆସି ହାବୁଡି ଗଲେ କୃଷକ ପାଖରେ । ତାଙ୍କୁ ଦେଖି କୃଷକ ରାଗରେ କହିଲାବାବାଜୀ ହୋଇ ଗଧକୁ ଫିଟାଇବା କଣ ଠିକ୍ ହେଲା?
ପଦୁଁଟିଏ ଉତର ଦେଲେ ବାବାଜୀ-ମୁଁ କେବଳ ବାହାରର ଗଧକୁ ବନ୍ଧନ ମୁକ୍ତ କରିଥିଲି । କିନ୍ତୁ ତୁମେମାନେ ନିଜ ନିଜ ଭିତରେ ଥିବା ଗଧକୁ ମୁକ୍ତ କରିଦେଲ । ଏଥିରେ ମୋର ବା ଦୋଷ କ’ଣ?

ପାଠକେ! ବାବାଜୀଙ୍କ କହିବା ମୁତାବକ ଆମ ଭିତରେ ଥିବା ସେଇ ଗଧଟି କିଏ? କ’ଣ ଗୋଟିଏ ଗଧ ? ନାଁ, ଛଅ ଛଅଟା ଗଧ ରାଜ୍ କରୁଛନ୍ତି ଆମ ଭିତରେ । ‘କାମ’ ଗୋଟିଏ ଗଧ, କ୍ରୋଧ ଗୋଟିଏ ଗଧ । ଲୋଭ,
ମୋହ, ମଦ ଓ ମାତ୍ସର୍ଯ୍ୟ-ଏମାନେ ହେଲେ ଆଉ ଚାରିଟା ଗଧ । ଉପରୋକ୍ତ ପ୍ରସଙ୍ଗରେ କୃଷକ ଜଣଙ୍କ କେବଳ ‘କ୍ରୋଧ’ ରୂପକ ଗଧକୁ ଫିଟାଇ ଦେଇଥିଲା । ଏ ଗଧଟି ତା ସ୍ତ୍ରୀ ଭିତରେ ବି ଥିଲା । ଅନୁରୂପ ଭାବରେ ଗଧ ମାଲିକ, ତା ସ୍ତ୍ରୀ ଓ ଦୁଇ ପୁଅଙ୍କ ଭିତରେ ବି ଥିଲା । ସମସ୍ତେ ନିଜ ନିଜ ଭିତରେ ଥିବା ଏଇ ଗଧକୁ ପ୍ରତିଯୋଗୀମୂଳକ ଭିତିରେ ଖୋଲି ଦେଲେ । ଶେଷରେ ଫଳ ହେଲା-ସର୍ବନାଶ ।
ଗୋଟିଏ ଗଧର ପରିଣତି ଏହା । ଯେତେବେଳେ ଛଅଟି ଗଧ ଫିଟିଯିବେ ସେତେବେଳେ କ’ଣ ହେବ ଅବସ୍ଥା ଚିନ୍ତା କରନ୍ତୁ ପାଠକେ । ଏବେ ଯେଉଁ ‘କରୋନା’ ବ୍ୟାପିବାରେ ଲାଗିଛି, ଏହା ସେଇ ‘ଗଧ’ର
ପରିଣତି । ଏହା ହେଉଛି ଲୋଭ ବା ଲାଳସା ରୂୁପକ ଗଧର କରିସ୍ମା ।

ବିଶ୍ୱରେ ବିଭିନ୍ନ ପ୍ରକାର ଶସ୍ୟ, ଶାଗ, ଫଳ, ପନିପରିବା ଆଦି ପ୍ରାକୃତିକ ଖାଦ୍ୟ ଯଥେଷ୍ଟ ପରିମାଣର ମହଜୁଦ୍ ଥିବାବେଳେ ଚାଇନାମାନେ ବିଲୁଆ, କୁକୁର, ବିଲେଇ, ସାପ ଆଉ ତେନ୍ତୁଳିଆ ବିଛା, ମୂଷା, ଚୁଚୁନ୍ଦ୍ରାକୁ ଯେଭଳି କଂଚା ଓ ସିଝାଇ କରି ଖାଆନ୍ତି, ତାହା ଏବେ ସମଗ୍ର ବିଶ୍ୱ ଦେଖୁଛି । ଚୀନର ହୁଂଆଓ ସହର ହେଉଛି ଏ ସବୁ ଖାଦ୍ୟର ପେଣ୍ଠସ୍ଥଳୀ । ‘କରୋନା’ର ଉତ୍ପତିସ୍ଥଳ ଏଇଠୁ । ଏ ଭାଇରସ୍ କୋଉ ପଶୁ କିମ୍ବା ପକ୍ଷୀର
ଶରୀରେ ଥିଲା । ତା’ର ମାଂସ ଖାଇବାରୁ ମଣିଷ ଦେହକୁ ଆସିଲା । ଏବେ ସାରା ବିଶ୍ୱରେ ବ୍ୟାପିଗଲାଣି ।
‘କରୋନା’ ଏବେ ପ୍ରତିଶୋଧ ନେଉଛି ମଣିଷମାନଙ୍କ ଉପରେ । ପ୍ରକୃତିର ସନ୍ତୁଳନ ପାଇଁ ଈଶ୍ୱର ବହୁ ପ୍ରଶୁପକ୍ଷୀର ଆଉ ସରୀସୃପମାନଙ୍କୁ ସୃଷ୍ଟି କରିଛନ୍ତି । ଏମାନେ କେହି ବି ଭକ୍ଷଣର ଯୋଗ୍ୟ ନୁହନ୍ତି । ମାନବ ହେଉଛି ଏକ ଶାକାହାରୀ ପ୍ରାଣୀ । କିନ୍ତୁ ଆମେ ନିଜେ ବାଟବଣା ହୋଇ ଲାଳସା ରୂପକ ଗଧର କବଳରେ ପଡି ମାଛ ମାଂସ ଖାଉଛୁ । ଡାକ୍ତରମାନେ କହୁଛନ୍ତି, ହଁ ଖାଅ । ଏପରିକି କେତେ ସାଧୁସନ୍ଥଙ୍କ ବୁଦ୍ଧି ବି ଭ୍ରମ । ସେମାନେ
ବି ନିଜେ ଖାଆନ୍ତି ଆଉ ଅନ୍ୟମାନଙ୍କୁ କୁହନ୍ତି- ଖାଅମ, କିଛି ଅସୁବିଧା ନାହିଁ । ଖାସ୍ ଏଇମାନଙ୍କ ସକାଶେ ଗୋଟିଏ ମଣିଷ, ଶାକାହାରୀ ହୋଇପାରୁ ନାହିଁ । ବାଘ ମାଂସାହାରୀ । ସେ ତା ବାଟରେ ଠିକ୍ ଅଛି ।
ସୃଷ୍ଟି ଆରମ୍ଭରୁ ସେ ମାଂସାହାରୀ ଥିଲା । ଆଜି ବି ଅଛି । ମଣିଷ କିନ୍ତୁ ବାଟ ହୁଡୁଛି । ତେଣୁ କରୋନା ଫରୋନା ଆଜି ମାଡି ବସୁଛି ।

ଏବେ ସଚେତନ ହେବାର ସମୟ ଆସିଛି । ଭିତରର ଗଧକୁ ନିୟନ୍ତ୍ରଣରେ ରଖିବାର ସମୟ ଆସିଛି । ବୁଦ୍ଧି, ବିଚାର ଆଉ ପ୍ରଜ୍ଞାର ପ୍ରୟୋଗ କରିବାର ବେଳ ଆସିଛି । ମଣିଷ ଏକ ନିପଟ ଶାକାହାରୀ ପ୍ରାଣୀ । ଏହି ତତ୍ୱକୁ ମଣିଷ ଏବେ ବୁଝୁ । ଅତ୍ୟଧିକ ବୁଦ୍ଧିବାଦୀ ନହେଉ । କିଛି ବର୍ଷ ତଳେ ଏକ ସଭାରେ ଠିକ୍ ଏଇ କଥା ଆଲୋଚନା କରୁଥିଲି । ବି.ଏସ୍‌.ସି ପାସ୍ କରିଥିବା ଯୁବକଟିଏ ଛିଡା ହୋଇ ପଚାରିଲା-ଆଜ୍ଞା, ଆପଣ କହୁଛନ୍ତି ମାଛ, ମାଂସ ନ ଖାଇବାକୁ । ଛେଳିକୁ ଯଦି ନଖାଇବା ସେମାନଙ୍କ ସଂଖ୍ୟା ତ ଏ ସଂସାରରେ ବଢ଼ିଯିବ । ଚାରିଆଡେ ମେଁ ମେଁ କରି ବୋବାଳି ଛାଡିବେ । ମଣିଷର ଶାନ୍ତି ଭଙ୍ଗ ହେବ । ସନ୍ନ୍ୟାସୀ ସେଦିନ ସେ ଜିଜ୍ଞାସୁକୁ କହିଥିଲା-ସଂସାରରେ କାହାର ସଂଖ୍ୟା ବଢ଼ିବ ଅବା କମିବ ସେଥିପାଇଁ ତୁମେ କ’ଣ ଠିକା ନେଇଛ । ଏ
ଦାୟିତ୍ୱ ହେଉଛି ପ୍ରକୃତିର । ‘କରୋନା’ ଯୋଗୁଁ ଚାଇନାର ଗାଡିମଟର, କଳକାରଖାନା ବନ୍ଦ ହେଇଗଲା । ଏବେ ସେଠାରେ ବାୟୁମଣ୍ଡଳ ବେଶ୍‌ ଶୁଦ୍ଧ । ଅଙ୍ଗାରକାମ୍ଲ ମାତ୍ରା ଯଥେଷ୍ଟ କମ୍ । ଏଥିପାଇଁ ଆମେ କେତେ
ଗଛ ଲଗାଇ ପାରିଥାନ୍ତେ? ନାଁ କଳକାରଖାନକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇ ପାରିଥାନ୍ତେ?? ପ୍ରକୃତି ହେଉଛି ଏକ ବୃହତ ଭାରସାମ୍ୟ ରକ୍ଷାକାରୀ ନିକିତି । ତା ଦାୟିତ୍ୱକୁ ନେଇ ତୁମ ମୁଣ୍ଡରେ କିଆଁ ବ୍ୟଥା? କ’ଣ ନା ଛେଳି ସଂଖ୍ୟା ବଢ଼ିଯିବ ।, ମାଛମାନେ ନଈ ନାଳରେ ଫୁଲ୍‌ ହୋଇଯିବେ । ଆଚ୍ଛା କଥା! ହେ କରୋନା! ଢ଼େର ମୁଣ୍ଡ ତୁମେ ନେଲଣି । ପ୍ରତି ଶହେ ବର୍ଷରେ ଥରେ ତୁମେ ବିଭିନ୍ନ ରୂୁପରେ ତ ଆସୁଛ । ଏଣିକି ଏବେ ଯାଅ । ଏତିକିରେ ଏ ମଣିଷ ଯଦି କିଛି ଶିକ୍ଷା ଲଭି ନପାରିଲା, ପୁଣି ଆଗାମୀ ଥରକୁ ଆଉ କୋଉ ରୂପରେ ଆସି ଯାହା କରିବା କଥା କରିବ । ଏଥରକ ମଣିଷକୁ କ୍ଷମା କରିଦିଅ । କରୋନା ନିମନ୍ତେ ଆତଙ୍କିତ ହେବାର କୌଣସି କାରଣ ନାହିଁ ।

ଜ୍ୟୋତିଷୀୟ ଆଲୋଚନା ଅନୁଯାୟୀ ଧନୁ ରାଶିରେ ବୃହସ୍ପତି, ମଙ୍ଗଳ ଏବଂ କେତୁ ରହିଲେ ଏକ ମହାମାରୀ ଯୋଗ ସୃଷ୍ଟି ହୁଏ । ଏଥିରେ ଯଦି ଯମଙ୍କର ଦୃଷ୍ଟି ବିନିମୟ ହୁଏ ତେବେ ଭୂୁତାଣୁ ବିଶ୍ୱକୁ ବ୍ୟାପିଯାଏ ।
ବର୍ତମାନ ଏହି ଯୋଗ ଚାଲିଛି । ଯଦି ଉପରୋକ୍ତ ଗ୍ରହମାନଙ୍କ ମଧ୍ୟରୁ କେହି ଜଣେ ବା ଦୁଇ ଜଣ ବାହାରି ଯାଆନ୍ତି, ତେବେ କରୋନା ଆଉ ବ୍ୟାପିବ ନାହିଁ । ୨୯ ମାର୍ଚ୍ଚ ବୃହସ୍ପତି ମକର ରାଶିକୁ ଅତିସାର
ଏବଂ ଆସନ୍ତା ଏପ୍ରିଲ ୭ ତାରିଖରେ ମଙ୍ଗଳ ଶ୍ରବଣା ନକ୍ଷତ୍ର ମକର ରାଶିକୁ ଗମନ କରୁଛନ୍ତି । ତେଣୁ କରୋନାର ପ୍ରକୋପ ଏ ହିପର୍ଯ୍ୟନ୍ତ ରହିବ । ତା ପରେ ଆସ୍ତେ ଆସ୍ତେ ପ୍ରଭାବଶୂନ୍ୟ ହେବାର ଆଶା କରାଯାଏ । ହଜାର ହଜାର ବର୍ଷ ତଳେ ସାଧୁସନ୍ଥ ବା ଗୃହସ୍ଥମାନେ ଦୈନିକ ଅଗ୍ନିହୋତ୍ର କରୁଥିଲେ । ଫଳରେ ବାୟୁମଣ୍ଡଳ ଶୁଦ୍ଧ ରହୁଥିଲା । ଏବେ ସରକାର ପ୍ରଚାର କରୁଥିବା ବିଭିନ୍ନ ପ୍ରତିଷେଧକମାନଙ୍କୁ ମାନିବାସହ ନିଜ ଘରେ ହବନ କରନ୍ତୁ । ମନ୍ତ୍ର ଜାଣି ନଥିଲେ କେବଳ ‘ଓଁ ସ୍ୱାହା’ କହି ଦେଶୀ ଗାଈ ଘିଅରେ ୨୧ ଥର ଆହୂତି ଦିଅନ୍ତୁ । ହୋମରେ ଶୁଖିଲା ତୁଳସୀ ଡାଳ, ଶୁଖିଲା ଗେଣ୍ଡୁ ଫୁଲ, ନିମ୍ବ ଓ ବେଲପତ୍ର ସହ ଦେଶୀ ଗାଈର ଗୋବର ଘସି ବ୍ୟବହାର କରନ୍ତୁ । ଘରର ସମସ୍ତ ସଦସ୍ୟ ବସି ଆହୂତି ଦିଅନ୍ତୁ । ଏଥିରେ କରୋନାଠାରୁ ଆହୁରୀ ଭୟାନକ ଜୀବାଣୁ ସହ ବାସ୍ତୁ ଦୋଷ ନଷ୍ଟ ହୁଏ । ପରିବାରରେ ସୁଖ, ଶାନ୍ତି ଆଉ ପ୍ରଗତି ଆସେ ।

ଦିବ୍ୟାଲୋକ ସନ୍ଧାନେ, ତେଲେଙ୍ଗାପେଣ୍ଠ, କଟକ

Comments are closed.