Latest Odisha News

BREAKING NEWS

ପାଲା ଜଗତର ଅନନ୍ୟ ପ୍ରତିଭା; ପଣ୍ଡିତ ଅଭୟ ଚରଣ ସ୍ୱାଇଁ

ଭୁବନେଶ୍ୱର: ଜଣେ ସଂସ୍କୃତ ପଣ୍ଡିତ ଭାବରେ ଖୁବ୍ ଜଣାଶୁଣା ଅଭୟ ଚରଣ ସ୍ୱାଇଁ। ଯାହାଙ୍କର ପେଷା ଥିଲା ଶିକ୍ଷକତା ଆଉ ନିଶା ଥିଲା ପାଲା ପରିବେଷଣ କରିବା।

ପାଲାକାର ଜୀବନରେ ତାଙ୍କ କୃତି ଶିକ୍ଷକତାର ବଳୟ ପାର ହୋଇ ମଧୁଝରା ହୋଇ ବହିଯାଇଛି ଓଡିଶାର ବହୁ ପ୍ରାନ୍ତକୁ । ଲଳିତ କଣ୍ଠସ୍ୱର ଏବଂ ଉପସ୍ଥାପନରେ ନାଟକୀୟତା ତାଙ୍କୁ ଶ୍ରୋତାଙ୍କ ମହଲରେ ଚିର ସବୁଜ କରିରଖିଛି ।

୧୯୩୪ ମସିହା ଜୁନ ମାସ ୪ ତାରିଖ, ଖୋର୍ଦ୍ଧା ଜିଲ୍ଲାର ମୁକ୍ତାପୁର ଗାଁରେ ଏକ ଗରିବ ପରିବାରରେ ଜନ୍ମଗ୍ରହଣ କରିଥିଲେ ଅଭୟ ଚରଣ ସ୍ୱାଇଁ ।

ତାଙ୍କ ବାପା ସିଦ୍ଧେଶ୍ୱର ସ୍ୱାଇଁ ଓ ମାଆ ସାବିତ୍ରୀ ଦେବୀ ଥିଲେ । ବାପାଙ୍କର ଆର୍ଥିକ ଅବସ୍ଥା ସେତେଟା ସ୍ୱଚ୍ଛଳ ନଥିଲା । ତଥାପି ସେ ସମୟରେ ସେମାନେ ଅଭୟଙ୍କୁ ପାଠପଢାଇଥିଲେ । ଚାହାଳି ଗୁରୁ ନାଥ ଦାଶଙ୍କ ପାଖରେ ଆରମ୍ଭ ହେଲା ଖଡିଛୁଆଁ ।

ପିଲାଟି ଦିନରୁ ଅଭୟଙ୍କ ପାଖରେ କଳା ପ୍ରତିଭା ବାରି ହୋଇପଡୁଥିଲା । ଚାଟଶାଳିରେ ସେ କେଶବ କୋଇଲି ଗୀତ ଅତି ସୁନ୍ଦର ଭାବେ ବୋଲୁଥିଲେ । ଏତେ ସୁମଧୁର କଣ୍ଠରେ ସେ ଏହି ଗୀତ ବୋଲନ୍ତି ଯେ ରାସ୍ତାରେ ଯାଉଥିବା ଲୋକମାନେ ଠିଆ ହୋଇ ଶୁଣନ୍ତି ।

ଚାଟଶାଳୀ ପଢା ଶେଷ ହେବା ପରେ ସେ ଗାଁର ପ୍ରାଥମିକ ସ୍କୁଲରେ ପଢିଲେ । ସେତେବେଳେ ସ୍କୁଲର ଶିକ୍ଷକ ଥିଲେ ବାଞ୍ଛାନିଧି ପଟ୍ଟନାୟକ ଓ ପ୍ରଧାନ ଶିକ୍ଷକ ଥିଲେ ତ୍ରିଲୋଚନ ବାରିକ ।

ତୃତୀୟ ଶ୍ରେଣୀରେ ପଢିବା ବେଳେ ଅଭୟ ଗାଁର ସାଥୀ ପିଲା ହଜାରି ସ୍ୱାଇଁ, ବଂଶୀଧର ସ୍ୱାଇଁ, କେଳୁ ଚରଣ ସ୍ୱାଇଁ, ଦୁଆରି ସ୍ୱାଇଁ, ଲୋକନାଥ ମହାରଣାଙ୍କ ସହ ମିଶି ଗାଁ ମୁଣ୍ଡ ନୃସିଂହ ଆମ୍ବଗଛ ତଳେ ପାଲା ଗାଆନ୍ତି । ଆମ୍ବ ଡାଳ ହୁଏ ଚାମର ଆଉ ନଡିଆ ଷଢେଇ ହୁଏ ଝାଞ୍ଜ । ଯାହା ମନକୁ ଆସେ ସବୁ ପିଲା ପାଟି କରି ବୋଲନ୍ତି । ଏମିତି ସବୁଦିନ କଟୁଥିଲା । ଏହା ଦେଖି ଗାଁର ବାଞ୍ଛାନିଧି ସାହୁ ସବୁ ପିଲାଙ୍କ ବାପାମାନଙ୍କୁ ଭେଟିଲେ । ପିଲାମାନଙ୍କ ପାଇଁ ପାଲା ଶିଖିବାର ବ୍ୟବସ୍ଥା କରିବାକୁ ପରାମର୍ଶ ଦେଲେ ।

ବାଞ୍ଛାନିଧିଙ୍କ ପରାମର୍ଶ ପରେ ନିକଟସ୍ଥ ଖଜୁରିପଦା ଗାଁର ଗୁରୁ ଗୋପାଳ ପଣ୍ଡାଙ୍କୁ ନିମନ୍ତ୍ରଣ କରାଗଲା । କିଏ ଗାୟକ ହେବ ବିଚାର ପଡିଲା । ସମସ୍ତଙ୍କ ବାପାମାନେ କହିଲେ ସେମାନଙ୍କ ପୁଅ ଗାୟକ ହେଉ ।

ଏଥିରେ ବଡ ଦ୍ୱନ୍ଦ୍ୱରେ ପଡିଲେ ଗୁରୁ । ସେ କହିଲେ ଏଥି ପାଇଁ ସେ ଏକ ପରୀକ୍ଷା କରିବେ । ବଳି ବାମନାଷ୍ଟକରୁ ଆଠଟି ଶ୍ଳୋକ ଲେଖି ସମସ୍ତଙ୍କୁ ଦେଲେ, କହିଲେ ଯିଏ ଆଜି ସଂଧ୍ୟା ସୁଦ୍ଧା ସବୁ ମୁଖସ୍ତ କରି ପରିଷ୍କାର ଭାବେ ବୋଲି ପାରିବ ସେ ଗାୟକ ହେବ । ସବୁ ପିଲା ଶ୍ଳୋକ ଘୋଷିବାରେ ଲାଗିଲେ, ହେଲେ ଅଭୟଙ୍କୁ ଛାଡି ଆଉ କେହି ସଂପୂର୍ଣ୍ଣ କରିପାରିଲେ ନାହିଁ । ଶେଷରେ ଅଭୟଙ୍କୁ ଗାୟକ କରିବାକୁ ସ୍ଥିର ହେଲା । ଶ୍ରୀଗୁଣ୍ଡିଚା ଦିନ ନାରାୟଣ ମୂର୍ତି ସ୍ଥାପନ ହେଲା, ଗାଁର ନୃସିଂହ ଠାକୁରଙ୍କ ନିକଟରେ ପାଲା ଗାଇବା ଆରମ୍ଭ ହେଲା ।

ପାଲାକୁ ସମୃଦ୍ଧ କରିବା ପାଇଁ ବିଶିଷ୍ଟ ଗାୟକ ବିଶ୍ୱନାଥ ପଟ୍ଟଯୋଶୀଙ୍କ ପରାମର୍ଶ କ୍ରମେ ଅଭୟ ସଂସ୍କୃତ ଶିଖିଲେ । ହଳଦିଆ ସ୍ଥିତ ସଂସ୍କୃତ ଟୋଲରେ ମଧ୍ୟମା ପାସ୍ କଲେ । ଅଧିକ ଶିକ୍ଷା ପାଇଁ ପୁରୀ ସଦାଶିବ ସଂସ୍କୃତ ମହାବିଦ୍ୟାଳୟରେ ନାଁ ଲେଖାଇଲେ ।

ସେଠାରେ ୪ ବର୍ଷ ପାଠ ପଢି ସାହିତ୍ୟାଚାର୍ଯ୍ୟ ପାସ୍ କଲେ । ପାଠ ପଢା ସମୟରେ ଅର୍ଥ ବାଧକ ସାଜିଥିଲା, ହେଲେ ଅଭୟଙ୍କ ପ୍ରତିଭା ଆଗରେ ତାହା ହାର ମାନିଥିଲା । ସେ ସମୟର ଅଧ୍ୟକ୍ଷ ପଦ୍ମଲୋଚନ ଉପାଧ୍ୟାୟ କଲେଜରୁ ମାସିକ ୨୦ ଟଙ୍କାର ବୃତି ଦେଇଥିଲେ । କଲେଜର ବାର୍ଷିକ ଉତ୍ସବରେ ପାଲା ପରିବେଷଣ କରି ସେ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ । ସେ କାଳିଦାଶଙ୍କ ମେଘଦୂତ କାବ୍ୟର ସଂସ୍କୃତରେ ନୃତ୍ୟ ପରିବେଷଣ କରିଥିଲେ ।

ଏଥିରେ ସାଙ୍ଗ ହରିବନ୍ଧୁ ମିଶ୍ର ଯକ୍ଷ ହୋଇଥିବା ବେଳେ ସେ ଯକ୍ଷ ପତ୍ନୀ ହୋଇଥିଲେ। ଏହି ନୃତ୍ୟ ଏତେ ପ୍ରଭାବଶାଳୀ ଥିଲା ଯେ, ସରକାରଙ୍କ ଲୋକ ସଂପର୍କ ବିଭାଗ ପକ୍ଷରୁ ତାଙ୍କୁ ମାସିକ ୧୦୦ ଟଙ୍କାର ବୃତ୍ତି ମିଳିଲା । ପଢା ଶେଷ ପରେ ହଳଦିଆ ହାଇସ୍କୁଲରେ ମାସିକ ୬୦ ଟଙ୍କା ଦରମାରେ ଅଭୟ ଏକ ବର୍ଷ ଶିକ୍ଷକତା କଲେ।

ପରେ ଗୋଳାପୋଖରୀ ହାଇସ୍କୁଲରେ ୨ ବର୍ଷ ଏବଂ ଇଟାମାଟି ବାମନ ଅବକାଶ ହାଇସ୍କୁଲରେ ୬ ବର୍ଷ କଟାଇଥିଲେ ।

ପାଲା ଗାଉ ଥିବା ଯୋଗୁଁ ସେ ଅନ୍ୟ ଶିକ୍ଷକମାନଙ୍କର ଚକ୍ଷୁଶୂଳ ହେଉଥିଲେ । ୧୯୬୯ ମସିହାରେ ସ୍କୁଲ ସଂପୂର୍ଣ୍ଣ ସରକାରୀ ହୋଇଯିବାରୁ ତାଙ୍କର ବଦଳି ହେଲା, ଚାଲିଗଲେ ପୁରୀ ଜିଲ୍ଲା ଗୋପ ହାଇସ୍କୁଲକୁ ।

ସେଠାରେ ୫ ବର୍ଷ କଟାଇ ଆସିଲେ ଖୋର୍ଦ୍ଧା ବାଳିକା ଉଚ୍ଚ ବିଦ୍ୟାଳୟକୁ । ସେଠାରେ ସେ ଦୀର୍ଘ ୧୭ ବର୍ଷ ରହିଥିଲେ । ଏଠାରେ ତାଙ୍କୁ ପାଲା ଗାଇବାରେ ସେତେଟା ଅସୁବିଧାର ସମ୍ମୁଖୀନ ହେବାକୁ ପଡିନଥିଲା ।

ଉନ୍ନତମାନର ପାଲା ପରିବେଷଣ ପାଇଁ ଅନେକ ଅନୁଷ୍ଠାନ ପକ୍ଷରୁ ସେ ପୁରସ୍କୃତ ଓ ସମ୍ବର୍ଦ୍ଧିତ ହୋଇଛନ୍ତି । ବହୁ ଉପାଧି ମଧ୍ୟ ତାଙ୍କୁ ମିଳିଛି ।

୨୦୦୯ ମସିହା ମାର୍ଚ୍ଚ ୧୬ ତାରିଖରେ ପୁରୀ ଦୋଳବେଦୀ ପାଲା ମଣ୍ଡପ ପକ୍ଷରୁ ତାଙ୍କୁ ଗାୟକ ସମ୍ରାଟ ଉପାଧି ପ୍ରଦାନ କରାଯାଇଥିଲା ।

Comments are closed.