Latest Odisha News

ପାଲା ଜଗତର ବିସ୍ମୟ ଗାୟକ କାବ୍ୟାଳଙ୍କାର ଶଶିଭୂଷଣ ନନ୍ଦଶର୍ମା

ଭୁବନେଶ୍ୱର: ସାରସ୍ୱତ ସାଧକ ତଥା ପାଲା ଜଗତର ବିସ୍ମୟ ଗାୟକ କାବ୍ୟାଳଙ୍କାର ଶଶିଭୂଷଣ ନନ୍ଦଶର୍ମା ୧୯୪୪ ମସିହା ଏପ୍ରିଲ ମାସ ୭ ତାରିଖରେ ଜଗତସିଂହପୁର ଜିଲ୍ଲା ପାରାଦ୍ୱୀପ ଥାନା ଅନ୍ତର୍ଗତ ଗଙ୍ଗାଧରପୁରଶାସନରେ ଏକ ନୈଷ୍ଠିକ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ । ବାପା ପଣ୍ଡିତ ଗୋପାଳଚନ୍ଦ୍ର ନନ୍ଦ ଓ ମାଆ ଚମ୍ପାଦେବୀଙ୍କର ୩ଟି ସନ୍ତାନ ମଧ୍ୟରେ ଶଶିଭୂଷଣ ଥିଲେ ସର୍ବକନିଷ୍ଠ । ଶଶିଭୂଷଣଙ୍କୁ ଯେତେବେଳେ ମାତ୍ର ଦେଢ ବର୍ଷ ମାଆ ଚମ୍ପାଦେବୀ ବସନ୍ତ ରୋଗରେ ପଡି ଆରପାରିକୁ ଚାଲିଗଲେ । ଏହି କୁନିକୁନି ଶିଶୁମାନଙ୍କର ସମସ୍ତ ଲାଳନ ପାଳନ ଭାର ପଡିଲା ପିତା ଗୋପାଳଚନ୍ଦ୍ରଙ୍କ ଉପରେ ।

ଗୋପାଳଚନ୍ଦ୍ର ନନ୍ଦ ମଧ୍ୟ ସ୍ୱଳ୍ପ ସମୟ ପାଇଁ ପାଲା ଗାୟକର ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ । ହେଲେ ପତ୍ନୀ ବିୟୋଗ ପରେ ପାରିବାରିକ ଅସୁବିିଧା ତାଙ୍କୁ ସବୁଦିନ ପାଇଁ ପାଲା ଗାୟକ ଜୀବନରୁ ଦୂରେଇ ଦେଇଥିଲା । ନିଜର ଏହି ଅଧୁରା ସ୍ୱପ୍ନକୁ ସାକାର କରିବା ପାଇଁ ଗୋପାଳଚନ୍ଦ୍ରଙ୍କ ନଜରରେ ପଡିଥିଲେ କନିଷ୍ଠ ପୁତ୍ର ଶଶିଭୂଷଣ । ପିଲାଟି ଦିନରୁ ଶଶିଭୂଷଣ ଅପୂର୍ବ ଧୀଶକ୍ତି ସମ୍ପନ୍ନ, ବାକ୍ ପଟୁତାରେ ପାରଦର୍ଶୀ, କୌଣସି କଥାକୁ ସହଜରେ ମନେ ରଖି ପାରୁଥିଲେ । ଏସବୁକୁ ଦୃଷ୍ଟିରେ ରଖି ପିତା ଗୋପାଳଚନ୍ଦ୍ର ପୁଅ ଶଶିଭୂଷଣଙ୍କୁ ଅନେକ ସଂସ୍କୃତକାବ୍ୟ, ମହାକାବ୍ୟ, ନାଟକ ଆଦି ପଢିବା ପାଇଁ ଦେଉଥିଲେ । ନିଜେ ଗୁରୁର ଭୂମିକାରେ ପୁଅର ସମସ୍ତ ସମସ୍ୟାର ସମାଧାନ କରିି ଦେଉଥିଲେ ।

ସପ୍ତମ ଶ୍ରେଣୀ ପଢା ଶେଷହେବା ପୂର୍ବରୁଶଶିଭୂଷଣ ଅନେକକାବ୍ୟ, ନାଟକ, ମହାକାବ୍ୟରଶ୍ଲୋକ ଅକ୍ଳେଶରେ କଣ୍ଠସ୍ଥ କରିସାରିଥିଲେ ଓ ଏହାର ଭାବାର୍ଥ ମଧ୍ୟ ଅତି ସୁନ୍ଦରଭାବେ କରିପାରୁଥିଲେ । ଏହାବ୍ୟତୀତ ମହାନାଟକ, ଆଧ୍ୟାତ୍ମରାମାୟଣ, ବୈରାଗ୍ୟଶତକ, ଅମରକୋଶ ଓ ରୀତି ଯୁଗୀୟ ସାହିତ୍ୟ ସବୁକୁ କରାୟତ କରି ସାରିଥିଲେ । ସେତେବେଳେ ଗଙ୍ଗାଧରପୁର ଶାସନରେ ଅବସ୍ଥାନ କରୁଥିବା ମହାନ ସଂସ୍କୃତ ପଣ୍ଡିତ ଶ୍ରୀପୁରୁଷୋତମ କର ମହୋଦୟଙ୍କର ପରାମର୍ଶକ୍ରମେ ଶଶିଭୂଷଣଙ୍କୁ ପାଲା ଗାୟକ କରିବାର ଦିନ ଧାର୍ଯ୍ୟ କରାଗଲା । ଯେତେବେଳେ ଶଶିଭୂଷଣଙ୍କୁ ମାତ୍ର ୧୪ ବର୍ଷ ଗ୍ରାମର ପ୍ରସିଦ୍ଧ ଶିବ ମନ୍ଦିର ଶ୍ରୀସ୍ୱପ୍ନେଶ୍ୱର ମହାଦେବଙ୍କ ପ୍ରାଙ୍ଗଣରେ ଶଶିଭୂଷଣ ଗୁରୁ ପୁରୁଷୋତମ କରଙ୍କ ହାତରୁ ଚାମର ଗ୍ରହଣ କର ିଗାୟକ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ ।

ଶଶିଭୂଷଣଙ୍କ ବାପା ଗୋପାଳଚନ୍ଦ୍ର ନନ୍ଦ ଏକାଧାରରେ ଜଣେଗାୟକ, ପଣ୍ଡିତ, ସାହିତ୍ୟିକ, ସମାଲୋଚକ ଓ ସୁୁକବି ମଧ୍ୟ ଥିଲେ । ନିଜର ସମସ୍ତଜ୍ଞାନ ଗାରିମାକୁ ପୁଅ ମାଧ୍ୟମରେ ପରିପ୍ରକାଶ କରିବା ପାଇଁ ସେ ଯଥାସାଧ୍ୟ ଉଦ୍ୟମ କରିଥିଲେ । ପୁଅ ଶଶିଭୂଷଣଙ୍କୁ ବିଭିନ୍ନ ସଂସ୍କୃତକାବ୍ୟ ଓ ମହାକାବ୍ୟରୁ ସରଳ ଓଡିଆ ଅନୁବାଦ କରିଦେଉଥିଲେ ଗୋପାଳଚନ୍ଦ୍ର । ଏହା ବ୍ୟତୀତ କ୍ଳିଷ୍ଟ ଶ୍ଲୋକସବୁର ମଧ୍ୟ ସେ ଅତିସୁନ୍ଦରଭାବାର୍ଥ କରିଦେଉଥିଲେ । ଏହିପରିଭାବରେ ପୁଅକୁଜଣେବିଦ୍ୱାନ ପାଲାଗାୟକକରିବାରେ ପିତାଗୋପାଳଚନ୍ଦ୍ରଙ୍କରଭୂମିକା ଥିଲାଗୁରୁତ୍ୱପୂର୍ଣ୍ଣ ।

ଯୋଗ୍ୟ ପିତାଙ୍କର ସୁଯୋଗ୍ୟ ଦାୟାଦ ଭାବରେ ଶଶିଭୂଷଣ ଆଉ ପଛକୁ ଫେରି ଚାହିଁନଥିଲେ । ସେଖୁବ୍କମ୍ସମୟ ମଧ୍ୟରେ ପାଲା ଜଗତରେ ଜଣେ ଅଦ୍ୱିତୀୟ ଓ ଅପ୍ରତିଦ୍ୱନ୍ଦ୍ୱୀ ଗାୟକ ଭାବେ ଉଭା ହୋଇଥିଲେ । ତାଙ୍କ ପାଲାରେ ସଂସ୍କୃତ ସାହିତ୍ୟ ଥିଲା ପ୍ରମୁଖ ଅଙ୍ଗ । ବିଶେଷକରି ମହାନାଟକମ୍, କୁମାରସମ୍ଭବମ୍, ରଘୁବଂଶମ୍, ନୈଷଧୀୟ ଚରିତମ୍, କିରାତାର୍ଜୁନୀୟମ୍, ମାଘକାବ୍ୟ, ଭଟ୍ଟିକାବ୍ୟ ଅନ୍ୟତମ । ଏହାବ୍ୟତୀତରୀତି ଯୁଗୀୟକାବ୍ୟକବିତାରେ ମଧ୍ୟ ସେ ଅନନ୍ୟ ଥିଲେ । ବୈଦେହୀଶ ବିଳାସ, ଲାବଣ୍ୟବତୀ, କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ, ଅବନାରସ ତରଙ୍ଗ, ପ୍ରେମ ସୁଧାନିଧି, ରସ-କଲ୍ଲୋଳ, ବିଦଗ୍ଧ ଚିନ୍ତାମଣି, ରାଘବ-ବିଳାସ, ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ର ଆଦିରେ ତାଙ୍କର ଗଭୀର ପ୍ରବେଶ ଥିଲା । ରାଧାନାଥ ସାହିତ୍ୟ, ମେହେର ସାହିତ୍ୟ, ବସୁସାହିତ୍ୟ ସହ ଜୟଦେବଙ୍କର ଶ୍ରୀଗୀତଗୋବିନ୍ଦ ଗାୟନରେ ମଧ୍ୟ ସେ ସମସ୍ତଙ୍କ ମାନସରେ ଚୀର ସ୍ମରଣୀୟ ହୋଇ ରହିବେ ।

ପାଲା ମାଧ୍ୟମରେ ଅଭିନୟ ଓ ବିଭିନ୍ନରସ ପରିବେଷଣରେ ମଧ୍ୟ ଶଶିଭୂଷଙ୍କର ସ୍ଥାନ ସ୍ୱତନ୍ତ୍ର । ତକ୍ରାଳୀନ ଗାୟକ ସମ୍ରାଟ୍ ବେଷ୍ଣବ ଚରଣ ପ୍ରଧାନଙ୍କ ସହ ଶଶିଭୂଷଣଙ୍କର ପ୍ରଥମ ପାଲାଗାୟନର ଅନୁଭୂତି ଥିଲା ନିଆରା । ପ୍ରଥମ ଦେଖାରେ ପ୍ରଧାନ ମହୋଦୟଙ୍କୁ ପ୍ରଣାମ ଜଣାଇବାରୁ ସେ ଶୁଭାଶୀର୍ବାଦ କରିଜଣେ ଭଲ ପାଲା ଗାୟକହୁଅ ବୋଲି କହିଥିଲେ । ଏହାପରେ ପରୀକ୍ଷା ସ୍ୱରୂପ କହିଥିଲେ, ମୁଁ ଆଜି ନଳ ଦମୟନ୍ତୀ (ନୈଷଧ) ଗାଇବି । ଅଧାରୁ ବିଷୟ ଛାଡିବି । ତୁମେ ପୂରଣ କରିପାରିବ ତ । ଏହାରଉତରରେଶଶିଭୂଷଣହଁ କୁହନ୍ତେ, କେତେ ଶ୍ଲୋକ ଜାଣିଛ ବୋଲି ବୈଷ୍ଣବ ପ୍ରଧାନ ପ୍ରଶ୍ନ କରିଥିଲେ । ଶଶିଭୂଷଣ ୧୨୨ ଶ୍ଲୋକ ଜାଣିଛି କୁହନ୍ତେ, ବୈଷ୍ଣବ ପ୍ରଧାନ ଆଶ୍ଚର୍ଯ୍ୟ ପ୍ରକଟ କରି କହିଲେ, ମୁଁ ମାତ୍ର ୯୦ ଶ୍ଲୋକ ଜାଣିଥିବା ସ୍ଥଳେ ତୁମେ ୧୨୨ ଶ୍ଲୋକ ଜାଣିଛ ।

ସେହିପରି ଗାୟକ ଶେଖର ଜଗନ୍ନାଥ ବେହେରା କହୁଥିଲେ, କୁଜଙ୍ଗରେ ଜଣେ ପ୍ରତିଭାବାନ୍ ଗାୟକଙ୍କର ଆବିର୍ଭାବ ହୋଇଛି । ଆଶୀର୍ବାଦ କରୁଛି ତୁମେ ତୁମ ଲକ୍ଷ୍ୟ ପଥରେ ସଫଳ ହୁଅ । ଶଶିଭୂଷଣ ନନ୍ଦଶର୍ମା ନିଜ ପାଲା ଜୀବନରେ ରାଜ୍ୟର ପ୍ରାୟ ସମସ୍ତ ପ୍ରତିଷ୍ଠିତ ମଂଚରେ ପାଲା ପରିବେଷଣକରି ସୁନାମ ଅର୍ଜନ କରିଛନ୍ତି । ତାଙ୍କ ସମୟର ସମସ୍ତ ପ୍ରତିଷ୍ଠିତ ଗାୟକଙ୍କ ସହ ବାଦୀପାଲାରେ ଅବତୀର୍ଣ୍ଣ ହୋଇ ସଫଳ ହୋଇଛନ୍ତି । ରାଜ୍ୟର ବିଭିନ୍ନ ଅନୁଷ୍ଠାନ ତରଫରୁ ସମ୍ମାନୀତ ଓ ସମ୍ବର୍ଦ୍ଧିତ ହୋଇଛନ୍ତି । ଏବେ ୭୫ ବର୍ଷରେ ପଦାର୍ପଣ କରିଥିଲେ ମଧ୍ୟ ଯୁବସୁଲଭ ଗୁଣରେ ପାଲା ପରିବେଷଣ କରୁଛନ୍ତି । ଯଦିଓ ବୟସ ଆଉ ସାଥ୍ ଦେଉନି, ହେଲେ ସେ ପାଲାକୁ ଛାଡି ପାରୁନାହାନ୍ତି ।

ଏବେର ପାଲାକୁ ନେଇ ଓ ପାଲାର ଭବିଷ୍ୟତକୁ ନେଇ ଚିନ୍ତିତ ଶଶିଭୂଷଣ । ଧୀରେଧୀରେ ପାଲା ପ୍ରତି ଲୋକମାନଙ୍କର ଅଭିରୁଚି କମିଯାଉଛି । ଗାୟକମାନେ ଉପଯୁକ୍ତ ଭାବରେ ପାଲା ପରିବେଷଣ କରିପାରୁ ନାହାଁନ୍ତି । ଗାୟକମାନେ ପ୍ରାଚୀନକାବ୍ୟ, ଶାସ୍ତ୍ର ଆଦିରେ ପ୍ରବେଶ କରିବାକୁଚାହୁଁନାହାଁନ୍ତି । ଯୁବ ଗାୟକମାନେ ମଧ୍ୟ ସାଧନା ବିମୁଖ ହେଉଛନ୍ତି, ଯାହା ଫଳରେ ଦର୍ଶକଙ୍କ ହୃଦୟକୁ ଛୁଇଁଲା ଭଳି ପାଲା ପରିବେଷଣ କରି ପାରୁନାହାଁନ୍ତି । ତେଣୁ ଯୁବ ଗାୟକମାନେ ଉପଯୁକ୍ତ ସାଧନା କରନ୍ତୁ ଯାହାଦ୍ୱାରା ସେମାନେ ପାଲାପ୍ରେମୀଙ୍କ ମନ ରାଜ୍ୟରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିବେ ବୋଲି କହନ୍ତି ଶଶିଭୂଷଣ ।

Leave A Reply

Your email address will not be published.