Latest Odisha News

BREAKING NEWS

ପବିତ୍ର ଧନୁସଂକ୍ରାନ୍ତିରୁ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ଆରମ୍ଭ ହେଲା ‘ପହିଲି ଭୋଗ’ ନୀତି

ପୁରୀ: ବିଶ୍ୱପ୍ରସିଦ୍ଧ ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଆଜି ପବିତ୍ର ଧନୁ ସଂକ୍ରାନ୍ତି ଅବସରରେ ଆରମ୍ଭ ହୋଇଛି ‘ପହିଲି ଭୋଗ’ ନୀତି । ଆଜି ମୁଆଁ ସଂକନ୍ତି ବା ପବିତ୍ର ଧନୁ ସଂକ୍ରାନ୍ତି ଅବସରରେ ହଜାର ହଜାର ଶ୍ରଦ୍ଧାଳୁ ଶ୍ରୀମନ୍ଦିରରେ ପହିଲି ଭୋଗ ପ୍ରସାଦ ସେବନ କରି ନିଜକୁ କୃତାର୍ଥ କରିଛନ୍ତି ।

ଆଜି ଶ୍ରୀମନ୍ଦିର ଏହି ବିଶେଷ ନୀତି ପାଳନ ଅବସରରେ ମନ୍ଦିର ଭୋର ୩ଟା ସମୟରେ ଖୋଲାଯାଇଥିଲା ଏବଂ ରାତ୍ରୀ ୧୧ ଘଟିକା ପର୍ଯ୍ୟନ୍ତ ଏହି ନୀତି ପାଳନ ହେବାର ସୂଚନା ମିଳିଛି ।

ଏହି ପାରମ୍ପରିକ ନୀତି ଆସନ୍ତା ଜାନୁଆରୀ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଛତିଶା ନିଯୋଗର ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ଗଣମାଧ୍ୟମକୁ ଜଣାଇଛନ୍ତି ।

ଛତିଶା ନିଯୋଗର ଏହି ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ, ଶ୍ରୀମନ୍ଦିର ମୁଖ୍ୟଦ୍ୱାର ଭୋର ୩ଟା ସମୟରେ ଖୋଲାଯାଇଛି, ତେବେ ଭୋର ୩.୪୫ ସୁଦ୍ଧା ମଙ୍ଗଳଆରତୀ ଏବଂ ରୋଷହୋମ ନୀତି ସମ୍ପନ୍ନ ହୋଇଛି । ସେହିପରି ମଇଲମ, ତଡ଼ପଲାଗି ଏବଂ ଅବକାଶ ଲାଗି ନୀତି ଶ୍ରୀଜୀଉମାନଙ୍କର ସକାଳ ୫ଟା ସୁଦ୍ଧା ସୂଚାରୁରୁପେ ଅନୁଷ୍ଠିତ ହୋଇଥିଲା ।

ଆଜି ଏହି ଧନୁ ସଂକ୍ରାନ୍ତି ଅବସରରେ ସକାଳ ୬.୨୦ ସମୟରେ ଶ୍ରୀଜୀଉମାନଙ୍କ ନିକଟରେ ପହିଲି ଭୋଗ ଅର୍ପଣ କରାଯାଇ ଏହା ସକାଳ ୬.୫୦ ପର୍ଯ୍ୟନ୍ତ ନୀତି କାର୍ଯ୍ୟ ଚାଲୁରହିଥିଲା ।

ଏହି ବୈଠକର ନିଷ୍ପତ୍ତି ଅନୁଯାୟୀ ଜାନୁଆରୀ ୧ ତାରିଖ ଦିନ ରାତି ୨ଟା ବେଳେ ଶ୍ରୀମନ୍ଦିର ଶ୍ରଦ୍ଧାଳୁମାନଙ୍କ ଦର୍ଶନ ନିମନ୍ତେ ଦ୍ୱାରା ଫିଟାଯାଇ ଖୋଲାରହିବ । ସେହିପରି ଡ଼ିସେମ୍ବର ୩୧ ତାରିଖରେ ରାତି ୯.୩୦ ସମୟରେ ପହଡ଼ ନୀତି ସମ୍ପନ୍ନ ହେବାକୁ ଛତିଶା ନିଯୋଗ ବୈଠକରେ ସର୍ବସମ୍ମତ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ଏହି ବୈଠକରେ ଶ୍ରଦ୍ଧାଳୁମାନଙ୍କ ଦାନ ଅର୍ପଣରେ ନାଟ ମଣ୍ଡପର ମରାମତି କାର୍ଯ୍ୟ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଛି ।

ଏଠାରେ ଉଲ୍ଲେଖଯୋଗ୍ୟ, ଗୋପାଳ ବଲ୍ଲଭ ଭୋଗ ସହିତ ପହିଲି ଭୋଗ ଶ୍ରୀଜୀଉମାନଙ୍କୁ ଅର୍ପଣ କରାଯାଇଥାଏ । ଓଡ଼ିଆ ପଞ୍ଜିକା ଅନୁସାରେ ଧନୁସଂକ୍ରାନ୍ତି ଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଶ୍ରୀଜୀଉମାନଙ୍କୁ ସକାଳ ସମୟରେ ଏହି ପାରମ୍ପରିକ ପହିଲିଭୋଗ ଅର୍ପଣ କରାଯିବାର ଶ୍ରୀମନ୍ଦିରରେ ପରମ୍ପରା ରହିଛି ।

Leave A Reply

Your email address will not be published.