ଏ ଓଡିଶାକୁ ଉଜାଡି ଦେଲା କିଏ?
ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର…
ଓଡିଶା ପ୍ରାକୃତିକ ପ୍ରାଚୁର୍ଯ୍ୟରେ ପରିପୂର୍ଣ୍ଣ । ଅଥଚ ଆମ ରାଜ୍ୟ ଦରିଦ୍ର, ଅନଗ୍ରସର, ପଛୁଆ – ଏଇ କଥା ଶୁଣି ଶୁଣି କାନ ତାବ୍ଦା ହୋଇଗଲାଣି । ସମସ୍ତେ କାନ୍ଦୁଛନ୍ତି, କିନ୍ତୁ କାହା ଆଖିରୁ ଲୁହ ବୁନ୍ଦେ ବହୁ ନାହିଁ । କୁମ୍ଭୀର କାନ୍ଦଣା । ଆମ ଜାଣିବା ଶୁଣିବା ବୋଲାଇ ହେଉଥିବା ନେତା-ବକ୍ତାମାନଙ୍କ ଘଡଘଡିନିନ୍ଦୀ ରଡିରେ ବରାବର ଘୋଷଣା କରାଯାଏ – ଦେଶୀବିଦେଶୀ ବ୍ୟବସାୟୀମାନେ ଓଡିଶାର ପ୍ରାକୃତିକ ସମ୍ପଦ, ଶସ୍ତା ଶ୍ରମ, ଜମି, ଜଳ ଉପରେ ଅଧିକାର ସାବ୍ୟସ୍ତ କରି ଆମକୁ ଦରିଦ୍ର ବୋଲି ଭାବିନେଇ ଖାତିର କରୁନାହାନ୍ତି । ବାସ୍ତବରେ ଆମର ପ୍ରିୟ ରାଜ୍ୟ ଓଡିଶା କ’ଣ ସତରେ ଦରିଦ୍ର ? ନା, ଦାରିଦ୍ର ନୁହେଁ, ବରଂ ପ୍ରତାରିତ ! ଏଥିପାଇଁ ଦାୟୀ କିଏ ? ପ୍ରାକୃତିକ ସମ୍ପଦରେ ଭରପୂର ଓଡିଶା ଦରିଦ୍ର କାହିଁକି ?କେବେ ଓଡିଶାବାସୀ ନିଦରୁ ଉଠିବେ ? କେବେ ନିଜ ଅଧିକାର ସାବ୍ୟସ୍ତ କରିବେ ? କେବେ… କେବେ… କେବେ… !!
ଆମର ଏ ପ୍ରିୟ ରାଜ୍ୟ ଓଡିଶା ଖଣିଜ, ବନ, ଜଳ ସମ୍ପଦର ବିଶାଳ ଭଣ୍ଡାର । କିନ୍ତୁ ଶିଳ୍ପ ଓ କୃଷି କ୍ଷେତ୍ରରେ ଆଶାନୁରୂପ ଅଗ୍ରସର ହୋଇପାରୁନାହିଁ । ଓଡିଶା ଏକ କୃଷିପ୍ରଧାନ ରାଜ୍ୟ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଅଧିକାଂଶ ଜମିରେ ବର୍ଷକୁ ଗୋଟିଏ ଫସଲ ଅମଳ ହୁଏ । ତା’ ପୁଣି ବର୍ଷାର ଦୟା ଉପରେ ନିର୍ଭର କରେ । ଜଳର ପ୍ରାଚୁର୍ଯ୍ୟ ଥିଲାବେଳେ ଜଳସେଚନର ସୁବିଧା ନାହିଁ । ବଢି ମରୁଡିରେ କବଳିତ ଓଡିଶାର ଚାଷୀ ଓ କୃଷି ଶ୍ରମିକ ନିହାତି ହୀନିମାନିଆ ଅବସ୍ଥାରେ ଦିନ କଟାନ୍ତି । ଚାରିଆଡେ ନଦୀନାଳ, ମାଟି ତଳେ ପାଣି, ମାଟି ଉପରେ ପାଣି, କିନ୍ତୁ ଚାଷ ଜମିକୁ ଜଳ ନାହିଁ । ଏପର୍ଯ୍ୟନ୍ତ ଜଳ ଭଣ୍ଡାର ଓ ଜଳସେଚନରୁ ଯାହାକିଛି ଜମି ଚାଷ କରାଯାଇଛି, ତାହା ନଗଣ୍ୟ । ଯେ ପର୍ଯ୍ୟନ୍ତ ଚାଷ ପାଇଁ ଜଳସେଚନର ବ୍ୟବସ୍ଥା କରାନଯାଇଛି, ସେ ପର୍ଯ୍ୟନ୍ତ କୃଷିର ବିକାଶ ହେବା ଅସମ୍ଭବ । କୃଷିର ବିକାଶ ନହେଲେ ଦାରିଦ୍ର୍ୟ ଘୁଂଚିବ କିପରି ?
ଓଡିଶାରେ ଛୋଟ ଚାଷୀ, ଭୂମିହୀନଙ୍କ ସଂଖ୍ୟା ବଢିବାରେ ଲାଗିଛି । ଯେଉଁମାନଙ୍କ ପାଖରେ ଅଳ୍ପ ଜମି ଅଛି – ସେମାନେ ସମ୍ଭବ, କୌଶଳ ଖଟାଇ ଚାଷ ଉଠାଇବା କଷ୍ଟକର ହୋଇପଡିଛି । ଜମି ଧୀରେ ଧୀରେ ବଡ ଚାଷୀ ଓ ଶିଳ୍ପପତିମାନଙ୍କ ଦ୍ୱାରା କବଳିତ ହେବାରେ ଲାଗିଛି । ଚାଷରୁ ଲାଭ ପାଉନାହାନ୍ତି ବୋଲି ଅଧିକାଂଶ ଗ୍ରାମରୁ ଲୋକମାନେ କାମଧନ୍ଦା ଅନ୍ୱେଷଣରେ ଓଡିଶା ବାହାରକୁ ପଳାଇ ଯାଉଛନ୍ତି ।
ଅନ୍ୟ ରାଜ୍ୟ ତୁଳନାରେ ଓଡିଶା ଖଣିଜ ସମ୍ପଦରେ ଈର୍ଷଣୀୟ ଆସନର ଅଧିକାରୀ । ଏବେ ୪୦ଟି କମ୍ପାନୀ ଇସ୍ପାତ ଶିଳ୍ପ ପାଇଁ ଧାଡି ଲଗାଇଛନ୍ତି । ଆମ ଖଣି ଉପରେ ତାଙ୍କ ଲୋଲୁପ ଦୃଷ୍ଟି । କଳେବଳେ-ଛଳେ-କଉଶଳେ ଖଣି ହାତେଇବାରେ ବ୍ୟସ୍ତ । ଓଡିଶାରେ ଯେଉଁ କେତୋଟି ଶିଳ୍ପ ଗଢିଉଠିଛି, ସେଥିରେ ନିତାନ୍ତ ମାନ୍ଦାବସ୍ଥା । ବହୁ ଶିଳ୍ପ, କଳ-କାରଖାନା, ଖଣି-ଖାଦାନ ବନ୍ଦ ହୋଇଗଲାଣି । କାମ କରୁଥିବା ଲୋକେ ତ ଛଟେଇ ହେବାର ପ୍ରକ୍ରିୟା ଜାରି ରହିଛି, ନୂଆ ଲୋକଙ୍କୁ କାମ ମିଳିବ କେଉଁଠୁ ? କୃଷିରେ ମାନ୍ଦା, ଶିଳ୍ପରେ ମାନ୍ଦା ହେଲେ ରାଜ୍ୟର ପ୍ରଗତି ସମ୍ଭବ କି ?ଯେଉଁ ଦେଶର ଖଣିଜ ସମ୍ପଦ ବିଦେଶକୁ ରତ୍ପାନୀ ହୁଏ, ସେ ଦେଶର ଲୋକଙ୍କ ଅର୍ଥନୈତିକ ଅବସ୍ଥା ସୁଧୁରେ ନାହିଁ । କଳକାରଖାନା ଗଢି ନଉଠିଲେ, କୃଷିର ବିକାଶ ନହେଲେ, ଏବଂ କର୍ମନିଯୁକ୍ତି ସୃଷ୍ଟି ନହେଲେ, ଲୋକେ ଅଭାବରେ ପଡି ସ୍ୱଭାବ ନଷ୍ଟ କରିବେ ହିଁ କରିବେ ।
ଓଡିଶାବାସୀଙ୍କ ପାଖରେ ଖାଦ୍ୟ, ଜଳ, ଶିକ୍ଷା, ସ୍ୱାସ୍ଥ୍ୟ, ବାସଗୃହ ଓ ଯୋଗାଯୋଗ ପରି ଅତ୍ୟାବଶ୍ୟକ ସୁବିଧା ପହଂଚି ପାରି ନାହିଁ । ଏହିସବୁ ସୁବିଧା ସୃଷ୍ଟି କରିବାରେ କିଛି ଅସୁବିଧା ନାହିଁ । କେବଳ ଆନ୍ତରିକ ଇଚ୍ଛାଶକ୍ତିର ହିଁ ଯାହା ଅଭାବ । ସ୍ୱାଧୀନତା ପରେ ଯେତେ ଦଳ ବା ସରକାର ଶାସନ କଲେ, ଆଜି ବି କରୁଛନ୍ତି – ଅଛନ୍ତି, ସେମାନେ ଦେଶପ୍ରେମ, ଜାତିପ୍ରେମ ବଦଳରେ କେବଳ ‘ଆତ୍ମପ୍ରେମ’ ଓ ‘ଆତ୍ମୀୟପ୍ରେମ’ରେ ମଜ୍ଜିଗଲେ । ନିଜେ ଧନୀ ହେଲେ, ଓଡିଶାବାସୀଙ୍କୁ କିନ୍ତୁ ସୀମାହୀନ ଦାରିଦ୍ର୍ୟର କଷାଘାତରେ ଜର୍ଜରିତ କଲେ । ରାଜନୈତିକ ଶଠତା ଭଣ୍ଡାମୀରେ ବୁଡିଗଲେ । ଅର୍ଥନୈତିକ ଶୋଷଣ, ସାମାଜିକ ଅବିଚାର, ସାଂସ୍କୃତିକ ବ୍ୟଭିଚାରରେ ରାଜ୍ୟବାସୀ ଅତିଷ୍ଠ ହୋଇଗଲେଣି । ସମସ୍ତେ ନିଜ ନିଜ ସ୍ୱାର୍ଥରେ ମଜ୍ଜି ଯାଉଛନ୍ତି । ରାଜ୍ୟବାସୀଙ୍କ କଥା ଚିନ୍ତା କରିବାକୁ ବେଳ କାହିଁ ? ପୁନଶ୍ଚ ଜ୍ଞାନ, ଅଭିଜ୍ଞତା ଓ ଆଭିମୁଖ୍ୟର ପ୍ରଚଣ୍ଡ ଦୁର୍ବଳତା ଯୋଗୁଁ ଓଡିଶାରୁ ଯୋଗ୍ୟଲୋକ ବାହାରି ପାରୁନାହାନ୍ତି । କିଛି ଅଯୋଗ୍ୟ ଲୋକଙ୍କୁ ବାରମ୍ବାର ଯୋଗ୍ୟ ବୋଲି ଯେତେ ପ୍ରଚାର କଲେ, କେବଳ ଲୋକହସା ହେବା ହିଁ ସାର ହେଉଛି । ସତ କଥା କହିଲେ, କ୍ରୋଧର ଶିକାର ହେବାକୁ ପଡୁଛି । ଯେଉଁମାନେ ଭଲ ଲୋକ, ସେମାନେ ଚୁପ୍ଚାପ୍ ବସୁଛନ୍ତି । ପୁଞ୍ଜିବାଦୀ ଲୋକମାନେ ରାଜନୀତି, ଅର୍ଥନୀତି, ସମାଜନୀତି ଓ ସଂସ୍କୃତିକୁ ଜାବୁଡି ଧରି ନିଜ ସ୍ୱାର୍ଥରେ ଲଗାଇଛନ୍ତି । ଶ୍ରମଜୀବୀ-କର୍ମଜୀବୀମାନେ ସଂଗଠିତ ହୋଇପାରୁନାହାନ୍ତି । ପ୍ରତିବାଦ, ପ୍ରତିରୋଧର ସ୍ୱର ଅତ୍ୟନ୍ତ କ୍ଷୀଣ । ଏମିତି ଚାଲୁଥିଲେ ଓଡିଶା ପଛରେ ପଡି ରହିବାକୁ ବାଧ୍ୟ । ବ୍ରିଟିଶ୍ ଭାରତକୁ ଯେତେବେଳେ ପରାଧୀନ କରି ରଖିଥିଲା, ସେତେବେଳେ ଆମର ବିକାଶ ବାଧାପ୍ରାପ୍ତ ହେଉଥିଲା । ଏବେ ଦେଶ ବହୁ ବର୍ଷ ହେଲା ସ୍ୱାଧୀନ ହେଲାଣି । ଆମେ ସବୁ ଠକି ଯାଉଛେ, ବହୁ ଲୋକଙ୍କ ଅନ୍ତରାତ୍ମା କାନ୍ଦୁଛି । ଆମେ କେହି କାହା ସହିତ ଏକମେଳ ହୋଇ କାମ କରିବାକୁ ପ୍ରସ୍ତୁତ ନୋହୁଁ । ଆମେ ସବୁ ଡରୁଆ ହୋଇଯାଉଛୁ … କିମ୍ବା ସୀମିତ-ସଂକୀର୍ଣ୍ଣ ଦୃଷ୍ଟିଭଙ୍ଗୀ ଯୋଗୁଁ ଗବଗଛ ଭଳି ନିଜକୁ ମହାଦ୍ରୁମ ଭଳି ଭାବୁଛୁ ।
ଆଜି ଓଡିଶାରେ ଯେଉଁ ଆଡକୁ ଅନାଇବା, ସେଆଡେ ଗଦା ଗଦା ସମସ୍ୟା । ପ୍ରକୃତିର ଗନ୍ତାଘର ଓଡିଶା ଆଜି ସମସ୍ୟାର ଗୋଦାମଖାନାରେ ପରିଣତ ହୋଇଛି । ସମସ୍ୟା ସମାଧାନ କରିବା ଦିଗରେ କୌଣସି ଚିନ୍ତା ନାହିଁ । ସମସ୍ୟା ସୃଷ୍ଟି କରିବାରେ ବରଂ ଆମର ତଥାକଥିତ ମଙ୍ଗୁଆଳମାନେ ଧୁରନ୍ଧର । ନାରୀ ନିର୍ଯାତନା, ଧର୍ଷଣ, ହତ୍ୟା, ଧର୍ମ ନାଆଁରେ ଅଧର୍ମ କର୍ମ କରିବାରେ ଓଡିଶା ପୃଥିବୀରେ ନାଁ କରିଗଲା ! ଆମ ‘କରିତ୍କର୍ମା’ ନେତାମାନେ ଦୁରଦର୍ଶନ, ସମ୍ବାଦପତ୍ର ପରି ଗଣମାଧ୍ୟମମାନଙ୍କରେ ଘନ ଘନ ଦୃଶ୍ୟମାନ ହେଲେ ।
ଆଜି ମୁରବୀଙ୍କ ସଂଖ୍ୟା ବଢୁଛି, ମାତବରଙ୍କ ସଂଖ୍ୟା ବଢୁଛି, ମତଲବୀଙ୍କ ସଂଖ୍ୟା ବଢୁଛି, ମାରି ନେଉଥିବା ‘ମହାପାତ୍ର’ମାନଙ୍କ ସଂଖ୍ୟା ବଢୁଛି । ଆମ ରାଜନୀତିରେ ମଣିମାମାନଙ୍କ ସଂଖ୍ୟା ବଢୁଛି – ମାତ୍ର ଅତି ଶୋଚନୀୟଭାବରେ କମି କମି ଆସୁଛି ଅସଲ ମଣିଷମାନଙ୍କ ସଂଖ୍ୟା । ମୂଲ୍ୟ ବଢୁଛି, କମୁଛି ମୂଲ୍ୟବୋଧ । ଆମ ରାଜନୀତିରେ ରଣପା ଚଢି ବୁଲୁଥିବା ଦଳେ ଲୁଟେରା ଏଠି ଧରିଛନ୍ତି ଶାସନର ଡୋରୀ । ଏମାନେ ବିପ୍ଳବକୁ କରିଛନ୍ତି ବିଜ୍ଞପ୍ତି । ପ୍ରଗତିକୁ କରିଛନ୍ତି ପ୍ରଚାରପତ୍ର । ଆଦର୍ଶକୁ କରିଛନ୍ତି ଗୋଟାଏ ଶସ୍ତା ସରକାରୀ ଇସ୍ତାହାର । ହଁ, ଆଜି ଗଣତନ୍ତ୍ର ପରିଣତ ହୋଇଛି – ଗଚ୍ଚିତରେ – ଗୋଟିଏ ଅଛିଣ୍ଡା ଗଣିତରେ ! ଏମାନେ ମା’ ଓଡିଶାକୁ ଆହୁରି ଦୁଃଖିନୀ କରି ନିଜେ ତୋଳୁଛନ୍ତି ନିଆରା ନଅର – ମାର୍ବଲ୍ ମହଲ ।
ଆମ ଶାସନର ଆସନରେ ଏଯାବତ୍ କେବଳ ଜାରି ରହିଛି ନକଲୀ ନେତୃତ୍ୱର ନବାବୀ ରାଜ୍ । ନିରୀହ ଜନଗଚ୍ଚ ନିଷ୍ଠା ଓ ପତିଆରାକୁ ପୃଷ୍ଠଦେଶରୁ ଯେଉଁ ଚତୁର ଛୁରିକାଘାତର ପର୍ବ ଆରମ୍ଭ ହୋଇଛି, ତାହାର ଅନ୍ତ ପାଇଁ ଯେଉଁମାନେ ସ୍ୱର ଉତୋଳନ କରୁଛନ୍ତି – ସେମାନଙ୍କୁ ଆଖି ପିଛୁଳାକେ, ଖତମ୍ କରିଦେବାର ଜଘନ୍ୟ ଉଦ୍ୟମ ଆଜି ବି ପରିଲକ୍ଷିତ ହେଉଛି । ଆଜି ବି ଅସଲ ନେତୃତ୍ୱ ଅସହାୟ ଅଭିମନ୍ୟୁ ପରି ରାଜନୀତିର ରଣାଙ୍ଗନରେ ଏଇ ତଥାକଥିତ ରଥୀ ମହାରଥୀମାନଙ୍କ ରଚିତ ଚଂଚକତାପୂର୍ଣ୍ଣ ଚକ୍ରବ୍ୟୁହ ମଧ୍ୟରେ ବାଟ ଖୋଜି ପାଉନି ।
କେତେ କଥା ବଖାଣିବା !!ସବୁ କଥା ଘଷରା ହୋଇଗଲାଣି । ରାଜ୍ୟରେ ଦୁର୍ନୀତି କଥା ପଡିଲେ ଆଉ କେହି କିଛି କହୁନାହାନ୍ତି । ଏବେ ଜଳସମ୍ପଦ ଓ କୃଷି ବିଭାଗର ଦୁର୍ନୀତି, ବିହାର ପଶୁଖାଦ୍ୟ ଦୁର୍ନୀତିର ତିନିଗୁଣ ହେବ । ଚାଷୀ ଓ ଜଳ ପାଇଁ ଉଦ୍ଦିଷ୍ଟ ଟଙ୍କାକୁ ମନ୍ତ୍ରୀ, ଯନ୍ତ୍ରୀ, ଠିକାଦାର ଓ ଅଫିସରମାନେ ବେପରୁଆ ଭାବେ ଭାଗବାଂଟ କରିନେଉଥିବା ବ୍ୟାପାରରେ ଚାଷୀକୁଳ ଜଳକା ହୋଇ ଚାହିଁ ରହିଛି । ଏମାନଙ୍କ ଅଶୁଭ ମୈତ୍ରୀ ପାଇଁ ଓଡିଶାର ଚାଷୀକୁଳ ତଳିତଳାନ୍ତ ହୋଇଗଲାଣି । ସବୁ ବିଭାଗରେ ନଖଠୁ ଶିଖାଯାଏଁ ଦୁର୍ନୀତି । ଦୁର୍ନୀତିକୁ ବର୍ତମାନ କରିନିଆଗଲାଣି ଜାତୀୟକରଣ । ଦୁର୍ନୀତିର ଦୁର୍ଦ୍ଦାନ୍ତ ଦୁର୍ଗନାୟକମାନେ ଆଉ କେତେକାଳ ଓଡିଶାକୁ ନିଜର ଜାଗୀର୍ ବା ଜମିଦାରୀ କରି ରଖିଥିବେ ? ଯେଉଁ ଭୂଇଁରେ ନିର୍ଭୟରେ ନାରୀ ଆଜି ବାଟ ଚାଲିପାରେ ନାହିଁ – ମେହନତୀ ମଣିଷ ତା’ ନ୍ୟାର୍ଯ୍ୟ ମର୍ଯ୍ୟାଦା ପାଇପାରେ ନାହିଁ – ବଂଚିତ ଓ ପ୍ରବଂଚିତ ବର୍ଗ ସଠିକ୍ ନ୍ୟାୟ ହାସଲ କରିପାରେ ନାହିଁ, ସେ ଭୂଇଁରେ ଆଜି ବିପ୍ଳବର ବିହନ ବୁଣିବା ପାଇଁ ଅସଲ ମଣିଷମାନେ ମିଳିତ ହେବା ଦରକାର । ଆଜି ଆମରି ଏ ପ୍ରିୟ ଓଡିଶାଭୂଇଁ ଫଟାଭୂଇଁ । ଜମିରେ ଜଳ ନାହିଁ, ଗାଁରେ ବିଶୁଦ୍ଧ ପିଇବା ପାଣି ନାହିଁ, ଅଂଶୁଘାତରେ ଲୋକେ କଲବଲ ହୋଇ ମରୁଛନ୍ତି, ଚାରିଆଡେ ଜଳ ପାଇଁ ହାହାକାର ପଡିଗଲାଣି । କୂଅ ଖୋଳା ଯାଉଛି କାଗଜପତ୍ରରେ – ଏବେ ପାଣି ଟୋପେ ପାଇଁ ହାହାକାର ପଡୁଛି – ମରୁଡିଗ୍ରସ୍ତ ଇଲାକାରେ ଅସହାୟ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି । ଅଭାବ, ଅନଟନରେ ଲୋକେ ଅଶ୍ୱସ୍ତିରେ ଦିନ କଟାଉଛନ୍ତି । ମାତ୍ର କେଇଟା ଟଙ୍କାରେ ବିକା ହେଉଛି ଏ ମୁଲକର ନିଷ୍ପାପ ଶିଶୁ ସନ୍ତାନ । ବେକାରଙ୍କ ଆର୍ତନାତ କେହି ଶୁଣିବାକୁ ନାହିଁ ।
ବଂଚିବାର ଦାୟରେ ଭିଟାମାଟି ଛାଡି ‘ଦାଦନ’କୁ ଯାଉଛି ଏ ମୁଲକର ମେହନତୀ ମଣିଷ । ଅଥଚ ଆମ ରାଜନୀତିଆ ଧୋବଧାଉଳିଆ, ବାବୁ ସାହେବମାନଙ୍କର ଆଖି ଦୃଶିଆ ସଭାସମିତି ଚାଲିଛି ରାଜ୍ୟବ୍ୟାପୀ । ଦ୍ରୁତ ବିକାଶର ବିଜ୍ଞାପନ ଛାପା ହେଉଛି ବଡ ବଡ ହରଫ୍ରେ । ‘ହାତି ଦେବି, ଘୋଡା ଦେବି’ର ଅଛିଣ୍ଡା ଅର୍କେଷ୍ଟ୍ରା ତୁହାଇ ତୁହାଇ ବାଜି ଉଠୁଛି ସରକାରୀ କଳଗାଉଣାରେ ।
ଚୁମ୍ବକେ ଦି’ଚାରି ପଦ କଥା କହିଲୁ । ସବୁକଥା ତଥ୍ୟ ଦେଇ ଲେଖି ବସିଲେ ରାମାୟଣ, ମହାଭାରତ ଠାରୁ ବଡ ହୋଇଯିବ । ଯୁଆଡକୁ ଆଖି ପକେଇବ, ସବୁଆଡେ ଭୀଷଣ ବିଭ୍ରାଟ । ସମସ୍ତେ ଅଙ୍ଗେନିଭାଉଛନ୍ତି, ହେଲେ ପ୍ରତିକାର କାହିଁ ?କେତେ ଦିନ ଆମେ ଏ ଦୁରବସ୍ଥାର ଦୁର୍ଗ ଭିତରେ ପଡି ରହିଥିବା ? ଏ ଜାତି କେବେ ମୁଣ୍ଡ ଟେକିବ ? ଅଳ୍ପ ହେଉ, କେତେଜଣ ଭଲ ଲୋକ କ’ଣ ଏକାଠି ହୋଇ କିଛି ପ୍ରତିକାର ବ୍ୟବସ୍ଥା କରି ପାରିବେ ନାହିଁ ? ଏହିସବୁ କଥା ଏବେ ମନକୁ ବିବ୍ରତ କରୁଛି । ଆଉ ବ୍ୟସ୍ତ ହେଲେ କିଛି ଲାଭ ହେବ ନାହିଁ । ଯେତେବେଳେ ଓଡିଶାରେ କୌଣସି ଦଳ, ନେତା, ଆଗୁଆ ହୋଇ ବାହାରୁ ନାହାନ୍ତି, ସବୁ ବିପଦକୁ ମୁକାବିଲା କରି ଓଡିଶାବାସୀଙ୍କ ମୁହଁରେ ହସ ଫୁଟାଇବାକୁ, ତା’ ହେଲେ ଆମେ କେତେଜଣ ଆଉ ବସିବା କାହିଁକି ?
ଯାହା ଚାଲିଛି ସେଇ ସ୍ରୋତରେ ସୁବିଧାରେ ଭାସିଯିବା ପାଇଁ କିଛି ଦଳ, ଲୋକ, ପ୍ରତିଯୋଗିତା କରୁଛନ୍ତି । ଦଳେ ଅନେଇଛନ୍ତି ତାଙ୍କ ଭାଗ୍ୟରେ କେବେ ଶିକା ଛିଣ୍ଡିବ ? ସଂଗ୍ରାମୀ, ସଚ୍ଚାଦଳ- ଲୋକଙ୍କ ଦଳ ବୋଲି ନିଜ ଡେଙ୍ଗୁରାକୁ ନିଜେ ପିଟୁଥିବା ଲୋକ କେତେଜଣ ହାଲିଆ ହୋଇଗଲେଣି । ତାଙ୍କ ଡେଙ୍ଗୁରା ବି ଫୁଟିଗଲାଣି । ସେ ଡେଙ୍ଗୁରାର ଶଦ୍ଦ ବିକଟାଳ ହୋଇଗଲାଣି । ଏମାନେ ପରସ୍ପରକୁ ଟାହି ଟାପରା କରିବାରେ, କାଦୁଅ ଫୋପାଡିବାରେ ସମୟ ନଷ୍ଟ କରୁଛନ୍ତି । ଏହି ସବୁୁ ଦଳ ଓ ଲୋକମାନଙ୍କ ସଂଖ୍ୟା ଶହେରୁ ପାଂଚ ଟପିବ କି ନାହିଁ ସନ୍ଦେହ । ଏମାନଙ୍କ ଭିତରେ କିଛି ଭଲ ଲୋକ ବି ଅଛନ୍ତି । ହେଲେ କ’ଣ ହେବ ? ସେମାନେ ବି ଅଯଥାରେ ପାପର ଭାଗୀଦାର ।
ଏହି ସବୁ ଦଳମାନଙ୍କର ତାମ୍ସା ଓ ତାଣ୍ଡବ ନୃତ୍ୟ ଦେଖି ଗାଁ ଗଣ୍ଡା, ସହର ବଜାରରେ ଥିବା ସଂଖ୍ୟାଧିକ ଲୋକଙ୍କ ମନରେ ପ୍ରବଳ ବିତୃଷ୍ଣା, ଘୃଣା ଓ ହତାଶ ଭାବ । ସେମାନେ କୌଣସି ଦଳ ଓ ନେତାମାନଙ୍କୁ ବିଶ୍ୱାସ କରୁନାହାନ୍ତି । ସେମାନେ ବିକଳ୍ପ ଖୋଜୁଛନ୍ତି । ଯୁଆଡକୁ ଅନାଉଛନ୍ତି, ଯାହାକୁ ଦେଖୁଛନ୍ତି – ସବୁ ଏକା ଭାଡିର ପାରା ଭଳି ଦେଖାଯାଉଛନ୍ତି । ସେମାନେ ବିକଳ ହୋଇ ଖୋଜୁଛନ୍ତି – କିଏ ବାହାରନ୍ତା କି ? ପାପୀ, ଭଣ୍ଡ, ପ୍ରତାରକମାନଙ୍କୁ ସାବାଡ କରନ୍ତା !ମଣିଷ ଟିକେ ଶାନ୍ତିରେ ନିଃଶ୍ୱାସ ମାରନ୍ତେ !
କୋଟି କୋଟି ଲୋକ ଭାବୁଛନ୍ତି କିଏ ଜଣେ ବାହାରି ଉପକଥାର ଯାଦୁକର ପରି ତାଙ୍କ ପାଇଁ ସବୁକିଛି କରି ଦିଅନ୍ତା ! ଅନେକ ଲୋକ ବାହାରିଥିଲେ, ଲୋକମାନେ ତାଙ୍କୁ ବିଶ୍ୱାସ କରି ପଛରେ ଗୋଡାଇଥିଲେ । ତାଙ୍କ ପାଇଁ ସବୁକିଛି କରିଛନ୍ତି । କିନ୍ତୁ ଫଳ ଓଲଟା ପାଇଁ ହତାଶା-ପଙ୍ଗରେ ପଡିଛନ୍ତି । ଯେଉଁ ପ୍ରକାର ଧାରା ଚାଲିଛି – ପ୍ରକ୍ରିୟା ଚାଲିଛି – ସେଥିରୁ ମନେ ହେଉଛି ଆଜି ଓଡିଶା ଯେମିତି ଗୋଟାଏ ଅନ୍ଧାରୀ ମୁଲକ । ଏଠି ସମସ୍ତଙ୍କ ଓଠରେ ଥୁକୁଲ, ଆଖିରେ ପଟି, କାନରେ ପାପୁଲି । ଚଳନ୍ତି ନେତୃତ୍ୱ କେବେ ଚାହୁଁନି – ଓଙ୍ଗିଶା ବଦଳୁ । ଓଡିଶା ବଦଳିଲେ ନକଲି ନେତୃତ୍ୱ ବଦଳିବାକୁ ବାଧ୍ୟ ।
ବର୍ତମାନ ସାରା ଓଡିଶାରେ-ଗାଁ-ଗଣ୍ଡା, ସହର, ବଜାର ସବୁଆଡେ ଚାଷୀ, ଶ୍ରମିକ, ଛାତ୍ର, ଯୁବକ, ମହିଳା, କୃଷିଶ୍ରମିକ ପ୍ରବଳ ଅ।।ନ୍ତି, ଅସନ୍ତୋଷର ବହ୍ନିରେ ପ୍ରଜ୍ଜ୍ୱଳିତ । ସେମାନେ ଥରେ ଏକାଠି ହେଲେ, ସଠିକ୍ ନେତୃତ୍ୱ ମିଳିଲେ ସମସ୍ତଙ୍କୁ ସାବାଡ କରିଦେବେ । ହେଲେ ନେତା କାହିଁ ? ଯେଉଁ ନେତାମାନେ ଠାଏଁ ଠାଏଁ ସେମାନଙ୍କୁ ମତଉଛନ୍ତି – ତତଉଛନ୍ତି, ବାଟ ଜଣା ନଥିବାରୁ ଅବାଟରେ ନେଇ ହତାଶିଆ କରି ପକାଉଛନ୍ତି । ବାରମ୍ବାର ଲୋକେ ପ୍ରତିଶ୍ରୁତିର ପଦ୍ମତୋଳା ଶୁଣି ଶୁଣି ପ୍ରତାରିତ ହୋଇ ଭାଗ୍ୟକୁ ନିନ୍ଦୁଛନ୍ତି । ପରିବର୍ତନ ପାଇଁ ନୂଆ କିଚି କଥା କହିଲେ, ଏକଦମ୍ ଠିକ୍ ବୋଲି କହୁଛନ୍ତି । କିନ୍ତୁ ହଠାତ୍ ବାହାରି ପାରୁନାହାନ୍ତି । ଦୁର୍ନୀତି, ଚଂଚକତାରେ କୋଟି କୋଟି ଟଙ୍କା ମହଜୁଦ୍ ରଖିଥିବା ମତଲବୀ ନେତୃବର୍ଗଙ୍କ ନିଜସ୍ୱ ଭଡାଟିଆ ଗୁଣ୍ଡାବାହିନୀ ଓ ସରକାରୀ କଳର ଦମନ ଅତ୍ୟାଚାରକୁ ମୁକାବିଲା କରିବା ଅସମ୍ଭବ ବୋଲି ଲୋକେ ଭାବୁଛନ୍ତି । ଏ ଦୁନିଆରେ ଅସମ୍ଭବ ବୋଲି ଚିନ୍ତା କରିବା ହିଁ ପରାଜୟର ଲକ୍ଷଣ । ଯାହା ବାସ୍ତବ ସତ୍ୟ, ତାହା ନିଶ୍ଚିତ ସମ୍ଭବ । ଗଣ ଜାଗରଣର ନୂତନ ଅଧ୍ୟାୟ ସୃଷ୍ଟି ନହେଲେ ଦୃଷ୍ଟିଭଙ୍ଗୀ ବଦଳି ପାରିବ ନାହିଁ । ଶାସନର ଢାଂଚା ବଦଳିପାରିବ ନାହିଁ- ରାଜନୀତିର ନୂଆ ରାସ୍ତା ଫିଟିପାରିବ ନାହିଁ । ଓଡିଶା ପଡି ରହିଥିବ ଯେଉଁ ତିମିରେକୁ ସେଇ ତିମିରେ । ଆସନ୍ତୁ ଗୋଟିଏ ମଂଚରେ ଏକାଠି ହେବା । ବଜ୍ରମୁଷ୍ଟି ଉତୋଳନ କରିବା । କ୍ଷମତାନ୍ଧ, କ୍ଷୁଧିତ ନେତୃତ୍ୱର କାଚଘର ସାମ୍ନାରେ ନିର୍ମାଣ କରିବା ନିର୍ଭୀକ ପ୍ରତିବାଦର ବିଶାଳ ପରମ୍ପରା ।
ହିଟଲର ଓ ମୁସୋଲିନୀ ଭଳି ନୃଶଂସ, ଦୁର୍ଦ୍ଦାନ୍ତ ଚରିତ୍ର ସବୁ ଜନ ବିସ୍ଫୋରଣର ସ୍ଫୁଲିଙ୍ଗରେ ପାଉଁଶ ହୋଇ ଯାଇଛନ୍ତି । ଆଜି ଏ କୁଚକ୍ରୀ ଖଳନାୟକମାନଙ୍କୁ ଆମେ ତେବେ ଡରିବା କାହିଁକି ? ଆମେ ସମସ୍ତେ ଏକାଠି ହେଲେ- ଚିତ୍କାର ନକରି ଫୁତ୍କାର ତୋଳିଲେ- ପ୍ରତାରଣାର ଏ ପର୍ଯ୍ୟାୟ ମୁହୂର୍ତକ ମଧ୍ୟରେ ଧୂଳିସାତ୍ ହେବ । ତେବେ ଏଥିପାଇଁ ପ୍ରସ୍ତୁତିର ପର୍ବ ଆରମ୍ଭ ହେବ କେବେ… କେବେ ସୃଷ୍ଟି ହେବ ଜନଜାଗରଣର ଉଦ୍ଦୀପ୍ତ ଆହ୍ୱାନ… କଳା ଟଙ୍କାର କୁବେରମାନଙ୍କୁ, ନାରୀ ନିର୍ଯାତକ, ଦୁର୍ଦ୍ଦାନ୍ତ ଦୁଃଶାସନମାନଙ୍କୁ ବାଛନ୍ଦ କରି ରଖିବାର ବେଳ ପହଂଚି ସାରିଛି । କୁରୁ-ଅନ୍ନଭୋଜୀ ତଥାକଥିତ ଦ୍ରୋଣଗୁରୁ, ତଥା ଛଦ୍ମବେଶୀ ବୁଦ୍ଧିଜୀବୀଙ୍କ ମୁହଁରୁ ମୁଖୀ ଖସାଇ ଦେବାର ପାଳି ଆସିଯାଇଛି ।ଏଣୁ ସାଥୀଗଣ ! ସେନାଗଣ !! ସୌଖୀନ୍ ବୈଠକଖାନାରେ ବୌଦ୍ଧିକ ବିତର୍କର ବାତାବରଣ ସୃଷ୍ଟି ନକରି ଆସ ସମ୍ମୁଖ ଭାଗରେ ଅବତୀର୍ଣ୍ଣ ହେବା ।କିତାବୀ ଦର୍ଶନକୁ ଘୋଷି ଉକାଳିବା ନିଶା ଛାଡି ଗାଁ ଗଣ୍ଡା, ବିଲବାଡି, ଖରି ଖାଦାନ, କଳକାରଖାନା, ସହରବଜାରରେ ମେହନତ କରୁଥିବା ମଣିଷଙ୍କ ପାଖରେ ପହଂଚାଇ ଦେବା – କର୍ମ – ତତ୍ୱର ସମ୍ମିଶ୍ରିତ ଦର୍ଶନ ।ଆମେ ନିକାଲି ଦେବା ଏ ନକଲି ରାତିର ଜରିଗୁଡା ଜହ୍ନ ଆଉ କାଗଜଫୁଲର କାରୁକାର୍ଯ୍ୟକୁ- ଆମେ ଚିରିଦେବା ନାହିଁ ନାହିଁର ନକ୍ସା । ଆମେ ଗଢିବା ନୂଆ ଓଡିଶା ।
ନୀତି ନୈତିକତାର ନିର୍ଲଜ୍ଜ କଂସେଇମାନଙ୍କୁ ଆଜି ରାସ୍ତାକଡର ବତିଖୁଂଟରେ ଝୁଲେଇ ଦେବାର ବେଳ ଆସିଛି । ଯେଉଁମାନେ ଏ ଭୂମିର ମଣିଷମାନଙ୍କୁ କଂକାଳରେ ପରିଣତ କରିଛନ୍ତି, ସେମାନଙ୍କୁ କଠୋର ସଜା ଦେବାର ସମୟ ଆସି ପହଂଚି ଯାଇଛି । ପରିବର୍ତନର ପର୍ଯ୍ୟାୟ ଜନଗଚ୍ଚ ବିନା ଯୋଗଦାନରେ ସମ୍ଭବପର ନୁହେଁ ।ଜନତା ଜାଗିବେ କେବେ ? ନିଜ ପାଇଁ ନୂଆ ଆଉ ନିଆରା ନେତୃତ୍ୱ ବାଛିବାକୁ ଆଗଭର ହେବେ କେବେ?? ଓଡିଶାର ଭାଗ୍ୟ ବଦଳାଇବାକୁ ସଂକଳ୍ପବଦ୍ଧ ହେବେ କେବେ ??? ଆଉ କୁମ୍ଭକର୍ଣ୍ଣ ହୋଇ ଶୋଇ ରହିଥିବା କେତେକାଳ- ମୋହ ହରିଣୀର ମାୟା କୁହୁକରେ ନିଜକୁ ପାସୋରି ଯାଉଥିବା କେତେ କାଳ ? ଆମ ଭିତରେ କେବେ ଚେଇଁ ଉଠିବ ଚେତନା – କେବେ ଜାଗି ଉଠିବ ବିବେକ ?
ଯାଜପୁର ରୋଡ, ଯାଜପୁର, ମୋ : ୯୮୬୧୦୩୪୧୬୩
Comments are closed.