Latest Odisha News

ଯବାନ ସହ ପ୍ରଧାନମନ୍ତ୍ରୀଙ୍କ ଦିଓ୍ୱାଲୀ, ଲୋଙ୍ଗେଓ୍ୱାଲାରୁ ପାକ୍-ଚୀନକୁ କଡ଼ା ଚେତାବନୀ

ରାଜସ୍ଥାନ: ସୀମାରେ ଯବାନଙ୍କ ସହ ଦୀପାବଳି ପାଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ରାଜସ୍ଥାନ ଜୈସଲମେର ସ୍ଥିତ ଲୋଙ୍ଗେଓ୍ୱାଲାରେ ନିୟୋଜିତ ଯବାନଙ୍କ ସହ ଆଲୋକର ପର୍ବ ପାଳନ କରିଛନ୍ତି । ସେମାନଙ୍କ ମନୋବଳ ବଢ଼ାଇବା ସହ ଭାରତ ସୀମାରୁ ଶତ୍ରୁଙ୍କୁ କଡ଼ା ଚେତାବନୀ ଦେଇଛନ୍ତି ।
ବିସ୍ତାରବାଦୀଙ୍କୁ ପ୍ରଚଣ୍ଡ ଜବାବ
ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ବୁୁୁଝାମଣା ଓ ବୁଝାଇବା ନୀତିରେ ବିଶ୍ୱାସ କରୁଛି । ବିସ୍ତାରବାଦକୁ ବରଦାସ୍ତ କରାଯିବନି । ଦେଶର ଅଖଣ୍ଡତାରେ ବିସ୍ତାର କଲେ ଭାରତ କେବେ ଛାଡ଼ିବ ନାହିଁ। ସୀମାରୁ ପାକିସ୍ତାନ ଓ ଚୀନକୁ ଏମିତି ଚରମ ବାଣୀ ଶୁଣାଇଛନ୍ତି ପ୍ରଧାନମନ୍ତ୍ରୀ । ନିଜକୁ ସୁରକ୍ଷା ଦେବାରେ ଭାରତ ସକ୍ଷମ । ଦେଶର ସ୍ୱାର୍ଥ ସହ କେବେ ଓ କୌଣସି ପରିସ୍ଥିତିରେ ସାଲିସ କରାଯିବ ନାହିଁ ।


ଯବାନଙ୍କ ସହ ଦୀପାବଳିରେ ପୂର୍ଣ୍ଣତା
ଏହି ଅବସରରେ ପ୍ରଧାନମନ୍ତ୍ରୀ ସୀମାରେ ନିୟୋଜିତ ସୈନିକଙ୍କ ମନୋବଳ ବଢ଼ାଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, ଆପଣମାନଙ୍କ ପରି ବୀର ଯବାନଙ୍କୁ ପାଇଁ ଆଜି ଦେଶ ଗର୍ବିତ । ଆତଙ୍କବାଦୀଙ୍କୁ ଉଚିତ୍ ଜବାବ ଦେବା ସହ ଆତଙ୍କବାଦୀଙ୍କ ଘରେ ପଶି ମାରୁଛନ୍ତି ଭାରତୀୟ ଯବାନ ।

ଦେଶର ସୁରକ୍ଷାରେ ସାମିଲ ଥିବା ସମସ୍ତ ଯବାନଙ୍କୁ ପ୍ରଣାମ ଜଣାଇଥିଲେ ପ୍ରଧାନମନ୍ତ୍ରୀ । ମୋଦି କହିଥିଲେ, ଆପଣମାନେ ଅଛନ୍ତି, ଦେଶ ଅଛି । ଏହି ଉତ୍ସବ ବି ଅଛି । ଯବାନଙ୍କ ପାଖକୁ ଆସିଲେ ଦୀପାବଳିରେ ପୂର୍ଣ୍ଣତା ଆସେ ଓ ସେମାନଙ୍କ ମୁହଁରେ ହସ ଦେଖିଲେ ଖୁସି ଦ୍ୱିଗୁଣ ହୁଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

Comments are closed.