Latest Odisha News

BREAKING NEWS

ଶ୍ରୀମନ୍ଦିରରେ ନୂଆବର୍ଷରୁ ଟିକେଟ ଦର୍ଶନ ସହ ଲାଗିବ ମହାପ୍ରସାଦ ଦର ତାଲିକା

ପୁରୀ : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମହାପ୍ରସାଦ ଦର ତାଲିକା ଓ ଦର୍ଶନ ନିମନ୍ତେ ଟିକେଟ ବ୍ୟବସ୍ଥା ନୂଆ ବର୍ଷରୁ ଲାଗୁ ହେବା ନେଇ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ବୁଧବାର ଦିନ ସୂଚନା ଦିଆଯାଇଛି । ପୂର୍ବରୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଅବଢା ଦର ନିର୍ଦ୍ଧାରଣ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି ।

ଏସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର କହିଛନ୍ତି, ଏହି ଟିକେଟ ବ୍ୟବସ୍ଥା କେବଳ ‘ପରିମାଣିକ ଦର୍ଶନ’ ପାଇଁ ଉପଲବ୍ଧ । “ ଦେଶର ସମସ୍ତ ମନ୍ଦିରର ଆର୍ଥିକ ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ଟିକେଟ ଦର୍ଶନର ବ୍ୟବସ୍ଥା କରାଯାଇଥାଏ” । ଶ୍ରୀମନ୍ଦିରର ସତ୍ୱ ଲିପି ଅନୁଯାୟୀ ଏହାର ମୂଲ୍ୟ ସେବାୟତ ମାନଙ୍କ ମଧ୍ୟରେ ବଣ୍ଟନ ହେବ ତଥା ଟିକେଟ ଆୟରୁ ସଞ୍ଚିତ ଅର୍ଥ ବଣ୍ଟନ ହେବା ନେଇ ନିଷ୍ପତ୍ତି ଖୁବ୍ ଶୀଘ୍ର ନିଆଯିବ ।

ପୂର୍ବରୁ ପାରିମାଣିକ ଦର୍ଶନ ପାଇଁ ଏସଜିଟିଏ ୫୦ ଟଙ୍କା ରହିଥିବା ବେଳେ ଏହି ଦରକୁ ବଢାଯାଇ ୧୦୦ ଟଙ୍କା କରାଯାଇଥିଲା । ସେ ଆହୁରି ମଧ୍ୟ କହିଛନ୍ତି ଯେ ଭକ୍ତମାନଙ୍କୁ ‘ଭିତର କାଠ’ରୁ ଦର୍ଶନ ନିମନ୍ତେ ଅନୁମତି ପ୍ରଦାନ କରାଯାଇପାରେ ।

ଦର୍ଶନ ପାଇଁ ଲାଗୁ ହେବାକୁ ଥିବା ଟିକେଟର ମୂଲ୍ୟ ଖୁବ୍ ଶୀଘ୍ର ନିର୍ଦ୍ଧାରଣ କରାଯିବ । ଏଥିସହିତ ମନ୍ଦିର ପ୍ରଶାସନ ସୁଆର ଓ ମହାସୁଆର ନିଯୋଗ ସହ ଆଲୋଚନା କରିବା ପରେ ଏହି ତାଲିକା ଲଗାଯିବ ବୋଲି ଶ୍ରୀ ମହାପାତ୍ର ପ୍ରକାଶ କରିଛନ୍ତି । ଶ୍ରଦ୍ଧାଳୁଙ୍କ ପାଇଁ ଏହି ତାଲିକାରେ ପରିମାଣ ତଥା କୁଡୁଆ ସାଇଜ ଉଲ୍ଲେଖ କରାଯିବ। ଶ୍ରୀମନ୍ଦିରରେ ନୂଆବର୍ଷରୁ ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିରରେ ଅବଢ଼ା ଦର ତାଲିକା ଆନନ୍ଦ ବଜାରରେ ଲଗାଯିବ।

ଆହୁରି ମଧ୍ୟ ଜାନୁଆରୀ ୧ତାରିଖ ତଥା ନୂଆ ବର୍ଷ ଦିନ ଜଗତର ନାଥ ଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀରେ ପାଖାପାଖି ସାଢେ ୫ ରୁ ୬ ଲକ୍ଷ ଶ୍ରଦ୍ଧାଳୁଙ୍କର ସମାଗମ ହେବ ବୋଲି ଅନୁମାନ କରାଯାଉଛି ।

Leave A Reply

Your email address will not be published.