Latest Odisha News

ଅସ୍ତାଦ ଦେବୁ ଓ ଈଶ୍ଵରଙ୍କ ସହିତ ଚକାଭଉଁରୀ ଖେଳ

ଏମିତି କୌଣସି ଜାଗା ନାହିଁ ଯାହାକୁ
ମୁଁ ମୋର ଘର ବୋଲି କହିପାରିବି
ମୁଁ ଏ ପୃଥିବୀର ନାଗରିକ
ମୋର କୌଣସି ଠିକଣା ନାଇଁ
ମୁଁ ଏ ଗ୍ରହରେ ପରିବ୍ରାଜକ ମାତ୍ର
ମୁଁ କେବଳ ଏ ପୃଥିବୀ ବାଟ ଦେଇ ଯାଉଛି
କେବଳ ଏହି ଆଶାରେ ଯେ
ଏଠି କେହିଜଣେ ହୁଏତ ମୋର ବନ୍ଧୁ ମୋତେ ମିଳି ଯାଇପାରେ।

ନିଜ ଜୀବନ ବିଷୟରେ କହିବାକୁ ଯାଇ ପ୍ରାୟ କୋଡିଏ ବର୍ଷ ତଳେ ଏମିତି କିଛି ଲେଖିଥିଲେ ଅସ୍ତାଦ ଦେବୁ। ଯେଉଁମାନେ ସମକାଳୀନ ଭାରତୀୟ ନୃତ୍ୟକଳା ବିଷୟରେ ଜାଣନ୍ତି, ସେମାନଙ୍କ ପାଇଁ ଅସ୍ତାଦ ଦେବୁ, ଏକ ବିରଳ ବିସ୍ମୟ। ଭାରତୀୟ ନୃତ୍ୟକଳାରେ ଅନେକ କିଛି ନୂଆ ସୃଜନ କରିବା, ଅନେକ ପୁରୁଣାକୁ ଭାଙ୍ଗି ତାରି ଭିତରୁ ନୂଆ ସମୟର ସମ୍ଭାବନା ଖୋଜିବା ଏବଂ ନୃତ୍ୟ ଭିତରେ କବିତା, ଚିତ୍ରକଳା, ସ୍ଥାପତ୍ୟ, ଲୋକ ଜୀବନ, ଦର୍ଶନ ଓ ସାମାଜିକ ପରିବର୍ତ୍ତନର ବାର୍ତ୍ତାକୁ ଏକାଠି କରିପାରିବାର ଏକ ଅଦ୍ଭୁତ କଳା ଅସ୍ତାଦ ଦେବୁଙ୍କୁ ଜଣାଥିଲା। ଗତ ୯, ଡିସେମ୍ବର ଦିନ ୭୨ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହେଲା। ମରିବା ପର‌୍ୟନ୍ତ ମଞ୍ଚର ମହାନାୟକ ଥିଲେ ସେ। ଏକଦା, ବିଶ୍ଵର ଅନ୍ୟତମ ମହାନ ନୃତ୍ୟାଙ୍ଗନା ମାର୍ଥା ଗ୍ରାହାମ କହିଥିଲେ- “ମୁଁ ଯେଉଁଠି ଠିଆ ହୁଏ, ମଞ୍ଚର କେନ୍ଦ୍ର ସେଇଟା ହିଁ”। ଏ ଉକ୍ତି ଅସ୍ତାଦ ଦେବୁଙ୍କ ପାଇଁ ବି ପ୍ରଯୁଜ୍ୟ। ସେ ଯେଉଁଠି ଠିଆ ହୁଅନ୍ତି, ତାହା ହିଁ ମଞ୍ଚ।

ଭାରତୀୟ ନୃତ୍ୟକଳାରେ ମଞ୍ଚର ଅବଧାରଣାକୁ ଅସ୍ତାଦ ଦେବୁ ପୂରାପୂରି ଭାଙ୍ଗି ଦେଇଥିଲେ। ତାଙ୍କ ଲାଗି ଆଧୁନିକ ପ୍ରସେନିୟମ ରଙ୍ଗମଞ୍ଚ ଏକ ପ୍ରକାର ବାଧକ ଥିଲା। ଅନେକ ସମୟରେ ସେ ମଞ୍ଚ ବାହାରେ ହିଁ ନିଜର ମଞ୍ଚ ଗଢୁଥିଲେ। ଅସ୍ତାଦ ମଞ୍ଚର କେଉଁ ଦିଗରୁ, କେମିତି ପ୍ରବେଶ କରିବେ, ସେକଥା ଆଦୌ କହିହେବ ନାହିଁ। ଅନେକ ସମୟରେ ସେ ବା ତାଙ୍କର ନୃତ୍ୟଶିଳ୍ପୀ ଦର୍ଶକ ଗ୍ୟାଲେରିରୁ ଉଠି ଆସିପାରନ୍ତି। ପାରମ୍ପରିକ ନୃତ୍ୟଶିଳ୍ପୀମାନେ ମଞ୍ଚର କେନ୍ଦ୍ରରେ ନିଜ ନୃତ୍ୟ ପରିବେଷଣ କରିବାକୁ ଚାହାନ୍ତି। ଅସ୍ତାଦ କିନ୍ତୁ ସବୁ ବେଳେ ମଞ୍ଚ କୋଣରେ ନିଜକୁ ରଖନ୍ତି। ଦର୍ଶକ ସହିତ ଭାବ ବିନିମୟ କରିବାର ଏକ ପ୍ରଭାବଶାଳୀ କୌଶଳ ତାଙ୍କୁ ଜଣାଥିଲା।

ଏମିତି ଦେଖିଲେ ଅଷ୍ଟାଦ ଦେବୁ ଆମ ସମୟର ସବୁଠୁ ଅଧିକ ବୌଦ୍ଧିକ ଓ ଦାର୍ଶନିକ ନୃତ୍ୟଶିଳ୍ପୀ। ତାଙ୍କର ନୃତ୍ୟଶୈଳୀରେ ଟେକ୍ନିକ ତୁଳନାରେ ବିଚାରର ପ୍ରାଧାନ୍ୟ ବେଶୀ। ସେ ମନ ଓ ମସ୍ତିସ୍କର ଶିଳ୍ପୀ। ଆଧୁନିକ ନୃତ୍ୟକଳାରେ ସେ ମାର୍ଥା ଗ୍ରାହାମ ସ୍କୁଲ ର ଛାତ୍ର। ହେଲେ ଭାରତୀୟ ଭାବରେ ସେ ସମାନ ଭାବରେ କଥକ, କଥକଲି, ମଣିପୁରୀ, ଭରତନାଟ୍ୟମ, ଥାଂତା ଏବଂ ପୁଂଚୋଳମ ନୃତ୍ୟର ମଧ୍ୟ ଛାତ୍ର। ଏହା ସହିତ ଚୀନର ପ୍ରାଚୀନ ନୃତ୍ୟକଳା, ଜାପାନର ନୃତ୍ୟନାଟକ “କାବୁକୀ” ଇତ୍ୟାଦିର ପ୍ରଭାବ ତାଙ୍କ ନୃତ୍ୟ ଉପରେ ରହିଥିଲା।

ଜଣେ ନୃତ୍ୟଶିଳ୍ପୀ ଭାବରେ ସାରା ପୃଥିବୀର ନାଚ ଓ ନାଟକ ସହିତ ତାଙ୍କର ସମ୍ପର୍କ ରହିଥିଲା। ନାଟକ ସହିତ ନାଚକୁ ଯୋଡିବା, ଲୋକକଳା ସହିତ ପୃଥିବୀର ସର୍ବୋତ୍କୃଷ୍ଟ ନୃତ୍ୟଶୈଳୀର ସଂଗମ ରଚନା କରିବାର ଦୁଃସାହସ ତାଙ୍କର ଥିଲା। ଅସ୍ତାଦ ଦେବୁ ଏକାସାଙ୍ଗରେ ଧ୍ରୁପଦୀ(କ୍ଲାସିକାଲ) ଏବଂ କସ୍ମୋପଲିଟାନ ହେବାର ସାମର୍ଥ୍ୟ ରଖିଥିଲେ। ୧୯୪୭ରେ ଗୁଜରାଟର ନବସାରୀରେ ତାଙ୍କର ଜନ୍ମ। ପିଲାଦିନ କଟିଛି ଜାମସେଦପୁରରେ। କଲେଜ ଜୀବନ ମୁମ୍ବାଇରେ। ଗୁରୁ ପ୍ରହ୍ଳାଦ ଦାସଙ୍କ ଠାରୁ କଥକ ଓ ଗୁରୁ ଇକେ ପାନିକରଙ୍କ ପାଖରୁ କଥାକଲି ଶିଖିଛନ୍ତି। ଜର୍ମାନୀର ପ୍ରସିଦ୍ଧ ନୃତ୍ୟ ଓ ନାଟ୍ୟଶିଳ୍ପୀ ପିନା ବଶଙ୍କ ସହ କାମ କରିଛନ୍ତି। ରଙ୍ଗମଞ୍ଚରେ ସୁନୀଲ ସାଂବାଗଓ ସତ୍ୟଦେବ ଦୁବେଙ୍କ ସହିତ ଅନେକ ନୂଆ ପ୍ରୟୋଗ କରିଛନ୍ତି। ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତର ଧ୍ରୁପଦ ଗାୟନ ଶୈଳୀକୁ ନିଜ ନୃତ୍ୟରେ ସେ ଏକ ଭିନ୍ନ ଅର୍ଥ ଦେଇଛନ୍ତି। ଗୁଣ୍ଡେଚା ଭାଇଙ୍କର ( ଉମାକାନ୍ତ ଓ ରମାକାନ୍ତ ଗୁଣ୍ଡେଚା) ଧ୍ରୁପଦୀ ଗାୟନର ଅତ୍ୟନ୍ତ ନିଷ୍ଠାପର ଗାୟକୀ ସହିତ ନିଜ ନୃତ୍ୟର ନୂଆ ଆବିଷ୍କାର ସେ କରିଛନ୍ତି।

ସାରା ପୃଥିବୀ ବୁଲିଛନ୍ତି। ପୃଥିବୀ ସହିତ ଭାରତର ନୃତ୍ୟକଳାର ଏକ ସମ୍ବାଦ ତିଆରି କରିଛନ୍ତି। ପ୍ରାଚୀନ ଏବଂ ସମକାଳୀନ କବିତାକୁ ନେଇ ଅସ୍ତାଦ ଅନେକ ଯାଦୁକାରୀ ନୃତ୍ୟ ରଚନା କରିଛନ୍ତି। ଧ୍ରୁପଦୀ ଶୈଳୀରେ ହିନ୍ଦୀ କବିତାର ପ୍ରଗତିବାଦୀ କବି ମୁକ୍ତିବୋଧଙ୍କର କବିତା “ଲକଡି କା ରାବଣ”, ଗୁରୁଦେବ ରବୀନ୍ଦ୍ରନାଥଙ୍କର ଅନେକ କବିତା, ଅମୀର ଖୁସ୍ରୋ ଏବଂ ଗାଲିବଙ୍କର କବିତା, ଏମିତି ଅନେକ ସମକାଳୀନ କବିତାକୁ ସେ ନୂଆ ରୂପ ଦେଇଛନ୍ତି। ଗାନ୍ଧୀଙ୍କ ବିଚାର ଓ ଦର୍ଶନକୁ ନେଇ ତାଙ୍କ ନୃତ୍ୟ ରଚନା ଏକ ଭିନ୍ନ ପ୍ରଭାବ ସୃଷ୍ଟି କରିଥିଲା ।

ଜଣେ ଶିଳ୍ପୀ ଭାବରେ ସେ ବହୁ ଅଦ୍ଭୁତ ସମ୍ଭାବନା ଖୋଜିଛନ୍ତି। ଦୀର୍ଘ ବର୍ଷ ଧରି ଭିନ୍ନକ୍ଷମ ବଧିର ଶିଳ୍ପୀମାନଙ୍କୁ ନେଇ ସେ ଚମତ୍କାର ନୃତ୍ୟ ସର୍ଜନା କରିଛନ୍ତି। ତାଙ୍କର ଶିଳ୍ପୀ ଓ ସହଯୋଗୀମାନେ ପ୍ରାୟତଃ ଭିନ୍ନ ପୃଥିବୀରୁ ଆସିଥାନ୍ତି। ସେମାନେ ଭିନ୍ନକ୍ଷମ କିମ୍ବା ସମାଜ ପରିତ୍ୟକ୍ତ। ଗତ କିଛି ବର୍ଷ ଧରି “ସଲାମ ବାଲକ ଟ୍ରଷ୍ଟ” ଦ୍ଵାରା ରାସ୍ତାରେ ପରିତ୍ୟକ୍ତ ଶିଶୁମାନଙ୍କୁ ନେଇ ସେ ନିଜର ନୃତ୍ୟ ରଚନା କରୁଥିଲେ।

ନୃତ୍ୟଶିଳ୍ପୀ ଅନେକ ଆସନ୍ତି ଓ ଯାଆନ୍ତି। ଅନେକ ପୁରସ୍କାର ମିଳେ ଓ ଲୋକ ତାକୁ ଭୁଲିଯାନ୍ତି। ହେଲେ ଅସ୍ତାଦ ଦେବୁ, ନୃତ୍ୟକୁ ନେଇ ଗୋଟେ ନୂଆ ଦୁନିଆଁ ନିର୍ମାଣ କରିଥିଲେ। ସେ ଦୁନିଆଁ ତାଙ୍କର “ଚକ୍କର” ପରି। ଅସ୍ତାଦଙ୍କ ନୃତ୍ୟରେ “ଚକ୍କର”ର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ମୋତେ ଲାଗେ ସେ ଯେମିତି ତାଙ୍କ ନୃତ୍ୟରେ ଈଶ୍ବରଙ୍କ ସହିତ ଏକ ଚକାଭଉଁରୀ ଖେଳ ଖେଳୁଛନ୍ତି।

Comments are closed.