ଭୁବନେଶ୍ୱର : ବିବାଦୀୟ ଏନଏମଏର ଚିଠା ବାଇ ଲ ପ୍ରତ୍ୟାହାର ପରେ ଆଶ୍ବସ୍ତି ହୋଇଛନ୍ତି ଶ୍ରୀମନ୍ଦିର ସେବାୟତ । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଧନ୍ୟବାଦ ଜଣାଇଛନ୍ତି ସେବାୟତ । ରାଜ୍ୟ ସରକାରଙ୍କ ଉଦ୍ୟମ ଯୋଗୁଁ ଏହା ସମ୍ଭବ ହୋଇଛି ବୋଲି ସେବାୟତମାନେ ପ୍ରକାଶ କରିଛନ୍ତି ।
ଜାନୁଆରୀ ୧୮ରେ ଏନଏମଏ ଶ୍ରୀମନ୍ଦିର, ଲିଙ୍ଗରାଜ ମନ୍ଦିର ଏବଂ ଏଏସଆଇ ଦ୍ୱାରା ସଂରକ୍ଷିତ ଅନ୍ୟ କେତେକ ମନ୍ଦିର ବାବଦରେ ନୋଟିସ ଜାରି କରିଥିଲେ । ଯାହାକୁ ନେଇ ରାଜ୍ୟରେ ପ୍ରକାଶ ପାଇଥିଲା ଅସନ୍ତୋଷ । ବାଇ ଲ ସମ୍ପର୍କରେ ଦୁଇଦିନ ତଳେ ଜଣାପଡ଼ିବା ପରେ ଶ୍ରୀମନ୍ଦିର ସେବାୟତ, ଭକ୍ତ ଓ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଏହି ବାଇ ଲ ଲାଗୁ ହୋଇଥିଲେ ବହୁ ସେବାୟତ ପରିବାର କ୍ଷତିଗ୍ରସ୍ତ ହୋଇଥାନ୍ତେ ଓ ଜୀବନ ଜୀବିକା ମଧ୍ୟ ହରାଇଥାନ୍ତେ।
ଶ୍ରୀମନ୍ଦିର ଠାରୁ ୩୦୦ ମିଟର ପରିଧି ମଧ୍ୟରେ ବିଭିନ୍ନ ପ୍ରକାର କଟକଣା ଏହି ବାଇ ଲ ରେ ରହିଥିଲା। ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିରର ୭୫ ମିଟର ପରିଧି ମଧ୍ୟରେ ସରକାର ଆରମ୍ଭ କରିଥିବା ବିକାଶମୂଳକ କାର୍ଯ୍ୟ ମଧ୍ୟ ବାଧାପ୍ରାପ୍ତ ହୋଇଥାନ୍ତା। ତେଣୁ ବିଭିନ୍ନ ରାଜନୈତିକ ଦଳ ମଧ୍ୟ ଏହି ବାଇ ଲ’କୁ ବିରୋଧ କରିଥିଲେ । ବିଜେଡି ଓ ବିଜେପି ସାଂସଦମାନେ ଦିଲ୍ଲୀରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଭେଟି ବାଇ ଲ ପ୍ରତ୍ୟାହାର ପାଇଁ ଦାବି କରିବା ପରେ ଏନଏମଏ ଏହାକୁ ପ୍ରତ୍ୟାହାର କରିଥିଲା ।
Comments are closed.