ଭୁବନେଶ୍ୱର: ଗାଡ଼ି କାଗଜପତ୍ର ପାଇଁ ଆଉ ଧାଇଁବାକୁ ପଡ଼ିବନି ଆରଟିଓ କାର୍ଯ୍ୟାଳୟ । ଏଣିକି ଅନଲାଇନରେ ହେବ ସବୁ କାଗଜପତ୍ର କାମ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପରିବହନ ସେବା ସମ୍ପର୍କିତ ୯ ଗୋଟି ଅନଲାଇନ୍ ସେବାର ଶୁଭାରମ୍ଭ କରିଛନ୍ତି । ରାଜ୍ୟ ସରକାରଙ୍କ 5T କାର୍ଯ୍ୟକ୍ରମ ଅଧୀନରେ ଏହା କାର୍ଯ୍ୟ କରିବ । ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଲର୍ଣ୍ଣର୍ସ ଲାଇସେନ୍ସ ମୋବାଇଲ୍ ଆପ୍ ଆଣିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି ।
ସବୁ ସେବା ଅନଲାଇନ୍ ହେବା ଫଳରେ ଗୋଟିଏ ଆରଟିଓରୁ ଅନ୍ୟ ଆରଟିଓକୁ ଆଉ ଧାଇଁବାକୁ ପଡ଼ିବନି । ଏଣିକି ଗାଡ଼ି ପଞ୍ଜିକରଣ ଠାରୁ ଆରମ୍ଭ କରି ପରିବହନ ଅନୁମତି, ସ୍ୱତନ୍ତ୍ର ବସ୍ ପରମିଟ୍, ଅନ୍ତର୍ଜାତୀୟ ଡ୍ରାଇଭିଂ ପରମିଟ୍, କୌଣସି ଆରଟିଓରୁ ଦେଶର କୌଣସି ସ୍ଥାନକୁ ମାଲିକାନା ସ୍ଥାନାନ୍ତରଣ ଅଥବା ପୁନଃ-ପଞ୍ଜିକରଣ ଅନଲାଇନରେ କରିହେବ । ପରିବହନ କାର୍ଯ୍ୟାଳୟ ଆଗରେ ଆଉ ଲମ୍ବା ଧାଡ଼ି ଲାଗିବ ନାହିଁ । ଦୈନଦିନ ଜୀବନରେ ପରିବହନ ସେକ୍ଟର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହାକୁ ପେପରଲେସ୍ ଓ କଣ୍ଟାକ୍ଟଲେସ୍ କରାଯାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି ।
ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଏନଆଇସ୍ ପ୍ଲାଟଫର୍ମ ଉପଯୋଗ କରି ଡିଜିଟାଲ୍ ଦସ୍ତଖତ ଓ ସ୍ୱୟଂ ନମ୍ବର ବାହାର କରୁଛି । ଗାଡ଼ି ମାଲିକ ଅନଲାଇନରେ କୌଣସି ଆରଟିଓରେ ପଞ୍ଜିକରଣ କରିପାରେବି । ଏଥିସହ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ଭାବେ ଉମଙ୍ଗ ଆପରେ ଲର୍ଣ୍ଣର ଲାଇସେନ୍ସ ଉପଲବ୍ଧ କରାଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ପରିବହନ ସେବାକୁ ସମ୍ପୂର୍ଣ୍ଣ ଡିଜିଟାଲ୍ କରିଥିବାରୁ ଅଧିକାରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
Comments are closed.