Latest Odisha News

ବିଜେଡିରେ ଯୋଗଦେଲେ ପୂର୍ବତନ କଂଗ୍ରେସ ନେତା ପ୍ରଣୟ ସାହୁ

ଭୁବନେଶ୍ୱର : ବରଗଡ ଜିଲ୍ଲାର ବରିଷ୍ଠ କଂଗ୍ରେସ ନେତା ପ୍ରଣୟ କୁମାର ସାହୁ ଦଳରୁ ଇସ୍ତଫା ଦେବାର ଗୋଟିଏ ଦିନ ପରେ ଅର୍ଥାତ୍ ମଙ୍ଗଳବାର ଦିନ ଆନୁଷ୍ଠନିକ ଭାବେ ବିଜେଡିରେ ଯୋଗ ଦେଇଛନ୍ତି ।

ପ୍ରଣୟ ସାହୁ ନିଜର ସମର୍ଥକ ଏବଂ ବିଜେପୁର ନିର୍ବାଚନୀ ମଣ୍ଡଳର ବିଜେଡି ବିଧାୟକ ରୀତା ସାହୁଙ୍କ ଗହଣରେ ଆସି ନବୀନ ନିବାସରେ ପହଞ୍ଚିଥିଲେ ଏବଂ ସେଠାରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ସେ ବିଧିବଦ୍ଧ ଭାବେ ଶାସକ ଦଳ ବିଜେଡି (ବିଜୁ ଜନତା ଦଳ)ରେ ସାମିଲ ହୋଇଛନ୍ତି ।

ଗାଈସିଲଟ ବ୍ଲକର ପୂର୍ବତନ ଉପାଧ୍ୟକ୍ଷ ଶ୍ରୀ ସାହୁ କଂଗ୍ରେସ ଦଳର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ପ୍ରଦାନ କରୁଥିବା ସମ୍ପର୍କରେ ଏକ ପତ୍ର ମାଧ୍ୟମରେ ସେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ସୋମବାର ଦିନ ଜଣାଇଥିଲେ ।

ଏହି ବରିଷ୍ଠ ନେତା ଦଳରୁ ଇସ୍ତଫା ପ୍ରଦାନ କରିଥିବା କାରଣ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ ଯେ, ସେ ଗତବର୍ଷ ଫେବୃଆରୀ ମାସରେ ଅନୁଷ୍ଠିତ ହୋଇଥିବା ବିଜେପୁର ଉପ-ନିର୍ବାଚନରେ ଦଳର ଶୋଚନୀୟ ପରାଜୟ ସମ୍ପର୍କରେ ଦଳୀୟ ନେତୃତ୍ୱଙ୍କୁ ଆତ୍ମନିରୀକ୍ଷଣ କରିବାକୁ କହିଥିଲେ ।

ତାଙ୍କର ଏହି ପରାମର୍ଶକୁ ସେମାନେ ହତାଦର କରିଥିଲେ, ଏପରିକି ଓପିସିସିର ପୁନର୍ଗଠନ ସମୟରେ ମଧ୍ୟ ଏହାକୁ ବିଶେଷ ଗୁରୁତ୍ୱ ଦିଆଯାଇନଥିଲା ବୋଲି ସେ ପ୍ରକାଶ କରିଥିଲେ।

Comments are closed.