Latest Odisha News

BREAKING NEWS

ରାଉରକେଲା ପାଇଁ ଖୁସି ଖବର, ଶ୍ରେଷ୍ଠ ୨୫ଟି ସହର ମଧ୍ୟରେ ସ୍ଥାନ ପାଇଲା ସ୍ମାର୍ଟ ସିଟି

ରାଉରକେଲା: ରାଉରକେଲା ସ୍ମାର୍ଟ ସିଟି ପାଇଁ ଖୁସି ଖବର । ଶ୍ରେଷ୍ଠ ୨୫ଟି ସହର ମଧ୍ୟରେ ସ୍ଥାନ ପାଇଛି ରାଉରକେଲା । ଗୃହ ଓ ନଗର ଉନ୍ନୟନ ମନ୍ତ୍ରଣାଳୟ, ଭାରତ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ନର୍ଚରିଂ ନେଇବରହୁଡ ଚ୍ୟାଲେଞ୍ଜରେ ବାଜିମାତ କରିଛି ରାଉରକେଲା ସ୍ମାର୍ଟ ସିଟି । 

୫ ବର୍ଷ ବୟସ ପର୍ଯ୍ୟନ୍ତ ଶିଶୁଙ୍କ ସୁବିଧାକୁ ନଜରରେ ରଖି ସହରରେ କିଭଳି ବ୍ୟବସ୍ଥା କରାଯାଇପାରିବ, ସେହି ଆଧାରରେ ଏହି ପ୍ରତିଯୋଗିତା ବା ଚ୍ୟାଲେଞ୍ଜ ଆରମ୍ଭ କରାଯାଇଥିଲା । ଏହି ଚ୍ୟାଲେଞ୍ଜରେ ଶ୍ରେଷ୍ଠ ଚୟନିତ ସହରଗୁଡିକୁ ଆସନ୍ତା ୩ ବର୍ଷ ପର୍ଯ୍ୟନ୍ତ ଶିଶୁ ବିକାଶ ଲାଗି ଆବଶ୍ୟକ ବୈଷୟିକ ସହାୟତା ଓ ସହଯୋଗ ଯୋଗାଇ ଦିଆଯିବ । 

ସର୍ବସାଧାରଣ ଖୋଲା ସ୍ଥାନ ଯେପରିକି ପାର୍କ ଏବଂ ଅନ୍ୟ ସ୍ଥାନମାନଙ୍କରେ ଶିଶୁଙ୍କ ଚଳପ୍ରଚଳ ଲାଗି ଉତ୍ତମ ବ୍ୟବସ୍ଥା କରିବା, ସେମାନଙ୍କ ଅଭିଭାବକଙ୍କ ଲାଗି ସୁବିଧା ଯୋଗାଇଦେବା ଏବଂ ଉନ୍ନତ ସେବା ପ୍ରଦାନ ଦିଗରେ ଚେଷ୍ଟିତ ହେବା ଏହି ଚ୍ୟାଲେଞ୍ଜର ମୂଳ ଲକ୍ଷ । 

ବର୍ଣ୍ଣାର୍ଡ ଭେନ୍ ଲିର୍ ଫାଉଣ୍ଡେସନ୍ ଏବଂ ଡବ୍ଲୁ.ଆର୍.ଆଇ ଇଣ୍ଡିଆ ସହାୟତାରେ ମନ୍ତ୍ରଣାଳୟ ପକ୍ଷରୁ ଏହି ଚ୍ୟାଲେଞ୍ଜ ଆରମ୍ଭ କରାଯାଇଥିଲା । ଏହି ଚ୍ୟାଲେଞ୍ଜ ମାଧ୍ୟମରେ ଯୋଗ୍ୟ ବିବେଚିତ ହୋଇଥିବା ସହରମାନଙ୍କୁ ଶୈଶବ ବିକାଶ ସଂପର୍କିତ ବୈଷୟିକ ଏବଂ ତାଲିମ ଆଦି ସହଯୋଗ ଯୋଗାଇ ଦିଆଯିବ । 

ସହରଗୁଡିକ ମଧ୍ୟରେ ବାଲ୍ୟକୈନ୍ଦ୍ରିକ ଆଭିମୁଖ୍ୟକୁ ପ୍ରୋତ୍ସାହିତ କରିବା ଏବଂ ସହର କର୍ତ୍ତୃପକ୍ଷଙ୍କୁ ସେମାନଙ୍କର ନିଷ୍ପତ୍ତି ନେବାରେ ସହଯୋଗ କରିବା, ଶିଶୁଙ୍କ ଭାଷା ଏବଂ ତଦ ସମ୍ବନ୍ଧୀୟ ଯୁକ୍ତିଯୁକ୍ତତା ପ୍ରତିପାଦନ କରାଇବା, ନୀତି ନିର୍ଦ୍ଧାରଣ କରିବା, ଏହି କାର୍ଯ୍ୟ ସହ ଜଡିତ ଅଧିକାରୀଙ୍କ ଦକ୍ଷତା ବିକାଶକୁ ସୁଗମ କରିବା ଏବଂ ଶିଶୁଙ୍କ ବିକାଶ ଲାଗି ପରସ୍ପର ସହିତ ଜଡିତ ହେବା ଏବଂ ସର୍ବୋତ୍ତମ ଅଭ୍ୟାସ ଉପରେ ଜୋର୍ ଦେବା ପାଇଁ ଏକ ଭିତ୍ତିଭୂମିର ବିକାଶ କରିବା ଇତ୍ୟାଦି ଲକ୍ଷ ନେଇ ଏହି ଚ୍ୟାଲେଞ୍ଜ ବା ପ୍ରତିଯୋଗିତା ଆରମ୍ଭ କରାଯାଇଥିଲା ।  

ରାଉରକେଲା ମହାନଗର ନିଗମର କମିଶନର ଦିବ୍ୟଜ୍ୟୋତି ପରିଡ଼ା କହିଛନ୍ତି, ଏହି ଚ୍ୟାଲେଞ୍ଜରେ ଭାଗ ନେବା ପାଇଁ ରାଉରକେଲା ସ୍ମାର୍ଟ ସିଟି ପକ୍ଷରୁ ଶିଶୁ ଏବଂ ସେମାନଙ୍କ ଅଭିଭାବକଙ୍କ ସୁବିଧା ସଂପର୍କିତ ୫ଟି ପ୍ରକଳ୍ପ ସଂପର୍କିତ ପ୍ରସ୍ତାବ ଦିଆଯାଇଥିଲା । ଏସବୁ ପ୍ରସ୍ତାବ ଗୁଡିକ ବିଭିନ୍ନ ହିତାଧିକାରୀଙ୍କ ସହ ଆଲୋଚନା ପରେ ହିଁ ପ୍ରଦାନ କରାଯାଇଥିଲା । 

ପାର୍କ ଆଦି ଖୋଲା ସ୍ଥାନରେ ପିଲାମାନେ ଯେପରି ଖେଳିବା ସମୟରେ ହିଁ ଜ୍ଞାନ ଅର୍ଜନ କରିପାରିବେ, ପାର୍କ ମାନଙ୍କରେ ସ୍ତନ୍ୟପାନ କରାଇବା ଲାଗି ସ୍ୱତନ୍ତ୍ର କୋଠରୀ ସ୍ଥାପନ କରିବା, ପିଲାଙ୍କୁ ବସାଇ ନିଆଯାଉଥିବା ଠେଲା ଗାଡି ଲାଗି ସ୍ୱତନ୍ତ୍ର ୱାକ୍ ୱେ ଏବଂ ଜେବ୍ରା କ୍ରସିଂର ବ୍ୟବସ୍ଥା କରିବା, ସେଠାରେ ବେବି ଫିଡିଂ ରୁମ୍ ର ବ୍ୟବସ୍ଥା କରିବା ତାକୁ ନେଇ ପ୍ରକଳ୍ପ ପ୍ରସ୍ତୁତ କରାଯାଇଥିବା ବେଳେ, ବର୍ତ୍ତମାନ କାର୍ଯ୍ୟକ୍ଷମ ଥିବା ଅଙ୍ଗନବାଡି କେନ୍ଦ୍ର ଗୁଡିକୁ ଏକ ଅତ୍ୟାଧୁନିକ ସ୍ମାର୍ଟ ଏଜୁକେସନ ସେଣ୍ଟରରେ ପରିଣତ କରିବା ଏବଂ ପ୍ରତିଦିନ କାମକୁ ଯାଉଥିବା ପିତାମାତାଙ୍କ ସୁବିଧା ଲାଗି ଶିଶୁଗୃହର ବ୍ୟବସ୍ଥା କରିବା ଇତ୍ୟାଦି ପ୍ରକଳ୍ପର ପ୍ରସ୍ତାବ ଦିଆଯାଇଥିଲା ବୋଲି କମିଶନର ଦିବ୍ୟଜ୍ୟୋତି ପରିଡ଼ା କହିଛନ୍ତି। 

କେବଳ ସେତିକି ନୁହେଁ ଶିଶୁ ଏବଂ କିଶୋରଙ୍କ ବୌଦ୍ଧିକ ବିକାଶ ଲାଗି ସହରର ବିଦ୍ୟାଳୟ ଗୁଡିକର ମଧ୍ୟ ଉନ୍ନତିକରଣ କରାଯାଉଅଛି । ଏସବୁ ସ୍କୁଲ ଗୁଡିକୁ ଏକ ସ୍ମାର୍ଟ ସ୍କୁଲରେ ପରିଣତ କରିବାକୁ ପ୍ରୟାସ କରାଯାଉଅଛି । ଏହି ସ୍ମାର୍ଟ ସ୍କୁଲ ଗୁଡିକରେ ଏକ ସ୍ମାର୍ଟ ଶ୍ରେଣୀ କକ୍ଷ ରହିବ, ଯେଉଁଥିରେ ରୋବୋଟିକ୍ ଲର୍ଣିଂ ମଡେଲ ମାଧ୍ୟମରେ ଶିକ୍ଷା ପ୍ରଦାନ କରାଯିବାକୁ ପରିକଳ୍ପନା କରାଯାଇଅଛି । ଫଳରେ ପିଲାଏ ଅନ୍ୟକୌଣସି ବେସରକାରୀ ସ୍କୁଲ ଭଳି ଏଠାରେ ବି ସମସ୍ତ ସୁବିଧା ଏବଂ ଶୈକ୍ଷିକ ପରିବେଶ ପାଇପାରିବେ ।

Comments are closed.