Latest Odisha News

BREAKING NEWS

ପାହାଡ଼ ମଣିଷ: ହିମାଳୟକୁ ଆବର୍ଜନା ମୁକ୍ତ କରିବାକୁ ଆରମ୍ଭ କରିଛନ୍ତି ଅଭିଯାନ 

ହିମାଚଳ ପ୍ରଦେଶ: ଯାହାର ମାଟି ପବନର ବାସ୍ନା ସମସ୍ତଙ୍କୁ କରେ ଆମୋଦିତ । ଅପଲକ ନୟନରେ ଚାହିଁବାକୁ ବାଧ୍ୟ କରେ, ଯାହାର ମନଲୋଭା ପରିବେଶ । ପ୍ରକୃତିର ଅନନ୍ୟ ଉପହାର ହିମାଳୟ । କେବଳ ସାମ୍ପ୍ରତିକ ନୁହେଁ, ଏ ମାଟିର ମାହାତ୍ମ୍ୟ ପୂରାଣରେ ବି ବର୍ଣ୍ଣିତ । ହେଲେ ଆଧୁନିକ ଚାକଚକ୍ୟ ଭିତରେ ଯେମିତି ଏବେ ହଜିବାକୁ ବସିଲାଣି ଏହାର ମାଟି, ପାଣି, ପବନ ତଥା ପରିବେଶର ଚମକ । ଯାହାର ସୁରକ୍ଷା ପାଇଁ ହାତ ବଢାଇଛନ୍ତି ଏହି ଯୁବକ ଜଣଙ୍କ । ନାଁ ପ୍ରଦୀପ ସାଙ୍ଗେୱାନ୍ । ହିମାଳୟକୁ ପ୍ଳାଷ୍ଟିକ ତଥା ଆବର୍ଜନା ମୁକ୍ତ କରିବାକୁ ପ୍ରଦୀପ ଆରମ୍ଭ କରିଛନ୍ତି ହିଲିଙ୍ଗ୍ ହିମାଳୟ ମାନେ ହିମାଳୟର ଉପଚାର ଅଭିଯାନ । 

ବାପାଙ୍କ ଇଚ୍ଛା ଥିଲା ପ୍ରଦୀପ ଆର୍ମିରେ ଯାଆନ୍ତୁ । ହେଲେ ପ୍ରଦୀପଙ୍କ ନିଶା ଥିଲା ପାହାଡରେ ଟ୍ରାକିଂ କରିବା । ଯାହା ତାଙ୍କୁ ଟାଣି ଆଣିଥିଲା ହିମାଚଳ ପ୍ରଦେଶର ସୁନ୍ଦର ପର୍ଯ୍ୟଟନସ୍ଥଳୀ ମନାଲୀକୁ । ନିଜର ଖର୍ଚ୍ଚ ଉଠାଇବାକୁ ଏକ ବ୍ୟବସାୟ ଆରମ୍ଭ କରନ୍ତି ପ୍ରଦୀପ । ଏହି ଭିତରେ ପ୍ରଦୀପ ସମୟକ୍ରମେ ଅନୁଭବ କରନ୍ତି ଦିନକୁ ଦିନ ଯେତିକି ପର୍ଯ୍ୟଟକଙ୍କ ସଂଖ୍ୟା ବଢୁଛି ହିମାଳୟର ପରିବେଶ ସେତିକି ବିଗୁଡୁଛି । ଖାସ୍ କରି ପାହାଡ ରାସ୍ତା କଡରେ ଗଦା ଗଦା ଆବର୍ଜନା ଆଉ ହିମାଳୟରେ ବହିଯାଉଥିବା ଝରଣା ପାଣିର ଅଳିଆ, ତାଙ୍କୁ ଖୁବ୍ ବ୍ୟଥିତ କରେ । 

୨୦୧୪ରେ ହିମାଳୟ ସଫେଇ ଅଭିଯାନ ଆରମ୍ଭ କରନ୍ତି ପ୍ରଦୀପ । ଟ୍ରାକିଂ ପାଇଁ ଯିବା ବେଳେ ଖାଲି ହାତରେ ଯାଆନ୍ତି ଆଉ ଫେରିବା ବେଳେ ରାସ୍ତା କଡରେ ପଡିଥିବା ଆବର୍ଜନାକୁ ଠୁଳ କରି ଫେରନ୍ତି । ପ୍ରାରମ୍ଭରୁ ଆଖାପାଖ ଲୋକ ତାଙ୍କୁ ପ୍ରୋତ୍ସାହିତ କରିଥିଲେ । ହେଲେ ତାଙ୍କ ପରିବାର ଲୋକଙ୍କୁ ଏହା ପସନ୍ଦ ନଥିଲା । ପ୍ରଦୀପ କାହା କଥା ଶୁଣିନଥିଲେ । ନିଜ କ୍ୟାମ୍ପେନ ଜାରି ରଖିଲେ । 

ଅନେକ ଲୋକଙ୍କ ସହଯୋଗ କ୍ରମେ ଏହି ସଫେଇ ଅଭିଯାନକୁ ଆଗକୁ ବଢାଇବାକୁ ୨୦୧୬ ପ୍ରଦୀପ ଲଞ୍ଚ କଲେ ‘ଦ ହିଲିଂ ହିମାଳୟ ଫାଉଣ୍ଡେସନ୍’ । ଧିରେ ଧିରେ ଏହି ଫାଉଣ୍ଡେସନର ଲୋକପ୍ରିୟତା ବଢିଲା । ପ୍ରଦୀପଙ୍କ ସହ ଯୋଡି ହେଲେ ସ୍ଥାନୀୟ ଲୋକ, ତାଙ୍କ ବନ୍ଧୁ ଓ ଅନେକ ସ୍ବେଚ୍ଛାସେବୀ । ଏବେ ଏହି ଫାଉଣ୍ଡେସନ ପକ୍ଷରୁ ହିମାଳୟର ଜାଗା ଜାଗାରେ ଡଷ୍ଟବିନ୍ ଓ ବ୍ୟାଗ୍ ଯୋଗାଇ ଦିଆଯାଉଛି । 

ଯେମିତି ଏଠାକୁ ଆସୁଥିବା ପର୍ଯ୍ୟଟକ ବା ସ୍ଥାନୀୟ ବାସିନ୍ଦା ଆବର୍ଜନାକୁ ଏଣେ ତେଣେ ଫୋପାଡିବେନି । ଫାଉଣ୍ଡେସନ ପକ୍ଷରୁ ପରିବେଶ ପ୍ରଦୂଷଣକୁ ନେଇ ଲୋକଙ୍କୁ ସଚେତନ କରାଯିବା ସହ ଅଭିଯାନରେ ଆଖପାଖ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କୁ ଯୋଡିବାକୁ ପ୍ରୟାସ କରାଯାଉଅଛି । 

ଏଠାରେ ବାହାରୁଥିବା ଆବର୍ଜନାକୁ ଫାଉଣ୍ଡେସନ ପକ୍ଷରୁ ରିସାଇକ୍ଲିଙ୍ଗ ସେଣ୍ଟରକୁ ପଠାଯାଉଅଛି । ଯେଉଁଠି ଆବର୍ଜନାରୁ ବିଦ୍ୟୁତ ଶକ୍ତି ଉତ୍ପାଦନ ହେଉଛି । ଏ ପର୍ଯ୍ୟନ୍ତ ପ୍ରଦୀପ ଓ ତାଙ୍କ ସଂଗଠନ ‘ୟଙ୍ଗ୍ ବ୍ରିଗେଡ୍’ ପାଖାପାଖି ୫ ଲକ୍ଷ କେଜି ଆବର୍ଜନା ସଫା କରିସାରିଲେଣି । ତାଙ୍କ ଦ୍ବାରା କରାଯାଉଥିବା ସଫେଇ କ୍ୟାମ୍ପରେ ବିଭିନ୍ନ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କ ସହ ପର୍ଯ୍ୟଟକ ବି ଆସି ସହଯୋଗର ହାତ ବଢାଇଛନ୍ତି ।

Leave A Reply

Your email address will not be published.