Latest Odisha News

BREAKING NEWS

ଚଳିତ ବର୍ଷ ପ୍ରଥମ ଥର ଭର୍ଚୁଆଲ ପ୍ଲାଟଫର୍ମରେ ହେବ ଅନ୍ତର୍ଜାତୀୟ ଓଡିଶା ପର୍ବ-୨୦୨୧

ନୂଆଦିଲ୍ଲୀ: ଆସନ୍ତା ୨୭ ଓ ୨୮ ତାରିଖରେ ଆୟୋଜିତ ହେବ ଅନ୍ତର୍ଜାତୀୟ ଓଡିଶା ପର୍ବ-୨୦୨୧ । କୋଭିଡ୍ ୧୯ କଟକଣାକୁ ଦୃଷ୍ଟିରେ ରଖି, ଓଡିଶା ପର୍ବ ପ୍ରଥମ ଥର ପାଇଁ ଭର୍ଚୁଆଲ ପ୍ଲାଟଫର୍ମରେ ଆୟୋଜିତ ହେବାକୁ ଯାଉଛି । ନୂଆଦିଲ୍ଲୀର ଓଡିଆ ସମାଜ ପକ୍ଷରୁ ଆୟୋଜିତ ଏହି ସାଂସ୍କୃତିକ ମହାକୁମ୍ଭରେ ଓଡିଶାର ନିଆରା କଳା, ସଂସ୍କୃତି, ଐତିହ୍ୟ ଓ ପରମ୍ପରାକୁ ପ୍ରଦର୍ଶିତ କରାଯିବ ।

ମାର୍ଚ୍ଚ ୨୭ ମାର୍ଚ୍ଚ ଶନିବାର ସନ୍ଧ୍ୟା ୭ଟାରୁ ପ୍ରଥମ ଭର୍ଚୁଆଲ ଅନ୍ତର୍ଜାତୀୟ ଓଡିଶା ପର୍ବ-୨୦୨୧ର ଶୁଭାରମ୍ଭ କରାଯିବ । କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ଏବଂ ଇସ୍ପାତ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ବିଶିଷ୍ଟ ଭାସ୍କର‌୍ୟ୍ୟ ଶିଳ୍ପୀ ତଥା ସ୍ଥପତି ପଦ୍ମବିଭୂଷଣ ଡ. ରଘୁନାଥ ମହାପାତ୍ର, ଭାରତୀୟ ସ୍ଥଳସେନାର ଉପମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡି ପ୍ରସାଦ ମହାନ୍ତି, ସ୍ୱାଗତ ସମ୍ଭାଷଣ ପ୍ରଦାନ କରିବେ । ଓଡିଆ ସମାଜରପ ସଭାପତି ସିଦ୍ଧାର୍ଥ ପ୍ରଧାନ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଦର୍ଶକଙ୍କୁ ଉଦ୍ବୋଧନ ଦେବେ ।

ଉଦଘାଟନୀ ସନ୍ଧ୍ୟାରେ ଗୁରୁ ମଧୁମିତା ରାଉତଙ୍କ ଗ୍ରୁପ ‘ବନ୍ଦେ ଉତ୍କଳ ଜନନୀ’ନୃତ୍ୟ ପ୍ରଦର୍ଶନ କରିବେ । ଏଥି ସହ ଯୋଡ଼ିଶଙ୍ଖ, ପଶୁମୁଖା ନାଚ, ରଣପା ନାଚ, ମାଲଖମ୍ବ, ବଣ୍ଡା ଜନଜାତି ନୃତ୍ୟ, ସମର କଳା ଆଦି ପ୍ରଦର୍ଶିତ ହେବ । ଏଥର କିଛି ଭିନ୍ନ ହେବ କାରଣ ସାରା ବିଶ୍ୱର ଓଡ଼ିଆମାନେ ଏଥିରେ ଅଂଶଗ୍ରହଣ କରି ସେମାନଙ୍କର ସାଂସ୍କୃତିକ ଐତିହ୍ୟ ପ୍ରଦର୍ଶନ କରିବେ ।

ପାଇକ ବିଦ୍ରୋହର ସ୍ୱର୍ଣ୍ଣିମ ଇତିହାସର ସ୍ମୃତିକୁ ଉଜ୍ଜୀବିତ କରିବା ପାଇଁ ଐତିହାସିକ ବରୁଣେଇ ପାହାଡ଼ ପାଦଦେଶରେ ମୋକ୍ଷ ଡ୍ୟାନ୍ସ ଗ୍ରୁପ୍, କଟକଙ୍କ ଦ୍ୱାରା ରେକର୍ଡ ହୋଇଥିବା ଏକ ସମକାଳୀନ ନୃତ୍ୟ ଏହି ଭବ୍ୟ ଉତ୍ସବକୁ ରଙ୍ଗାୟିତ କରିବ । ସଙ୍ଗୀତର ଆସର ମଧ୍ୟ ଅନ୍ତର୍ଜାତୀୟ ଓଡ଼ିଶା ପର୍ବର ଏକ ଅଂଶ ବିଶେଷ । ଓଲିଉଡ୍ କଣ୍ଠଶିଳ୍ପୀ ତାନ୍ସେନ୍ ସିଂହ, ତପୁ ମିଶ୍ର, ଦୀପ୍ତିରେଖା, ସୋହିନୀ ମିଶ୍ର, ସ୍ୱୟଂ ପାଢୀ, ତାରିକ୍ ଅଜିଜ୍, ଆଶୁତୋଷଙ୍କ ପରି ଅନେକ ସୁପରିଚିତ କଣ୍ଠଶିଳ୍ପୀ ନିଜ ସଙ୍ଗୀତର ମୂର୍ଚ୍ଛନାରେ ଦର୍ଶକମାନଙ୍କର ମନୋରଞ୍ଜନ କରିବେ ।

Leave A Reply

Your email address will not be published.