Latest Odisha News

BREAKING NEWS

ରୋଗୀଙ୍କ ଜୀବନ ସହିତ ଖେଳ, କଟକ ଅନ୍ନପୂର୍ଣ୍ଣା ନର୍ସିଂହୋମ୍ ସିଲ୍, ରୋଗୀ ଚାଲାଣ ଅଭିଯୋଗ

କଟକ: ଦଲାଲଙ୍କ ରୋଗୀ ଚାଲାଣ ଅଭିଯୋଗରେ କଟକ ମଙ୍ଗଳାବାଗ ଥାନା ପୋଲିସର କଡା କାର୍ଯ୍ୟାନୁଷ୍ଠାନ । ରୋଗୀଙ୍କ ଜୀବନ ସହିତ ଖେଳ ଖେଳି ଦଲାଲଙ୍କ ଏଭଳି ଅମାନବୀୟ କାରନାମାର ପର୍ଦ୍ଦାଫାସ କରିଛି ପୋଲିସ । କଟକ ବଡ ମେଡିକାଲରୁ ରୋଗୀଙ୍କୁ ଦଲାଲ ମାଧ୍ୟମରେ କଟକ ଅନ୍ନପୂର୍ଣ୍ଣା ନର୍ସିଂହୋମ୍କୁ ନିଆଯାଉଥିବା ଅଭିଯୋଗ ହୋଇଛି ।  

ଅଭିଯୋଗ ଅନୁସାରେ ଝାଡଖଣ୍ଡର ସିଂହଭୂମ ଜିଲ୍ଲାରୁ କଟକ ବଡ ମେଡିକାଲକୁ ଆସିଥିଲେ ଜଣେ ରୋଗୀ । ତାଙ୍କୁ ମେଡିକାଲରୁ ଦଲାଲ ମାଧ୍ୟମରେ ମଙ୍ଗଳାବାଗ ରିଂରୋଡରେ ଥିବା ଅନ୍ନପୂର୍ଣ୍ଣା ନର୍ସିଂହୋମକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ସମ୍ପୃକ୍ତ ରୋଗୀଙ୍କୁ ଆଇସିୟୁରେ ରଖି ଚିକିତ୍ସା କରାଯାଉଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା । କିନ୍ତୁ ମହିଳା ଜଣଙ୍କ ଜୀବିତ ଅଛନ୍ତି କହି ପରିବାର ଲୋକଙ୍କଠାରୁ ଚିକିତ୍ସା ପାଇଁ ଆହୁରି ଟଙ୍କା ଦାବି କରିଥିଲେ ଅନ୍ନପୂର୍ଣ୍ଣା ନର୍ସିଂହୋମ କର୍ତ୍ତୃପକ୍ଷ ।

ଶେଷରେ ଅତିଷ୍ଠ ହୋଇ ପରିବାର ଲୋକେ ମଙ୍ଗଳାବାଗ ଥାନାରେ ଏତଲା ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରି ଜାଣିବାକୁ ପାଇଥିଲା ସମ୍ପୃକ୍ତ ମହିଳାଙ୍କର ମୃତ୍ୟୁ ହୋଇସାରିଥିଲେ ମଧ୍ୟ ଅନ୍ନପୂର୍ଣ୍ଣା ନର୍ସିଂହୋମ୍ କର୍ତ୍ତୃପକ୍ଷ ତାଙ୍କୁ ଜୀବିତ ଦର୍ଶାଇ ଟଙ୍କା ଲୁଟୁଥିଲେ ।ଏହାସହ ଆହୁରି ମଧ୍ୟ ଜାଣିବାକୁ ପାଇଥିଲା କଟକ ବଡ ମେଡିକାଲରୁ ଦଲାଲ ସାହାଯ୍ୟରେ ଏହି ମହିଳାଙ୍କୁ ଅନ୍ନପୂର୍ଣ୍ଣା ନର୍ସିଂହୋମକୁ ଅଣାଯାଇଥିବା ଘଟଣା ।

ଖାଲି ସେତିକି ନୁହେଁ, ବିନା ଡାକ୍ତରରେ ଚାଲିଥିଲା ଅନ୍ନପୂର୍ଣ୍ଣା ନର୍ସିଂହୋମ । ତଦନ୍ତ ସମୟରେ ନର୍ସିଂହୋମର ଲାଇସେନ୍ସ ନବୀକରଣ ହୋଇନଥିବା ମଧ୍ୟ ଜଣାପଡିଛି । ସ୍ବାସ୍ଥ୍ୟ ବିଭାଗ ନର୍ସିଂହୋମକୁ ସିଲ୍ କରିଛି ଓ ନର୍ସିଂହୋମ ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି ।

Leave A Reply

Your email address will not be published.