Latest Odisha News

BREAKING NEWS

ବିଜୟ ପରେ ପ୍ରତିକ୍ରିୟା ରଖିଲେ ମମତା, କହିଲେ ବାଂଲାର ହୋଇଛି ବିଜୟ

କୋଲକାତା : ପଶ୍ଚିମବଙ୍ଗରେ ଟିଏମସିର ବିପୁଳ ବିଜୟ । ଫେଲ୍ ମାରିଛି ବିଜେପିର ସବୁ ଅଙ୍କ । ଶେଷରେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ବାଜିମାତ କରିଛି ତୃଣମୂଳ କଂଗ୍ରେସ । ହେଲେ ନନ୍ଦିଗ୍ରାମ ଆସନରୁ ହାରିଛନ୍ତି ମମତା ବାନାର୍ଜୀ । ପୂର୍ବରୁ ମମତା ବାନାର୍ଜୀ ଜିତିଛନ୍ତି ବୋଲି କୁହାଯାଉଥିବା ବେଳେ, ଶେଷରେ ଶୁଭେନ୍ଦୁ ଅଧିକାରୀଙ୍କ ନିକଟରୁ ପରାସ୍ତ ହୋଇଛନ୍ତି ମମତା ବାନାର୍ଜୀ । ତେବେ ଦଳର ବିଜୟ ପରେ ପ୍ରତିକ୍ରିୟା ରଖିଛନ୍ତି ମମତା ବାନାର୍ଜୀ । କହିଛନ୍ତି, ବାଂଲାର ବିଜୟ ହୋଇଛି ।

ବିଜୟ ପରେ ମମତା ବାନାର୍ଜୀ ସମସ୍ତଙ୍କ ପଶ୍ଚିମବଙ୍ଗବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହା ଲୋକତନ୍ତ୍ରର ବିଜୟ ବୋଲି କହିଛନ୍ତି ମମତା । ତେବେ ସେ ବିଜୟ ଶୋଭାଯାତ୍ରା ନ କରିବାକୁ ସମର୍ଥକଙ୍କୁ କହିବା ସହ କରୋନା ଗାଇଡ ଲାଇନ୍ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି । ମମତାଙ୍କ ବିଜୟ ପରେ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲ, ଓମାର ଅବଦୁଲ୍ଲା, ପିଡିପି ନେତ୍ରୀ ମେହବୁବା ମୁଫତି, ଏନସିପି ସୁପ୍ରିମୋ ଶରଦ ପାଓ୍ୱାର, ଆରଜେଡି ନେତା ତେଜସ୍ୱୀ ଯାଦବ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମମତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ତେବେ ବିଜୟ ପରେ ମମତା କହିଛନ୍ତି, ନନ୍ଦିଗ୍ରାମର ପରାଜୟକୁ ସେ ସ୍ବୀକାର କରୁଛନ୍ତି । ତେବେ ନନ୍ଦିଗ୍ରାମରେ କଣ ହୋଇଛି ଏହାକୁ ଆମେ ଭୁଲି ବାଂଲାର ବିଜୟ ହୋଇଛି ବୋଲି କହିଛନ୍ତି ମମତା । ସେହିପରି ବିଜୟ ପରେ ସମସ୍ତ ପଶ୍ଚିମବଙ୍ଗବାସୀଙ୍କୁ ମାଗଣାରେ କରୋନା ଟିକା ଦେବାକୁ କହିଛନ୍ତି ଦିଦି । ଏପରକି ରାଜ୍ୟକୁ ମାଗଣାରେ ଟିକା ଦେବାକୁ କେନ୍ଦ୍ର ନିକଟରେ ଦାବି କରିବେ ବୋଲି କହିଛନ୍ତି ମମତା ବାନାର୍ଜୀ । ଏହାସହ ନିର୍ବାଚନରେ କେନ୍ଦ୍ରର ସବୁ ଷଡଯନ୍ତ୍ର ବିଫଳ ହୋଇଛି ବୋଲି ପ୍ରତିକ୍ରିୟାରେ କହିଛନ୍ତି ଦିଦି ।

Comments are closed.