Latest Odisha News

BREAKING NEWS

UK wildlife park: ବୁଲିବାକୁ ଯାଇଥିଲେ ଚିଡ଼ିଆଖାନା, ବାଘ ମୁହଁରେ ପଡ଼ିଗଲେ ବ୍ୟକ୍ତି! ତା’ପରେ ଯାହା ଘଟିଲା… ଚିଡ଼ିଆଖାନାରେ ହଇଚଇ!

ନୂଆଦିଲ୍ଲୀ: ବାଘ ଦେଖିବାକୁ ଯାଇଥିଲେ! ବାଘର ଶିକାର ସାଜିଲେ! ଚିଡ଼ିଆଖାନାକୁ ବୁଲିବାକୁ ଯାଇଥିଲେ, ହେଲେ ଫେରିବା ବେଳକୁ ଘଟିଗଲା ଅଘଟଣ! ବାଘକୁ ଦେଖିବା ପାଇଁ ଯାଇଥିବା ବ୍ୟକ୍ତି ନିଜେ ବାଘ ଖୁଆଡ଼ ଭିତରେ ପଶିଗଲେ। ଆଉ ତା’ପରେ ଯାହା ଘଟିଲା, ତାହା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ବାଘ ଆକ୍ରମଣରେ ଚାଲିଯାଇଛି ବ୍ୟକ୍ତିଙ୍କ ଜୀବନ। ଚିଡ଼ିଆଖାନା ବୁଲିବାକୁ ଯାଇଥିବା ଲୋକଙ୍କ ପାଇଁ ଏହି ଘଟଣା ଏବେ ଚିନ୍ତାର ବିଷୟ ପାଲଟିଛି।

ଏଭଳି ଏକ ଦୁଃଖଦ ଘଟଣା ଘଟିଛି ବ୍ରିଟେନର ଇଂଲଣ୍ଡରେ ଥିବା ୟର୍କଶାୟର ୱାଇଲ୍ଡଲାଇଫ୍ ପାର୍କରେ। ଏଠାରେ ଜଣେ ବ୍ୟକ୍ତି ବାଘ ରହୁଥିବା ଖୁଆଡ଼ ଭିତରକୁ ପଶିଯିବା ପରେ ବାଘ ଆକ୍ରମଣରେ ତାଙ୍କର ମୃତ୍ୟୁ ହୋଇଛି। ଶନିବାର ଦିନ ଅପରାହ୍ନ ପ୍ରାୟ ୧ଟା ୩୫ ମିନିଟ୍‌ରେ ଏନେଇ ପୋଲିସକୁ ଖବର ମିଳିଥିଲା। ଖବର ପାଇବା ପରେ ପୋଲିସ ଓ ଜରୁରୀକାଳୀନ ସେବା ଟିମ୍‌ ତୁରନ୍ତ ଘଟଣାସ୍ଥଳରେ, କିନ୍ତୁ ସେତେବେଳକୁ ବ୍ୟକ୍ତିଙ୍କ ଜୀବନ ଚାଲିଯାଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।

ଏହି ଘଟଣା ପରେ ପାର୍କ ପରିସରରେ ଆତଙ୍କ ଓ ଉଦ୍‌ବେଗର ପରିସ୍ଥିତି ସୃଷ୍ଟି ହୋଇଥିଲା। ସୁରକ୍ଷା ଦୃଷ୍ଟିରୁ ପାର୍କରୁ ଲୋକଙ୍କୁ ବାହାର କରାଯାଇଥିଲା ଏବଂ ପାର୍କକୁ ସାମୟିକ ଭାବେ ବନ୍ଦ ରଖାଯାଇଥିଲା। ରବିବାର ଦିନ ମଧ୍ୟ ପାର୍କ ବନ୍ଦ ରହିଥିବା କୁହାଯାଇଛି ।

ଅନ୍ୟପଟେ ଆକ୍ରମଣ କରିଥିବା ବାଘଟି ଖୁଆଡ଼ ଭିତରେ ରହିଥିଲା। ବାଘଟି ସୁରକ୍ଷିତ ଥିବା ପୋଲିସ ସ୍ପଷ୍ଟ କରିଛି। ଆକ୍ରମଣ ପରେ ମଧ୍ୟ ବାଘଟି ଖୁଆଡ଼ ଭିତରେ ରହିଥିଲା ଏବଂ ସାଧାରଣ ଲୋକଙ୍କ ପାଇଁ ଆଉ କୌଣସି ବିପଦ ନଥିବା କୁହାଯାଇଛି। ଘଟଣାର ଭିଡିଓ ସୋସିଆଲ୍ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେଉଥିବା ବେଳେ ଏଭଳି ଦୁଃଖଦ ଦୃଶ୍ୟର ଭିଡିଓ କିମ୍ବା ଫଟୋ ସୋସିଆଲ ମିଡିଆରେ ପ୍ରସାର ନକରିବାକୁ ପୋଲିସ ଲୋକଙ୍କୁ ଅନୁରୋଧ କରିଛି।

ତେବେ ଏଠାରେ ସବୁଠାରୁ ବଡ଼ ପ୍ରଶ୍ନ ଉଠୁଛି, ବ୍ୟକ୍ତି ଜଣକ କାହିଁକି ବାଘ ଖୁଆଡ଼ ଭିତରକୁ ପଶିଥିଲେ? ସେ ଜାଣିଶୁଣି ବାଘ ଖୁଆଡ଼ ଭିତରକୁ ଡେଇଁଥିଲେ, ନା ଅସାବଧାନତାବଶତଃ ଖସିପଡ଼ିଥିଲେ? ଏନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳିନାହିଁ। ପୋଲିସ ଘଟଣାର ତଦନ୍ତ କରୁଛି। ତେବେ ଯଦି ବ୍ୟକ୍ତି ଜଣକ ଜାଣିଶୁଣି ଖୁଆଡ଼ ଭିତରକୁ ଡେଇଁଥିଲେ, ସେ ଏପରି କାହିଁକି କରିଥିଲେ, ତାହା ତଦନ୍ତ ପରେ ହିଁ ସ୍ପଷ୍ଟ ହେବ।

Leave A Reply

Your email address will not be published.