ସମ୍ବଲପୁର: ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ରେଙ୍ଗାଲି ନିକଟରେ ଏକ ଘରୋଇ କମ୍ପାନୀର କର୍ମଚାରୀଙ୍କୁ ନେଇ ଯାଉଥିବା ଏକ ବସ୍ ଏକ କଣ୍ଟେନର ଟ୍ରକ୍ ପଛପଟେ ଧକ୍କା ହେବା ଫଳରେ ଅତିକମରେ ୩୩ ଜଣ ଆହତ ହୋଇଛନ୍ତି।
ଆହତଙ୍କ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ଶନିବାର ରାତିରେ ରେଙ୍ଗାଲିର ରାମପାଲି ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ବସ୍ ଆଗରେ ଯାଉଥିବା କଣ୍ଟେନର ଟ୍ରକ୍ ଟି ହଠାତ୍ ବ୍ରେକ୍ ମାରିବାରୁ ବସ୍ଟି ଏହାର ପଛପଟେ ଧକ୍କା ହୋଇଥିଲା। ଏହି ଭୟଙ୍କର ଦୁର୍ଘଟଣାରେ ବସ୍ର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଚୁରମାର ହୋଇଯାଇଥିବା ବେଳେ ଗାଡ଼ିର ଡ୍ରାଇଭର ଭିତରେ ଚାପି ହୋଇ ଫସି ରହିଥିଲେ। ସେହିପରି ବସ୍ ଭିତରେ ଅନେକ କର୍ମଚାରୀ ମଧ୍ୟ ଫସି ରହିଥିଲେ।
ଖବର ପାଇ ପୋଲିସ ଓ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅଗ୍ନିଶମ କର୍ମଚାରୀମାନେ ଆଧୁନିକ ହାଇଡ୍ରୋଲିକ୍ କଟର୍ ଏବଂ ସ୍ପ୍ରେଡର୍ ସାହାଯ୍ୟରେ ବସ୍ର ଡୋର୍ କୁ କାଟିଥିଲେ। ପ୍ରାୟ କିଛି ସମୟର କଠିନ ପରିଶ୍ରମ ପରେ ଡ୍ରାଇଭରଙ୍କୁ ସୁରକ୍ଷିତ ଭାବେ ବାହାରକୁ ଅଣାଯାଇଥିଲା। ଆହତମାନଙ୍କୁ ଉଦ୍ଧାର ପରେ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଅପରପକ୍ଷରେ ବସ୍ ଚାଳକଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି।

