Latest Odisha News

ପାଟଣାଗଡ଼ ଉପକାରାଗାରରେ ୪୦ ଅନ୍ତେବାସୀଙ୍କୁ କରୋନା, ଜଣେ ମୃତ

ବଲାଙ୍ଗିର: ରାଜ୍ୟରେ କରୋନା ସଂକ୍ରମଣ ମାମଲା ବଢ଼ୁଥିବା ବେଳେ ଜେଲରେ ଭୂତାଣୁର ବିସ୍ଫୋରଣ ହୋଇଛି । ବଲାଙ୍ଗିରର ପାଟଣାଗଡ଼ ଉପକାରାଗାରରେ ୪୦ ଜଣ ଅନ୍ତେବାସୀ କୋଭିଡ୍ ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ସଂକ୍ରମିତ ଅନ୍ତେବାସୀଙ୍କ ମଧ୍ୟରୁ ଜଣେ କଏଦୀ କରୋନାରେ ପ୍ରାଣ ହରାଇଛନ୍ତି ।

ମୃତକ ଜଣଙ୍କ ଖପ୍ରାଖୋଲ ବ୍ଲକ ଧାନମୁଣ୍ଡାର ବଲ୍ଲଭ ପ୍ରଧାନ ବୋଲି ଜଣାପଡ଼ିଛି । ବେଆଇନ୍ ଭାବେ କଫ୍ ସିରପ୍ ବିକ୍ରି ଅଭିଯୋଗରେ ଗତ ଏପ୍ରିଲ୍ ୨୫ରେ ତାଙ୍କୁ ଗିରଫ କରାଯାଇଥିଲା । ଏପ୍ରିଲ୍ ୩୦ରେ ସେ କୋଭିଡ୍ ସଂକ୍ରମିତ ହେବା ପରେ ତାଙ୍କୁ ପାଟଣାଗଡ଼ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ପରେ ସ୍ୱାସ୍ଥ୍ୟ ବିଗିଡ଼ାବାରୁ ତାଙ୍କୁ ବଲାଙ୍ଗିର ସ୍ଥିତ ଭୀମଭୋଇ ମେଡିକାଲ୍ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ତାଙ୍କର ମୃତ୍ୟୁ ହୋଇଛି । ସୂତ୍ର ଅନୁସାରେ, ଜେଲ ଅନ୍ତେବାସୀଙ୍କୁ ଆଇସୋଲେସନରେ ରଖିବା ପାଇଁ ସ୍ଥାନର ଅଭାବ ରହିଛି । ଜେଲର କିଛି କର୍ମଚାରୀ ମଧ୍ୟ କୋଭିଡ୍ ସଂକ୍ରମିତ ହୋଇଥିବା ଜଣାପଡ଼ିଛି ।

Leave A Reply

Your email address will not be published.