ବରିଷ୍ଠ ପାଲା ଗାୟକ ଗଙ୍ଗାଧର ପୁହାଣ । ନିଜର ଏକ ସ୍ୱତନ୍ତ୍ର ଗାୟନ ଶୈଳୀ ପାଇଁ ସେ ପାଲା ଜଗତରେ ପରିଚିତ । ଛାନ୍ଦ, ଚମ୍ପୂ, ଚୌପଦୀ, ଓଡିଶୀ ଗାଇବାରେ ସିଦ୍ଧହସ୍ତ ଗାୟକ ସୌରଭ, ଗଙ୍ଗାଧର ପୁହାଣ ଦର୍ଶକଙ୍କୁ ପାଲାରେ ଶେଷ ପର୍ଯ୍ୟନ୍ତ ବାନ୍ଧି ରଖିଥାନ୍ତି ।
୧୯୫୩ ମସିହା ମାର୍ଚ୍ଚ ୧୩ ତାରିଖରେ କଟକ ଜିଲ୍ଲା ଉଗାଳପୁର ଗ୍ରାମରେ ଗଙ୍ଗାଧର ପୁହାଣ ଜନ୍ମଗ୍ରହଣ କରିଥିଲେ । ବାପା ବଂଶୀଧର ପୁହାଣ ଓ ମାଆ ଦୁଲ୍ଲଣା ଦେବୀ । ପାଂଚ ଭାଇଙ୍କ ମଧ୍ୟରେ ଗଙ୍ଗାଧର ଥିଲେ ସବୁଠୁ ସାନ । ପିଲା ଦିନରୁ ତାଙ୍କର ସଙ୍ଗୀତ, ସାହିତ ପ୍ରତି ଅହେତୁକ ଦୁର୍ବଳତା ରହିଥିଲା । ପିଲା ଦିନେ ତାଙ୍କ ଗୀତ ଗାଇବା ଶୁଣି ପରିବାର ଲୋକେ କହନ୍ତି, ସତରେ କଣ ଇଏ ପାଲା ଗାୟକ ହେବ । ସେତେବେଳେ ଗଙ୍ଗାଧର ସେମାନଙ୍କୁ କହୁଥିଲେ, ଅଳ୍ପଦିନ ଅପେକ୍ଷା କର, ମୁଁ ନିଶ୍ଚୟ ପାଲା ଗାୟକ ହେବି ।
ଚୌଦ୍ୱାରରେ ତାଙ୍କର ଦୁଇ ଭାଇମାନେ ଚାକିରି କରୁଥିଲେ । ସେହି ସମୟରେ ଚୌଦ୍ୱାର ପାଲା ମଂଚରେ ୨୧ ରାତି ବାଦୀପାଲା ଅନୁଷ୍ଠିତ ହେଉଥିଲା । ଗଙ୍ଗାଧର ଭାଇମାନଙ୍କ ପାଖକୁ ଯାଇ ସେଠାରେ ବାଦୀପାଲା ଦେଖନ୍ତି । ଥରେ ପ୍ରଖ୍ୟାତ ଗାୟକ ନିରଞ୍ଜନ କର ଏବଂ ମଧୁସୂଦନ ଦାସଙ୍କର ପାଲା ଦେଖି ସେ ଏତେ ତନ୍ମୟ ହୋଇଯାଇଥିଲେ ଯେ, ନିଜେ ପାଲା ଗାଇବାକୁ ସ୍ଥିର କଲେ । ଗାଁକୁ ଫେରିବା ପରେ ୧୯୭୨ ମସିହାରେ ଦୀନବନ୍ଧୁ ରଣାଙ୍କୁ ଗୁରୁ ରୂପେ ଗ୍ରହଣ କରି ତାଙ୍କଠାରୁ ଚାମର ଗ୍ରହଣ କଲେ । ପାଲା ଗାଇବାକୁ ହେଲେ ସଂସ୍କୃତ ଶିଖିବା ନିହାତି ଦରକାର, ତେଣୁ ସେ ଦେବରାଜ ପଣ୍ଡିତଙ୍କଠାରୁ ସଂସ୍କୃତ ଶିକ୍ଷାଗ୍ରହଣ କଲେ ।
ପରବର୍ତ୍ତୀ ସମୟରେ ବଡମ୍ବାର ପ୍ରଖ୍ୟାତ ଗାୟକ ଅନନ୍ତ ପ୍ରଧାନଙ୍କୁ ମଧ୍ୟ ଗୁରୁଭାବେ ଗ୍ରହଣ କରି ସଙ୍ଗୀତ, ନୃତ୍ୟ ଝଙ୍କାର ଆଦି ଶିଖିିଲେ । ପରେ ମାଣିଆବନ୍ଧର ଗୌରାଙ୍ଗ ଚରଣ ଦେବତାଙ୍କୁ ଗୁରୁ କରି ତାଙ୍କଠାରୁ ସାହିତ୍ୟ, ନାଟକ ଆଦି ଶିଖିବାକୁ ଲାଗିଲେ ।
ପାଲା ଶିଖିବା ବେଳେ ଭାଇମାନେ ଗଙ୍ଗାଧରଙ୍କୁ ବହୁ ସାହାଯ୍ୟ କରିଥିଲେ । ବଡଭାଇ ଚୌଦ୍ୱାରରୁ ପିତଳ ବେଂଟ ଲାଗିଥିବା ଚାମର କିଣିଦେଲେ । ଅନ୍ୟ ଜଣେ ଭାଇ ଗିନି କିଣିିଦେଲେ । ଗାଁରେ ଚାଷ କାମ କରୁଥିବା ଭାଇମାନେ କହିଲେ, ଆମେ ଚାଷ କଥା ବୁଝୁଛୁ, ତୁ କେବଳ ପାଠ ପଢ, ଯେମିତି ଭଲ ଗାୟକ ହେବୁ । ଗ୍ରାମବାସୀ ମଧ୍ୟ ଗଙ୍ଗାଧରଙ୍କୁ ବହୁତ ସହାୟତା କରିଥିଲେ । ଯିଏ ବାହାରକୁ ଯାଆନ୍ତି ଗଙ୍ଗାଧରଙ୍କ ପାଇଁ ବହି ନେଇ ଆସନ୍ତି ।
ବଡମ୍ବାର ଅଧିଷ୍ଠାତ୍ରୀ ଦେବୀ ମାଆ ଭଟ୍ଟାରିକାଙ୍କ ଆଶୀର୍ବାଦ ଲାଭ କରିଥିଲେ ଗଙ୍ଗାଧର ପୁହାଣ । ରତ୍ନଗିରି ପାହାଡର ବାବାଜୀ ଗୁମ୍ଫାରେ ବସି ଅନେକ ସମୟରେ ସେ ବିଦ୍ୟା ଅଧ୍ୟୟନ କରୁଥିଲେ । ଗାୟକ କେଶରୀ ଉଦୟନାଥ ରଥଶର୍ମାଙ୍କ ରଚିତ ବିଭିନ୍ନ କାବ୍ୟ, ନାଟକ ଗାୟନ କରିବାକୁ ଶ୍ରୀଯୁକ୍ତ ପୁହାଣ ଭଲ ପାଆନ୍ତି । ବିଶେଷ କରି ଛନ୍ଦ କାବ୍ୟ ଗାଇବାରେ ତାଙ୍କର ସବୁଠାରୁ ଅଧିକ ଆଗ୍ରହ । ଭଞ୍ଜ ସାହିତ୍ୟ ପରିବେଷଣରେ ମଧ୍ୟ ଶ୍ରୀଯୁକ୍ତ ପୁହାଣ ସିଦ୍ଧହସ୍ତ । ଗଞ୍ଜାମରେ ୨୧ ରାତି କେବଳ ଭଞ୍ଜ ସାହିତ୍ୟ ଉପରେ ଆଲୋଚନା କରି ସେ ସୁନାର ଖଡୁ ଏବଂ ବ୍ରହ୍ମପୁର ପାଟ ପୁରସ୍କାର ଭାବେ ପାଇଥିଲେ । ଏଥିସହ ପାଲା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ରାଜ୍ୟର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଅନେକ ପୁରସ୍କାର, ମାନପତ୍ର ଏବଂ ଉପାଧି ମିଳିଛି ।
Comments are closed.