ସହର ବର୍ତ୍ତମାନ ତାଲାବନ୍ଦ ଚକ୍ରବ୍ୟୁହରେ ଛନ୍ଦି ହୋଇ ପଡିଛି। ଗତ ବର୍ଷ ଭଳି ଏ ବର୍ଷ ସେପରି ଲୋକମାନଙ୍କ ମଧ୍ୟରେ କୋଳାହଳ ନାହିଁ ; କେବେ ତାଲାବନ୍ଦ ଅନ୍ତ ଘଟିବ। ଅବଶ୍ୟ ଗଣମାଧ୍ୟମରେ କିଛି ବିଶେଷଜ୍ଞ ଯେଉଁମାନେ ତାଲାବନ୍ଦ ପାଇଁ ଆହ୍ୱାନ ଦେଇଥିଲେ ସେହିମାନେ କେତେବେଳେ କହୁଛନ୍ତି ଏହା ବଢ଼ିବା ଦରକାର ତ କେତେବେଳେ ଖୋଲାହେବା ସମୟ ଆସିବାର କହୁଛନ୍ତି ଏବଂ ଅନ୍ୟପଟେ ଆଜିକାଲି କାହାକୁ ଫୋନ କରିବା ମଧ୍ୟ ବେଳେ ବେଳେ ଏତେ ଭୟଙ୍କର ଲାଗୁଛି ତାହା ପରିକଳ୍ପନା କରିହେଉନି।
କାହାକୁ ଦେଖିଲେ କିଛି ଜାଣି ହଉନି । ନା ସେ ପରିପ୍ରକାଶ କରିପାରୁଛନ୍ତି, ଆଉ ହଠାତ ଶୁଣିବାକୁ ମିଳୁଛି କେହି ନିଜର ଭାଇ ବନ୍ଧୁ ଭଉଣୀ ଅବା କୁଟୁମ୍ବ ହରେଇ ବସିଲେଣି ତ କେହି ସୁସ୍ଥ ହୋଇ ଫେରିଲେଣି ତ କେହି ନିଜେ ନିଜେ ଚିକିତ୍ସିତ ହୋଇ ସୁସ୍ଥ ହୋଇଗଲେଣି। ଅନ୍ୟପଟରେ ଗତ ତାଲାବନ୍ଦ ସମୟରେ ଖବରକାଗଜ ପଢ଼ିବା ସୁଯୋଗ ମିଳୁନଥିଲା, ଏବେ ଲାଗୁଛି ଯେମିତି କେବଳ ଗୋଟିଏ ପ୍ରକାର ଖବର ଫଟୋରେ ଭରପୁର ଆଉ ଖବରକାଗଜ ଯେପରି କମ ପଡ଼ିଯିବ ବୋଧେ।
ନିତି ଏଠି ତାଲାବନ୍ଦରୁ ମୁକୁଳିବା ପାଇଁ ବହୁ ଅଭିମନ୍ୟୁ ଏହି ଚକ୍ରବ୍ୟୁହରେ ପ୍ରବେଶ କରୁଛନ୍ତି, ହେଲେ ତାଲାବନ୍ଦର ଅନ୍ତ ଘଟୁନି। ଏହା ଅର୍ଥ ନୁହେଁ ସମାଜ ପାଇଁ ଅଭିମନ୍ୟୁର ତ୍ୟାଗ ଓ ବଳିଦାନର କିଛି ମୂଲ୍ୟ ନାହିଁ ବରଂ ଏହା ମଧ୍ୟ ସତ୍ୟ ଅଭିମନ୍ୟୁକୁ ବାହାରିବା ବାଟ ଜଣା ନଥିଲା, କେବଳ ପ୍ରବେଶ ବିଦ୍ୟା ଜଣାଥିଲା । ଯାହା ମହାଭାରତରେ ସବୁଠାରୁ ଦୁଃଖ ଓ ଲୋମହର୍ଷଣକାରୀ ମୁହୂର୍ତ୍ତଥିଲା। ତେଣୁ ଆଜିର ସମାଜ ପାଇଁ ଅଭିମନ୍ୟୁର ତ୍ୟାଗ ଓ ବଳିଦାନର ଯେତିକି ଉତ୍ସାହିତ କରେ ସେତିକି ମଧ୍ୟ ବାର୍ତ୍ତା ଦିଏ ଅଳ୍ପ ବିଦ୍ୟା ଭୟଙ୍କର।
ଠିକ ସେହିପରି ଏକ ଭୟଙ୍କର ପରିସ୍ଥିତି ଆଡ଼କୁ ଆମ ସହର ଅଗ୍ରସର ହେବା ଅପେକ୍ଷା, ସମ୍ଭବତଃ ମଣିଷ ମଣିଷକୁ ଛୁଇଁ ନପାରେ, ଦୂରତ୍ୱ ରଖିବାକୁ ପଡ଼ିପାରେ, ଏକ ସକାରାତ୍ମକ ପରିବେଶ ସୃଷ୍ଟି ହଉ । ଆଜିର ଦିନରେ ସମସ୍ତେ ଏ ସହରେ ଅଭିମନ୍ୟୁ ହେବାର ଦରକାର ନାହିଁ ନା ତାଲାବନ୍ଦ ଗୁରୁ ଦ୍ରୋଣଙ୍କ ଭଳି ଚକ୍ରବ୍ୟୁହ। ଏଠି ସାଇକେଲରେ ଲୁଚିକି ଯିବାକୁ ପଡ଼ିପାରେ ହେଲେ ଅତ୍ୟାଧୁନିକ କାର ଧରି ଲୋକେ ଆସନ୍ତି ଘର ପାଖ ଦୋକାନକୁ ଚାହା ପିଇବା ପାଇଁ । ଏହା ସୂଚାଉଛି ତାଲାବନ୍ଦର ଅନ୍ୟ ଏକ ବିଶେଷତ୍ୱ।
ତେଣୁ ବର୍ତ୍ତମାନ ସରକାର ଅଭିମନ୍ୟୁ ଅପେକ୍ଷା ଶ୍ରୀକୃଷ୍ଣ ଏବଂ ଅର୍ଜୁନଙ୍କୁ ଖୋଜନ୍ତୁ । ତାଲାବନ୍ଦରୁ ବାହାରିବା ପାଇଁ ପ୍ରୟାସ ଆରମ୍ଭ ହେଉ। ଯୁଦ୍ଧରେ ସବୁବେଳେ ଚକ୍ରବ୍ୟୁହର ଆବଶ୍ୟକତା ନଥାଏ। ହୁଏତ ମହାଭାରତରେ ମଧ୍ୟ ଆବଶ୍ୟକତା ନଥିଲା ଠିକ ସେହିପରି ତାଲାବନ୍ଦର ଆବଶ୍ୟକତା ସବୁବେଳେ ନଥାଇପାରେ ; କିନ୍ତୁ ଏହାର ପ୍ରୟୋଗ କରି ମୁକୁଳିବା ଦିନକୁ ଦିନ ବହୁ କଷ୍ଟକର ହୋଇପଡ଼ୁଛି। ଏହା ମଧ୍ୟ ସତ୍ୟ ତାଲା ବନ୍ଦ ମହାମାରୀର ସମାଧାନର ମାଧ୍ୟମ ନୁହେଁ ନା ଫମ୍ପା ରାସ୍ତା। ହଁ, ସହରକୁ ଭିଡ଼ ମୁକ୍ତ ରଖିବା ଦରକାର, ଯାହା ମଟର ଗାଡି ଏବଂ ଭିଡ ଘଟୁଥିବା ସ୍ଥାନକୁ ବନ୍ଦ କରିବା ଦରକାର। ଏହା ପାଇଁ ଜୀବନଶୈଳୀରେ ସୁଧାର ଆଣିବାର ଅଛି, ତାଲାବନ୍ଦ ନୁହେଁ।
ଅନ୍ୟପଟରେ ବର୍ତ୍ତମାନର ସମାଜ ଏମିତି ଗତିକରୁଛି , ଯେପରି ମଣିଷର ମଣିଷ ସହିତ ସମ୍ପର୍କ ଜୀବନ୍ତ ରହୁନି। ମଣିଷ ମଧ୍ୟରେ କଣ ଘଟୁଛି ସେ ପରିପ୍ରକାଶ କରିବାର ଆନ୍ତରିକତା ରହୁନି। ଭୟ, ଗର୍ବ , ଅହଂକାର, ସ୍ୱାର୍ଥ ସବୁବେଳେ ମଣିଷର ହାତରେ ନଥାଏ , ବରଂ ବେଳେ ବେଳେ ମଣିଷ ନିଜେ ଟାଣିଥିବା ଲକ୍ଷ୍ମଣରେଖା ନିଜକୁ ଅସହାୟ କରିଦିଏ ଏବଂ କେତେ କେତେ ପରିବାର ଏଥିରେ ଛାର ଖାର ହୋଇଗଲେଣି । ମହାମାରୀରେ କେବଳ କିଏ କଣ ଭାବିବ ଚିନ୍ତାଧାରାରେ ସୁସ୍ଥ ମଣିଷ ହଟାତ ଖବର ମିଳୁଛି ଶ୍ମଶାନ ଅଭିମୁଖରେ। ହୁଏତ ମଣିଷ ଲକ୍ଷ୍ମଣରେଖା ଟାଣିବା ଅପେକ୍ଷା ଲକ୍ଷଣ ପରିପ୍ରକାଶ କଲେ ସମାଜରେ କିଛି ନା କିଛି ମାଧ୍ୟମ ବାହାରିବେ ମହାମାରୀରୁ ସୁସ୍ଥ ହେବା ପାଇଁ।
ସମଗ୍ର ବିଶ୍ୱ ବର୍ତ୍ତମାନ ମହାମାରୀର ଚକ୍ରବ୍ୟୁହରୁ ବାହାରୁଛି, ଟୀକା ନେଉଛନ୍ତି, ହେଲେ ଗହଳିପୂର୍ଣ୍ଣ ଜାଗାରୁ ଦୁରେଇ ରହୁଛନ୍ତି, ମୁହଁକୁ ତୁଣ୍ଡିରେ ଘୋଡେଇ ରଖୁଛନ୍ତି, ନିତ୍ୟ ବ୍ୟବଧାନରେ ହାତ ଧୋଉଛନ୍ତି, ସାମାଜିକ ଦୂରତ୍ୱ ରଖୁଛନ୍ତି ଏବଂ ଗାଡି ଅପେକ୍ଷା ସାଇକେଲ ଉପରେ ଅଧିକ ନିର୍ଭର କରୁଛନ୍ତି। ଆମ ସରକାର ମଧ୍ୟ ଏହା ଉପରେ ଧ୍ୟାନ ଦେବା ଦରକାର ଏବଂ ଗଣମାଧ୍ୟମରେ ଏହାର ତର୍ଜମା ହବା ଦରକାର।
ସେହିପରି ବର୍ତ୍ତମାନର ଶୂନ ଶାନ ସହରରେ କାହାର କାହାର ସାଇକେଲ ଗଡ଼ିଲା ମଧ୍ୟ ବେଳେ ବେଳେ ଆଶ୍ଚର୍ଯ୍ୟ ଲାଗୁଛି ଜାଣିବା ପାଇଁ। ହେଲେ ଭୁବନେଶ୍ୱର ବର୍ତ୍ତମାନ ଶାନ୍ତ ସୁଶୀଳ ଗତିଶୀଳ, ଫାଙ୍କା ରାସ୍ତାରେ ଯେତେ ଅଧିକ ସାଇକେଲ ଗଡିବ, ଏ ସହର ସେତେ ଅଧିକ ସୁନ୍ଦର ଦିଶିବ ଏବଂ ସହର ତାଲାବନ୍ଦରୁ ବାହାରି ଏକ ସାଧାରଣ ଜୀବନଧାରା ଆଡକୁ ଅଗ୍ରସର କରିବ, କିନ୍ତୁ ଜେତେ ଅଧିକା ଗାଡି ଘୁଁ ଘୁଁ କରିବ ସେତେ ଅଧିକା ମହାମାରୀ ଉପରକୁ ବଢିବାର ନଜିର ରହିଛି। କାରଣ ଗାଡି ଗଡିଲେ ରାସ୍ତା, ଘାଟ ସବୁ ଅକାରଣରେ ଭିଡ଼ ହେବ ଏବଂ ମହାମାରୀ ବ୍ୟାପିବାର ସମ୍ଭାବନା ଅଧିକ। ଅଭିମନ୍ୟୁ ପରି ଚକ୍ରବ୍ୟୁହରୁ ମୁକୁଳିବା ବହୁ କଷ୍ଟସାଧ୍ୟ ଏବଂ ହୃଦୟ ମର୍ମାହତ କରିବା ମୁହୂର୍ତ୍ତ ; ପ୍ରାୟତଃ ସମସ୍ତ ଗଳିକନ୍ଦିରେ ଲୁହ ବୁହାଇ ସାରିଲାଣି। ତେଣୁ ସରକାର ସମସ୍ତଙ୍କ ହିତ ପାଇଁ ଆଗାମୀ କିଛି ମାସ ଗାଡି ଅପେକ୍ଷା ସାଇକେଲ ଚାଳନା ପ୍ରତି ଧ୍ୟାନ ଦିଅନ୍ତୁ, ଜଦି ବିନା ଭିଡରେ ବାହାଘର ହୋଇପାରୁଛି, ଦିନକୁ ପାଞ୍ଚ ଘଣ୍ଟା ମଧ୍ୟରେ ଲୋକମାନଙ୍କ ନିତ୍ୟ ବ୍ୟବହାର ଜିନିଷପତ୍ର କିଣା ବିକା ହୋଇ ପାରୁଛି, ଆଉ ସଂକ୍ରମଣ ସଂଖ୍ୟା ମଧ୍ୟ କମି ପାରୁଛି, ତେବେ ତାଲାବନ୍ଦ ଏହା ସୂଚାଉଛି ଜୀବନଶୈଳୀରେ ସୁଧାର ଆବଶ୍ୟକତା ଅଛି ; ଚକ୍ରବ୍ୟୁହ ନୁହେଁ।
ଗତ ଦେଢ଼ ବର୍ଷ ମଧ୍ୟରେ ପୃଥିବୀରେ ବହୁତ କିଛି ବଦଳି ଯାଇଛି। ହୁଏତ ଆଗାମୀ ଦିନରେ ମହାମାରୀକୁ ପଛରେ ପକେଇ ଆମେ ଆଗକୁ ଆଗେଇଯିବା, ଏହା ମାନେ ନୁହେଁ ପୁଣି ସେହି ଚିରାଚରିତ ପ୍ରଦୂଷଣଯୁକ୍ତ, ଗହଳି ଏବଂ ଭୟର ବାତାବରଣରେ ସହରକୁ ତାଲାବନ୍ଦରୁ ମୁକୁଳେଇବା, ବରଂ ପରିବେଶ, ଅର୍ଥନୈତିକ, ସାମାଜିକ ଦୃଷ୍ଟିକୋଣରୁ ଏହି ଆଗେଇବା ପଥ ସନ୍ତୁଳିତ ପ୍ରଗତିଶୀଳ ହେବା ଦରକାର ।
Comments are closed.