Latest Odisha News

BREAKING NEWS

ଦେଶରେ ଚମକ ଆଣିଲା ଭୁବନେଶ୍ବର, ରହିବା ପାଇଁ ଅନୁକୂଳ

ଭୁବନେଶ୍ବର : ଦେଶରେ ଚମକ ଆଣିଲା ରାଜଧାନୀ ଭୁବନେଶ୍ବର । ଉତ୍କୃଷ୍ଟ ବାସୋପଯୋଗୀ ସହର ତାଲିକାରେ ଦିଲ୍ଲୀକୁ ପଛରେ ପକାଇଲା ମନ୍ଦିର ମାଳିନୀ ଭୁବନେଶ୍ବର । ଇଜ୍ ଅଫ ଲିଭିଂ ଇଣ୍ଡେକ୍ସର ନୂଆ ଆକଳନରେ ସାମ୍ନାକୁ ଆସିଛି ଏହି ତଥ୍ୟ । ଦେଶର ପ୍ରମୁଖ ୧୦ଟି ସହରକୁ ନେଇ କରାଯାଇଥିବା ସର୍ଭେର ପ୍ରଥମ ସ୍ଥାନରେ ରହିଛି ବେଙ୍ଗାଳୁରୁ । ଦ୍ବିତୀୟ ସ୍ଥାନେର ଚେନ୍ନାଇ, ତୃତୀୟ ସ୍ଥାନରେ ସିମଲା ଓ ଚତୁର୍ଥ ସ୍ଥାନରେ ରହିଛି ଭୁବନେଶ୍ବର । ତାଲିକାର ପଞ୍ଚମ ସ୍ଥାନରେ ମୁମ୍ବାଇ, ଷଷ୍ଠରେ ଦିଲ୍ଲୀ, ସପ୍ତମରେ ଭୋପାଳ, ଅଷ୍ଟମରେ ରାୟପୁର, ନବମରେ ଗାନ୍ଧିନଗର ଓ ଦଶମରେ ରହିଛି ଜୟପୁର ।

ଗୁଣବତ୍ତା ସମ୍ପନ୍ନ ଜୀବନ ଧାରଣ, ଅର୍ଥନୈତିକ ସାମର୍ଥ୍ୟ, ସହନଶୀଳତା ଓ ନାଗରିକଙ୍କୁ ମିଳୁଥିବା ଅନ୍ୟ ସୁବିଧା ମାପଦଣ୍ଡ ଅନୁସାରେ ପ୍ରସ୍ତୁତ ଇଜ୍ ଅଫ ଲିଭିଙ୍ଗ ଇଣ୍ଡେକ୍ସରେ ଭୁବନେଶ୍ବର ସ୍ଥାନ ପାଇବା ଓଡ଼ିଶା ଲାଗି ଗର୍ବ ଓ ଗୌରବ ଆଣିଛି । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ କରି ଅଭିନନ୍ଦନ ଜଣାଇଛନ୍ତି । କହିଛନ୍ତି, ରହିବା ଲାଗି ସବୁଠାରୁ ଅନୁକୂଳ ରାଜଧାନୀ ତାଲିକାରେ ଭୁବନେଶ୍ବର ସ୍ଥାନ ପାଇଛି । ବଡ ବଡ ସହରକୁ ପଛରେ ପକାଇ ଚତୁର୍ଥ ସ୍ଥାନରେ ରହିଛି ଭୁବନେଶ୍ବର । ଉତ୍କୃଷ୍ଟ ଜୀବନ ଧାରଣର ସୂଚୀ କ୍ଷେତ୍ରରେ ଭୁବନେଶ୍ବରକୁ ୧୦୦ରୁ ୫୯.୮୫ ମାର୍କ ମିଳିଛି । ସେହିପରି ଗୁଣବତ୍ତା ସମ୍ପନ୍ନ ଜୀବନ ଲାଗି ୫୧.୭୯, ଅର୍ଥନୈତିକ ସାମର୍ଥ୍ୟ ଲାଗି ୧୧.୫୭, ସହନଶୀଳତା ଲାଗି ୫୭.୭୭ ଓ ନାଗରିକଙ୍କ ସ୍ବାଚ୍ଛନ୍ଦ୍ୟ ଲାଗି ୯୪.୮ ମିଳିଛି । ସେଣ୍ଟର ଫର ସାଇନ୍ସ ଆଣ୍ଟ ଏନଭାରମେଣ୍ଟର ନିର୍ଦ୍ଦେଶକ ସୁନୀତା ନାରାୟଣ କହିଛନ୍ତି- ବିଭିନ୍ନ ପାରାମିଟରକୁ ନଜରରେ ରଖି ଏହି ସର୍ଭେ କରାଯାଇଛି ।

Leave A Reply

Your email address will not be published.