Latest Odisha News

BREAKING NEWS

ଶିଶୁମାନଙ୍କ ଦ୍ୱାରା ଉପସ୍ଥାପିତ ହେଲା ଓଡ଼ିଶା ପାଇଁ ଦେଖିଥିବା ସ୍ୱପ୍ନ

ଭୁବନେଶ୍ୱର : ପ୍ରବାସୀ ଓଡ଼ିଆ ବୁଦ୍ଧିଜୀବିଙ୍କ ଅନୁଷ୍ଠାନ ‘ଓଡିଶା ପଜିଟିଭ୍’ ଆନୁକୂଲ୍ୟରେ ଅନଲାଇନ ମାଧ୍ୟମରେ ଏକ ସ୍ୱତନ୍ତ୍ର ସଭା ଆୟୋଜିତ ହୋଇଯାଇଛି । ଏହି ସଭାରେ ବିଶ୍ୱର ବିଭିନ୍ନ ଦେଶର ୭ ରୁ ୧୪ ବର୍ଷ ବୟସର ୧୫ ଜଣ ଶିଶୁ ଭାଗ ନେଇ ନିଜ ସ୍ୱପ୍ନର ଓଡିଶା ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ ।

‘ଓଡିଶା ପଜିଟିଭ୍’ ଅନୁଷ୍ଠାନର ଅଧ୍ୟକ୍ଷ ସଞ୍ଜୀବ କୁମାର ମହାନ୍ତିଙ୍କ ସ୍ବାଗତ ଅଭିଭାଷଣରେ ଆରମ୍ଭ ହୋଇଥିବା ଏହି ସଭାରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ମୁଖ୍ୟ ଅତିଥି ଏବଂ ଓଡିଶା ଲଳିତ କଳା ଏକାଡେମୀର ସଭାପତି ସୁଦର୍ଶନ ପଟ୍ଟନାୟକ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ ।

ଏହି ଅବସରରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ କହିଲେ ଯେ ଓଡିଶାରେ ବିକାଶ ପାଇଁ ଅନେକ କ୍ଷମତା ରହିଛି ଏବଂ ଏହାକୁ ଦୃଷ୍ଟିରେ ରଖି ଆମେ ରାଜ୍ୟର ସମୃଦ୍ଧିର ସ୍ବପ୍ନ ଦେଖିବା ଉଚିତ। ଆମର ଆଗାମୀ ପୀଢ଼ିକୁ ପ୍ରତିନିଧିତ୍ବ କରୁଥିବା ଶିଶୁମାନଙ୍କର ସ୍ବପ୍ନକୁ  ଗୁରୁତ୍ବ ଦିଆଯିବା ଉଚିତ ବୋଲି ଶ୍ରୀ ପଟ୍ଟନାୟକ ମତ ପ୍ରକାଶ କରିଥିଲେ।

ଏହି ସଭାରେ ଭାଗ ନେଇଥିବା ଶିଶୁମାନେ ଓଡ଼ିଆ ଭାଷାରେ ହିଁ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ। ଏଥିରେ ଦେଶର ବିଭିନ୍ନ ରାଜ୍ୟ ତଥା ବିଦେଶ ମାଟିରୁ ଆମେରିକା, କାନାଡ଼ା ଓ ମାଲେସିଆ ଆଦି ଦେଶର ପିଲାମାନେ ମଧ୍ଯ ଭାଗ ନେଇଥିଲେ।

ଏହି ସଭାରେ ଆମେରିକାର ବିଶିଷ୍ଟ ଓଡ଼ିଆ ପ୍ରେମୀ ଧୀରେନ୍ଦ୍ର କର ସଭାରେ ପରିବେଷିତ ବକ୍ତବ୍ୟଗୁଡ଼ିକର ସମୀକ୍ଷା କରିଥିଲେ। ସଭାଟି କାନାଡ଼ା ଦେଶର ଟରୋଣ୍ଟୋରୁ ବିଶିଷ୍ଟ ସାହିତ୍ୟିକ ପ୍ରଶାନ୍ତ ଭୂୟାଁଙ୍କ ଦ୍ବାରା ପରିଚାଳିତ ହୋଇଥିଲା ଏବଂ ଶେଷରେ ନିହାର ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.