Latest Odisha News

BREAKING NEWS

କବିତା : ଏ ବାଟରେ

ରାମକୃଷ୍ଣ 

ଏ ବାଟରେ ଯେଉଁମାନଙ୍କ ପାଦ ପଡ଼େ
ସେମାନେ ଆଉ ଫେରନ୍ତି ନାହିଁ
ଫେରେ ଦେହର ସୁଗନ୍ଧ
ଲେଉଟାଣି ପବନରେ
ଯାହା ଆକ୍ତାମାକ୍ତା କରେ ଅନ୍ଧ ବାଟୋଇକୁ
ହଜିଯିବା ଲିଭିଯିବାର ମୋହରେ !

ଅନ୍ଧ ନକହିବ ତ ଆଉ କଣ
କେଉଁ ସୁଖ ବା ଥାଏ କେଜାଣି ?
ଖଣ୍ଡାଧାରରେ ପାଦ ଥାପି ଥାପି
ରକ୍ତାକ୍ତ ହେବାରେ, ଯଦିଓ
ସେ ରକ୍ତର ରଙ୍ଗ ନୀଳ
ଓ ସ୍ବେଦରେ ମଲ୍ଲିଫୁଲର ମହକ ।

ଏ ବାଟ ଅନ୍ଧାରର ନୁହେଁ
ଆଲୁଅର ପ୍ରଚଣ୍ଡ ଧାସ
ବାଟୋଇକୁ ଅନ୍ଧ କରିଦିଏ
ଏବଂ ନୀଳ ରଙ୍ଗର ଅନ୍ଧାର
ଏ ବାଟକୁ ଆଲୋକିତ କରେ ।

ଏ ବାଟ ଏତେ ଅଣଓସାରିଆ ଯେ
ଦୁଇଟି ନିଶ୍ବାସ ପାଇଁ ପବନ ନଥାଏ
ଦେହ ଅବା ମନ ହେଉ
ଯେ କୌଣସି ଦୁଇ ପାଇଁ
ଏ ବାଟରେ ଜାଗାହିଁ ନଥାଏ ,
ତମର ଥିବାର ସତର୍କତା ହିଁ
ତମର ପଥ ଓଗାଳେ
ଆଉ ତମର ସ୍ବପ୍ନ ହିଁ ପଥ ହୁଡ଼େ
ତମେ ଝୁଣ୍ଟୁଥାଅ ବାରମ୍ବାର
ମରୁ ପାହାଡ଼ରେ ।

ସବୁ ହୃଦୟରୁ ସୁପ୍ତ ବା ଜାଗ୍ରତ ହେଉ
ଏ ବାଟର ଆରମ୍ଭ
ଖୁବ୍ ଦୂରରୁ ଶୁଭୁଥାଏ ଅସୀମର ଡାକ
ଥରେ ଜିଭକୁ ଘାରିଲା ଭୋକ
ଆଉ ଲୋଭ ସବାର ହେଲା ମୁଣ୍ଡରେ ତ
ଯାତ୍ରା ସେଇଠି ଶେଷ,ଆଉ ଠିକ୍ ସେତେବେଳେ
ଆଖିର ଅନ୍ଧାରରେ ଘଟିଯାଇପାରେ
ଜଘନ୍ୟ ହତ୍ୟାକାଣ୍ଡ ଗୋଟେ ନିରିହ ହୃଦୟର
ନଚେତ୍ ଉଛୁଳା ଜହ୍ନ ଆଲୁଅର ନଈ ପରି
ଏ ବାଟ ଲମ୍ବିଯାଏ ଫୁଲର ଉପତ୍ୟକା ଚିରି
ସରେ ଜୀଅନ୍ତା ଆଗ୍ନେୟଗିରି ମୁହଁରେ
ଯେଉଁଠି ତମକୁ ଅପେକ୍ଷା କରିଥାଏ
ତମର କମନୀୟ ମୃତ୍ୟୁ !

ଏ ବାଟ ସରେ ସେଇଠି ଯେତେବେଳେ
ତମେ ହଜିଯାଅ ଅବା ସରିଯାଅ
ଦୁଇ ରକ୍ତନଦୀର ପ୍ରୟାଗ ସ୍ଥଳରେ,
ଏବଂ ସେଇଠୁ ଆରମ୍ଭ ହୁଏ ଗୋଟେ ଛାୟାପଥ
ଯାହାର ସୀମା ନଥାଏ ନା ଶେଷ
ତମେ ପରିକ୍ରମା କରୁଥାଅ
ଗୋଟେ ଅନନ୍ତ ଆକାଶ ।

ଲୁହ ରକ୍ତ ସ୍ବେଦ
ଆତ୍ମାହୂତିରେ ଘୃତ ହୋଇ ଜଳେ
ତାପରେ ତମେ ଆଉ ତମେ ହୋଇ ନଥାଅ
ଥାଅ ଖଣ୍ଡେ ଆକାଶ ଯେମିତି
ନୀଳ ଶୂନ୍ୟ ଆଉ ଅସୀମ ।

Leave A Reply

Your email address will not be published.