Latest Odisha News

ଓପିନିୟନ ପୋଲ୍: ୨୮୫ ଆସନ ସହିତ ଏନଡ଼ିଏକୁ ପୂର୍ଣ୍ଣ ବହୁମତ ମିଳିବା ସମ୍ଭାବନା

ଭୁବନେଶ୍ୱର: ଆଗାମୀ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ପରିଚାଳିତ ଏନଡ଼ିଏ ୨୭୨ ମ୍ୟାଜିକ୍ ନମ୍ବରକୁ ଅତିକ୍ରମ କରି ୨୮୫ ଆସନ ସହିତ ପୁନର୍ବାର କ୍ଷମତାସୀନ ହେବ ବୋଲି ଇଣ୍ଡିଆ ଟିଭି-ସିଏନଏକ୍ସ ଓପିନିୟନ ପୋଲ ଟିଭି ଚ୍ୟାନେଲରେ ପ୍ରକାଶିତ କରିଛି ।

ଏହି ସର୍ଭେ ଅନୁଯାୟୀ, ଓଡ଼ିଶାରୁ ବିଜେଡ଼ିରୁ ୧୪ ଏବଂ ବିଜେପିରୁ ୭ ଜଣ ସାଂସଦ ନିର୍ବାଚିତ ହୋଇ ଲୋକସଭାକୁ ଯିବେ । ତେବେ ୨୦୧୪ ଲୋକସଭା ନିର୍ବାଚନରେ ସମୁଦାୟ ୨୧ଟି ଆସନରୁ ବିଜେପିର କେବଳ ଜଣେ ମାତ୍ର ପ୍ରାର୍ଥୀ ନିର୍ବାଚିତ ହୋଇ ପାରିଥିଲେ ।

ତେବେ ଏହି ଓପିନିୟନ ପୋଲ ଅନୁଯାୟୀ ବିଜେପି ପୂର୍ବାପେକ୍ଷା ୩୪ଟି ସିଟ୍ କମ ଜିତି ୨୮୨ ସିଟରୁ ୨୩୮ ସିଟକୁ ଖସି ଆସିବ । ସେହିପରି କଂଗ୍ରେସ ଗତ ୨୦୧୪ ସାଧାରଣ ନିର୍ବାଚନରେ ମାତ୍ର ୪୪ଟି ଆସନ ପାଇଥିବା ବେଳେ ଏଥର ଏହା ବୃଦ୍ଧି ଘଟି ୮୨ରେ ପହଞ୍ଚିବ ବୋଲି ସର୍ଭେରେ ଦର୍ଶାଯାଇଛି ।

ଏହି ଓପିନିୟନ ପୋଲ ଲୋକସଭାର ମୋଟ ୫୪୩ଟି ଆସନ ମଧ୍ୟରୁ ୨୮୫ଟି ଆସନରେ ସର୍ଭେ କରାଯାଇଛି । ଏହି ସର୍ଭେ ମାର୍ଚ୍ଚ ୧ ଏବଂ ୭ ତାରିଖରେ କରାଯାଇଥିବାର ସୂଚନା ମିଳିଛି । ଏହି ସର୍ଭେରେ ମୋଟ ୩୮,୬୦୦ ଜଣ ବ୍ୟକ୍ତିଙ୍କୁ ପ୍ରଶ୍ନ ପଚରାଯାଇଥିଲା ଏବଂ ସେମାନଙ୍କ ମଧ୍ୟରେ ୨୦, ୪୫୫ ଜଣ ପୁରୁଷ ଓ ୧୮, ୧୪୫ ଜଣ ମହିଳା ରହିଥିଲେ ।

ଏହି ଓପିନିୟନ ପୋଲ ସର୍ଭେ ଅନୁସାରେ ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ନେତୃତ୍ୱାଧିନ ଏନଡ଼ିଏକୁ ୨୮୫ଟି ଆସନ, କଂଗ୍ରେସ ନେତୃତ୍ୱରେ ପରିଚାଳିତ ୟୁପିଏକୁ ୧୨୬ଟି ଆସନ ଏବଂ ଅନ୍ୟ ଦଳ ଗୁଡ଼ିକୁ ୧୩୨ଟି ଆସନ ମିଳିପାରିବ ବୋଲି ଜଣାପଡ଼ିଛି । ଏନଡ଼ିଏ ଏବଂ ୟୁପିଏ ବ୍ୟତୀତ ଅନ୍ୟ ଯେଉଁସବୁ ଦଳଗୁଡିକ ୧୩୨ଟି ଆସନ ଅକ୍ତିଆର କରିବେ ସେହି ଦଳ ଗୁଡ଼ିକ ହେଲା – ଏସପି, ବିଏସପି, ଟିଏମସି, ଟିଆରଏସ, ବିଜୁ ଜନତା ଦଳ, ୱାଇଏସଆର୍ କଂଗ୍ରେସ ପାର୍ଟି, ଲେଫ୍ଟଫ୍ରଣ୍ଟ, ମେହବୁବା ମୁଫତିଙ୍କ ପିଡ଼ିପି, ବଦ୍ରୁଦିନ ଆଜମଲଙ୍କ ଏଆଇୟୁଡ଼ିଏଫ, ଆସାଉଦ୍ଦିନ୍ ଓୱାଇସିଙ୍କ ଏଆଇଏମଆଇଏମ, ଆଇଏନଏଲଡ଼ି, ଆମ ଆଦମୀ ପାର୍ଟି, ଜେଭିଏମ (ପି), ଏଏମଏମକେ ଏବଂ ସ୍ୱାଧୀନ ପ୍ରାର୍ଥୀ ।

ଏନଡ଼ିଏ ମଧ୍ୟରେ ରହିଛି ବିଜେପି, ଶିବସେନା, ଅକାଳୀଦଳ, ଏଆଇଏଡ଼ିଏମକେ, ଜେଡ଼ିୟୁ, ଏଲଜେପି, ପିଏମକେ ଏବଂ ଅନ୍ୟ ଆଞ୍ଚଳିକ ଦଳ । ସେହିପରି ୟୁପିଏରେ ରହିଛି କଂଗ୍ରେସ, ଡ଼ିଏମକେ, ଟିଡ଼ିପି, ଜେଡ଼ିଏସ, ଆରଜେଡ଼ି, ଜେଏମଏମ, ଏନସିପି, ନ୍ୟାସନାଲ କନଫରେନ୍ସ, ଆଇୟୁଏମଏଲ ଏବଂ କ୍ଷୁଦ୍ର ଦଳଗୁଡ଼ିକ ।

ଏନଡ଼ିଏର ଶିବସେନାକୁ ୧୦ଟି, ଜେଡ଼ିୟୁ ୧୨ଟି, ଅକାଳୀଦଳକୁ ୩ଟି ଏବଂ ଏଲଜେପି ୩ଟି ଆସନ ହାସଲ କରିବ ।

ସେହିପରି ୟୁପିଏର ଡ଼ିଏମକେ ୧୬ଟି ଆସନ, ଲାଲୁ ଯାଦବଙ୍କ ଆରଜେଡ଼ି ୮ଟି ଏବଂ ଟିଡ଼ିପିକୁ ୩ଟି ଆସନ ମିଳିପାରିବ ବୋଲି ଏହି ସର୍ଭେରେ ଦର୍ଶାଯାଇଛି ।

ଏନଡ଼ିଏ ଏବଂ ୟୁପିଏ ବ୍ୟତୀତ ଅନ୍ୟ ଦଳଗୁଡ଼ିକ ମଧ୍ୟରେ ତୃଣମୂଳ କଂଗ୍ରେସ ୩୦ଟି ଆସନ, ଏସପି ୧୮ଟି ଆସନ, ବିଏସପି ୧୬ଟି ଆସନ, ୱାଇଏସଆର କଂଗ୍ରେସକୁ ୨୨ଟି ଆସନ, ଟିଆରଏସକୁ ୧୪ଟି ଆସନ, ବିଜୁ ଜନତା ଦଳକୁ ୧୪ଟି ଆସନ, ଏଆଇଏଡ଼ିଏମକେ ୧୨ଟି ଆସନ ଏବଂ ଲେଫ୍ଟଫ୍ରଣ୍ଟକୁ ୬ଟି ଆସନ ମିଳିପାରିବ ।

ଏୟାରଷ୍ଟ୍ରାଇକ ପରେ ବିଜେପି କେତେକ ରାଜ୍ୟରେ କ୍ଲିନସ୍ୱିପ୍ କରିବାକୁ ଯୋଜନା କରିଥିଲା, ସେହି ରାଜ୍ୟଗୁଡ଼ିକ ହେଲା – ଗୁଜରାଟ, ହିମାଚଳପ୍ରଦେଶ, ଉତ୍ତରାଖଣ୍ଡ, ଗୋଆ ଏବଂ ଦିଲ୍ଲୀ ।

ଏହି ସର୍ଭେ ଉଭୟ ବାସଗୃହ ଏବଂ ବ୍ୟାବସାୟିକ ପ୍ରତିଷ୍ଠାନ, ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳ, ମଧ୍ୟବର୍ଗ ଏବଂ ଉଚ୍ଚବର୍ଗ ଶ୍ରେଣୀର ବ୍ୟକ୍ତି ବିଶେଷଙ୍କ ମଧ୍ୟରେ ହୋଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.