Latest Odisha News

BREAKING NEWS

ରଥ ଅଳଙ୍କରଣ

ରଥଗୁଡ଼ିକର ବିସ୍ତୃତ ଚିତ୍ରଣ ଓ ଅଳଙ୍କରଣ ବ୍ୟବସ୍ଥା ଅନନ୍ୟ । ବହୁ ସଂଖ୍ୟକ ନିଦା କାଠ ନିର୍ମିତ ଏହି ଚଳତ୍‌କ୍ଷମ ଦୁର୍ଗ ସଦୃଶ୍ୟ ରଥକୁ ଅଧିକ ଆକର୍ଷଣୀୟ କରି ଗଢି ତୋଳିବା ପାଇଁ ଏହାର ବାହ୍ୟଭାଗକୁ ବିଶେଷ ଭାବେ ବର୍ଣ୍ଣ-ସନ୍ତୁଳିତ ରଙ୍ଗିନ କପଡ଼ାରେ ଆଚ୍ଛାଦିତ କରାଯିବା ସହ ଶିଖର ଡ଼ମ୍ବରୁଯୁକ୍ତ ପାଶ୍ୱଦେବତା, ଠେକରା ବାଡ଼ରେ ସଂଯୋଜିତ ସଖୀଗଣ, କୋଣଗୁଜ, ନାଟଗଡ଼ୁ, କନ୍ୟାପଟା, ପ୍ରକାଣ୍ଡ ତୋରଣରୂପୀ ଦୁଆରବେଢ଼ା, ବିଶାଳ ସାରଥୀ, ଚାରିଗୋଟି ଘୋଡ଼ା ଓ ସର୍ବୋପରି ଶିଖରରେ ମୁକୁଟ ସଦୃଶ ଦଧିନଉତି ଓ ଓଲଟ ଶୁଆ ସହ ରଙ୍ଗିନ ଧ୍ୱଜା ପ୍ରଭୃତି ପାରମ୍ପରିକ ଶୈଳୀରେ ଖୋଦିତ ତଥା ଚିତ୍ରିତ ଉପକରଣଗୁଡ଼ିକର ଯଥେଷ୍ଟ ଭୂମିକା ରହିଥାଏ । ବଢ଼େଇମାନେ ତାଙ୍କର କୌଳିକ କୌଶଳ ବିନିମୟରେ କାଠଗୁଡ଼ିକୁ ସଜାଡ଼ି ରଥକୁ ଚଳତ୍‌କ୍ଷମ କରନ୍ତି ସତ, ମାତ୍ର ସେହି ନୁଖୁରା ରଥର ଅଳଙ୍କରଣ କାମ ଅନ୍ୟ ବର୍ଗର ସେବକମାନଙ୍କ ଦ୍ୱାରା ସମାହିତ ହୋଇଥାଏ ।

ଏହି ରଥ ଅଳଙ୍କରଣ କାମ ମୁଖ୍ୟତଃ ରୂପକାର, ଚିତ୍ରକାର, ଦରଜୀ ତଥା ସୋଲ କାରିଗରମାନଙ୍କ ଦ୍ୱାରା ସଂଗଠିତ ହୋଇଥାଏ ଏବଂ ଏହା ଶ୍ରୀଗୁଣ୍ଡିଚା ଦିନ ସକାଳ ପର୍ଯ୍ୟନ୍ତ ମଧ୍ୟ ଚାଲିଥାଏ ବୋଲି କହିଲେ ଚଳେ । ରଥ ନିର୍ମାଣର ଶେଷ ଭାଗରେ ଅଳଙ୍କରଣ ପ୍ରକ୍ରିିୟା ଆରମ୍ଭ ହେଇଥାଏ । ରଥର ସୌନ୍ଦର୍ଯ୍ୟ ବୃଦ୍ଧି କରିବାରେ ଉପରବର୍ଣ୍ଣିତ ଉପକରଣଗୁଡ଼ିକ ଯଥେଷ୍ଟ ସହାୟକ ହୋଇଥାଆନ୍ତି । ନୃସିଂହ ଚତୁର୍ଦ୍ଦଶୀଠାରୁ ରୂପକାରମାନଙ୍କ ଦ୍ୱାରା କଣଗୁଜ, ନାଟଗଡ଼ୁ, ପ୍ରଭାପଟା ଆଦିରେ ଖୋଦେଇ କାମ ଆରମ୍ଭ ହେବା ସହିତ ଚିତ୍ରକାରମାନଙ୍କ ଦ୍ୱାରା ପ୍ରଥମେ ଚକଗୁଡ଼ିକର ଚିତ୍ରଣ କାମ ଆରମ୍ଭ ହେଇଥାଏ ।

ତା’ପରେ ପର୍ଯ୍ୟାୟ କ୍ରମେ ଅନ୍ୟ ସମସ୍ତ ଉପକରଣ ଯଥା ସମସ୍ତ ଗୁଜ, କନ୍ୟା ପଟା, ଶିଖରଡ଼ମ୍ବରୁ, ପାଶ୍ୱର୍ ଦେବତା, ନାଟଗଡୁ଼, ପ୍ରଭାପଟା, ଠେକରାବାଡ଼, ଦଧିନଉତି, ସଖୀ, ଅଁଳାଶ୍ରୀ, ସାରଥୀ ଓ ଘୋଡ଼ାଗୁଡ଼ିକର ଚିତ୍ରଣ କାମ କରାଯାଇଥାଏ । ରଥର ଚକ ସ୍ତରରୁ ପାରୁସରେ ଲାଗିଥିବା ଯୋଖା ପର୍ଯ୍ୟନ୍ତ ସମସ୍ତ ଉପାଂଶ ଯଥା ଅଖ, ଦଣ୍ଡା, କୁଡ଼ୁକା ଆଦିର ବାହ୍ୟ ଅଂଶ ସମ୍ପୃକ୍ତ ରଥର ନିର୍ଦ୍ଦିଷ୍ଟ ରଙ୍ଗରେ ରଙ୍ଗାଯାଇଥାଏ ।

ସ୍ନାନ ପୂର୍ଣ୍ଣମୀଠାରୁ ଆରମ୍ଭ କରି ନବଯୌବନ ଦର୍ଶନ ପର୍ଯ୍ୟନ୍ତ ଷୋହଳ ଦିନ ଅବଧି ମଧ୍ୟରେ ଉପୋରକ୍ତ ଶିଳ୍ପ ସେବକମାନଙ୍କ ଦ୍ୱାରା ରଥ ଅଳଙ୍କରଣ କାର୍ଯ୍ୟ ଏକାଧାରରେ ଚାଲେ । ଏ ସମସ୍ତ ସେବକ ମହାପ୍ରଭୁଙ୍କଠାରେ ଶରଣ ପଶି ଗୋଷ୍ଠୀଗତ ଭାବରେ ରଥକାର୍ଯ୍ୟ ସଂପନ୍ନ କରିଥାନ୍ତି । ଅନେକଗୁଡ଼ିଏ ଉପକରଣ ପ୍ରଥମେ ରୂପକାରଙ୍କ ଦ୍ୱାରା ଖୋଦେଇ ହୋଇ ଚିତ୍ରକାରଙ୍କ ଦ୍ୱାରା ଚିତ୍ରଣ କାମ ସରିଲେ ବଢ଼େଇ ଓ ଭୋଇମାନଙ୍କ ଦ୍ୱାରା ନିର୍ଦ୍ଦିଷ୍ଟ ସ୍ଥାନରେ ଖଞ୍ଜାଯାଇଥାଏ । ଶେଷରେ ରଥରେ ଦରଜୀ ସେବକଙ୍କ ଦ୍ୱାରା ପ୍ରସ୍ତୁତ କନାର ଆଭୂଷଣ ଲାଗିଥାଏ । ଏହି କନା ଆଭୂଷଣ ବିଷୟ ଆଲୋଚନା କରିବା ପୂର୍ବରୁ ରଥକନାର ବର୍ଣ୍ଣବିନ୍ୟାସ ଯାହାକି ସୌନ୍ଦର୍ଯ୍ୟର ମୂଳ ଉପାଦାନ । ତିନିଗୋଟି ରଥରେ କନାର ଆବରଣକୁ ରଥର ଭୂଷଣ ବୋଲିି ଅଭିହିତ କରାଯାଇପାରେ । ଏହି ଭୂଷଣ ବିନା ରଥଗୁଡ଼ିକ କେବଳ କାଠଖଣ୍ଡ ଖଚିତ କଙ୍କାଳ ସଦୃଶ ପ୍ରତୀୟମାନ ହୁଏ । ପ୍ରତ୍ୟେକ ରଥରେ ମାତ୍ର ଦୁଇଟି ରଙ୍ଗର କନାରେ ଏହି ଆଭୂଷଣର ପରିକଳ୍ପନା ଅତି ପରିପକ୍ୱ ବର୍ଣ୍ଣବିନ୍ୟାସର ଆଭାସ ଦିଏ । ପ୍ରତି ରଥରେ ନାଲି ରଙ୍ଗର କପଡ଼ା ସାଧାରଣ ଭାବେ ବ୍ୟବହାର ହୋଇ ତା ସହିତ ଅନ୍ୟ ରଙ୍ଗର ମିଶ୍ରଣରେ ତିନୋଟିଯାକ ରଥ ସ୍ୱର୍ଗର ଅପ୍‌ସରା ସଦୃଶ ଅନନ୍ୟ ରୂପରେ ଆବିର୍ଭୂତ ହୁଅନ୍ତି ।

ଶ୍ରୀ ବଳଭଦ୍ରଙ୍କ ରଥ ତାଳଧ୍ୱଜରେ ନାଲି ସହିତ ସବୁଜ, ମା’ ସୁଭଦ୍ରାଙ୍କ ରଥ ଦର୍ପଦଳନରେ ନାଲି ସହିତ କଳା ଓ ଶ୍ରୀଜଗନ୍ନାଥଙ୍କ ରଥ ନନ୍ଦିଘୋଷରେ ନାଲି ସହିତ ହଳଦିଆ ରଙ୍ଗର କପଡ଼ାର ଅପୂର୍ବ ସନ୍ତୁଳନରେ ସୌନ୍ଦର୍ଯ୍ୟର ପସରା ଉଛୁଳି ଉଠେ । ନାଲି ରଙ୍ଗ ସବୁଠାରୁ ଅଧିକ ଆକର୍ଷଣୀୟ ହୋଇଥିବାରୁ ଏହା ରଥମାନଙ୍କରେ ସାଧାରଣ ପ୍ରମୁଖ ରଙ୍ଗ ଭାବରେ ବ୍ୟବହୃତ
ହୋଇଥାଏ । ଏହି ବର୍ଣ୍ଣ ସନ୍ତୁଳନ ଏପରି ସଂଯୋଜିତ ହୋଇଥାଏ ଯେ ପ୍ରତି ରଥକୁ ଯେଉଁ ଦିଗରୁ ଦେଖିଲେ ଦୁଇଟିଯାକ ରଙ୍ଗର କପଡ଼ା ସ୍ପଷ୍ଟଭାବେ ଦୃଶ୍ୟମାନ ହୋଇଥାଏ ।

ସ୍ନାନ ପୂର୍ଣ୍ଣିମା ପରଠାରୁ ଦରଜୀମାନଙ୍କ ଦ୍ୱାରା ପ୍ରତି ରଥ ପାଇଁ ନିର୍ଦ୍ଦିଷ୍ଟ ରଙ୍ଗର କନା ମାପ ଅନୁସାରେ କଟାଯାଇ ପ୍ରଥମେ ଲମ୍ବାକାର ବତାଗୁଡ଼ିକ ପ୍ରସ୍ତୁତ କରାଯାଇଥାଏ । ସେଥିରେ ଜରିପଟି ଓ ବିଭିନ୍ନ ଫୁଲ ସବୁ କଟା ଯାଇ ସିଲେଇ ମାଧ୍ୟମରେ ଚପାଯାଇଥାଏ । ଏହା ସହିତ ରଥ ଘେର, ଉଡ଼ା ଚାନ୍ଦୁଆ ତଥା ସାରଥୀର ପୋଷାକ ପ୍ରଭୃତି ଏହି ଦରଜୀମାନଙ୍କ ଦ୍ୱାରା ପ୍ରସ୍ତୁତ ହେଇଥାଏ । ଦୁଆରବେଢ଼ାରେ ଲାଗୁଥିବା କପଡ଼ା ଉପରେ ପୂର୍ବେ ଜରିପଟିର ରାହୁମୁଣ୍ଡ, ମୋଡ଼ା ହଂସ, କଳସ, ମାଛ, କଦଳୀ ଗଛ ଓ ପରୀ ଆଦି ଲାଗୁଥିଲା ଯାହା ବିଗତ ନବକଳେବର (୧୯୯୬)ରୁ ପିତଳ ପ୍ଲେ୍ଳଟରେ ରିଲିଫ ଶୈଳୀର କାମ ହୋଇ ରଖାଯାଇଛି ଓ ପ୍ରତି ବର୍ଷ ସଫା କରାଯାଇ ରଥରେ ଲଗାଯାଉଛି । ଏହା ଛଡ଼ା ରଥର ସାମ୍ନା ଓ ପଛ ଭାଗର ଦୁଆରବେଢ଼ାର ଦୁଇ ପାଶ୍ୱର୍କୁ ବାହାରିଥିବା କାଠ ଶେଷରେ ଦୁଇଟି ମଗର ମୁଣ୍ଡ ଓ ତା’ ତଳକୁ ପିତ୍ତଳ ଘଣ୍ଟି ବନ୍ଧା ଯାଇଥାଏ । ଆହୁରି ସବୁ ଦୁଆରବେଢ଼ାର ଉପରେ ଥିବା ରାହୁମୁଣ୍ଡ ଉପରକୁ ପତାକା ଲାଗିଥାଏ । ଏହାବ୍ୟତୀତ ଦଧିନଉତିରେ ପ୍ରତି ରଥରେ ଦୁଇଟି ଲେଖାଁଏ ଘଡ଼ି, ଗୋଟିଏ ସିଙ୍ଗଡ଼ା ଓ ନୀଳଚକ୍ର ମଧ୍ୟ ପିତ୍ତଳ ନିର୍ମିତ ହେଇଥାଏ । ସଂପ୍ରତ୍ତି ସମ୍ପ୍ରତି ରଥଗୁଡ଼ିକରେ ବିପୁଳ ପରିମାଣର ଫୁଲସଜ୍ଜା ମଧ୍ୟ ଏହାର ସୌନ୍ଦର୍ଯ୍ୟକୁ ବହୁଗୁଣିତ କରୁଅଛି । ଉପରୋକ୍ତ ଶିଳ୍ପ ସେବକଙ୍କ ଦ୍ୱାରା ପାରମ୍ପରିକ ଅଳଙ୍କରଣ କାମ ସରିବା ପରେ ରଥଗୁଡ଼ିକୁ ବିଭିନ୍ନ ଫୁଲରେ ସଜାଇବା ବିଧି ପ୍ରାୟ ପନ୍ଦର ବର୍ଷ ହେବ ଆରମ୍ଭ ହୋଇଅଛି ।ରଥର ସମ୍ମୁଖଭାଗର ଦୁଆରବେଢ଼ା ତଳେ ରଙ୍ଗବେରଙ୍ଗ ଫୁଲର ମାଳସବୁକୁ ଝାଲର ଶୈଳୀରେ ସଜାଇ ରଥକୁ ଆହୁରି ଆକର୍ଷଣୀୟ କରାଯାଉଛି ।

ଆଗ ଓ ପଛ ଦୁଆରବେଢ଼ାର ଦୁଇ ପାଶ୍ୱର୍ରେ ଥିବା ମଗର ମୁଣ୍ଡ ତଳକୁ ଦୁଇଗୋଟି ଫୁଲର ଝୁମ୍ପା ଦୋଳାୟମାନ ଭାବରେ ରହୁଛି । ପୂର୍ବେ ରଥଗୁଡ଼ିକୁ ସୋଲ ତିଆରି ଫୁଲରେ ସଜାଯାଉଥିଲା । ମାତ୍ର ଏବେ ସଦ୍ୟ ପ୍ରସ୍ଫୁଟିତ ଫୁଲର ସମ୍ଭାରରେ
ସଜା ଯାଉଛି । ଏସବୁ ଅଳଙ୍କରଣ ପ୍ରକ୍ରିୟାର ସଫଳ ରୂପାୟନରେ ରଥଗୁଡ଼ିକ କାହିଁ କେତେ ଦୂରରୁ ଭକ୍ତମାନଙ୍କୁ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଆକର୍ଷିତ କରି ଟାଣିଆଣନ୍ତି । ରଥଗୁଡ଼ିକର ଏହି ଅଳଙ୍କରଣ ବ୍ୟବସ୍ଥା ଦ୍ୱାରା ଭକ୍ତମାନଙ୍କ ମନରେ
ଗଭୀର ଭକ୍ତିଭାବ ଉଦ୍ରେକ ହେବା ସହିତ ରଥ ଟାଣିବା ପାଇଁ ମଧ୍ୟ ଯଥେଷ୍ଟ ଉତ୍ସାହ ସୃଷ୍ଟି ହୋଇଥାଏ ।

କୁଣ୍ଢେଇବେଣ୍ଟ ସାହି, ପୁରୀ ,
ମୋ: ୯୪୩୭୧୬୬୩୬୯

Leave A Reply

Your email address will not be published.