ଅଜ୍ଞାତ ଠିକଣା : ଅନ୍ତହୀନ ଅଭିବ୍ୟକ୍ତି

ମିଛ ପ୍ରଜାପତି

ତୁମ ପାଖକୁ ଲେଖାଯାଉଥିବା ଚିଠି ଶବ୍ଦ ହୋଇ ଉତ୍ତୁରି ପାରୁନି ଆଉ ଫର୍ଦ୍ଦକୁ । କେହି ଖୋଜୁ କି ନଖୋଜୁ ତୁମକୁ ଉଦ୍ଦେଶ୍ୟ କରି ଲେଖାଯାଉଥିବା ଅସଂଖ୍ୟ ଚିଠି ଲେଖି ହୋଇଚାଲିଛି ପ୍ରତିଟି ସ୍ପନ୍ଦନ ସହ ତାଳ ଦେଇ ରକ୍ତର କାଳିରେ , ପ୍ରତିଟି ମୁହୂର୍ତ୍ତରେ । ଯେତିକି ନିଗିଡ଼ି ହେଉଛି ରକ୍ତ ଅଦୃଶ୍ୟରେ ଲେଖି ହେବାପାଇଁ ସେତିକି ସେତିକି ରୂପାନ୍ତରିତ ହେଉଛ ତୁମେ ରକ୍ତ ମାଂସର ଦେହ ନେଇ ଓସ୍କାର ୱାଇଲଡ଼ଙ୍କ ରକ୍ତର ଗୋଲାପ ନ୍ୟାୟରେ। ଏହି ପ୍ରକ୍ରିୟାରେ ବିତେଇ ହୋଇସାରିଛି ଅପର୍ଯ୍ୟାପ୍ତ ରକ୍ତାକ୍ତ ମୁହୂର୍ତ୍ତ । ପ୍ରତିଟି ଶିରା ପ୍ରଶିରାରେ ସେହି ଅନୁଯାୟୀ ତାଳ ଦେଇ ପ୍ରବାହିତ ହୋଇଛି ସୀମାହୀନ ଦ୍ବନ୍ଦ୍ୱ ଓ ସଂଘର୍ଷ । ସ୍ନାୟୁ ଫାଟି ଫୁଟି ଦିଶିଛି ଜ୍ବଳନ ତ ମୁହ୍ୟମାନ ହୋଇ ପଡିରହିଛି କଳ୍ପନାର ବେଗ । ସେହି କାରଣରୁ ହୁଏତ ଲୁହ ବୁନ୍ଦା ସବୁ ଧାଡି଼ ବାନ୍ଧି ଯୋଦ୍ଧାଙ୍କ ଭଳି ବାନ୍ଧି ଆଣିଲେ ତୁମକୁ ମୋ ଅଙ୍କିତ ଛାଞ୍ଚର ଦେହରୁ ଅମୂର୍ତ୍ତତାର ଦିଗନ୍ତ ସେପାରିରୁ । ଏମିତି କୁହାଯାଇ ପାରେ ଭାସମାନ ଘୋଡାର ପିଠିରୁ ଛିଟକାଇ ଆଣିଥିଲେ ତୁମର ଦେହକୁ ମାଟି ଯାଏଁ ସମବେତ କାତର ପ୍ରାର୍ଥନାରେ ।

ଏବେ ତୁମେ ମୋର ହାତପାଆନ୍ତାର ଦୂରତାରେ ଅଥଚ ଅଦୃଶ୍ୟ , ଅପହଞ୍ଚ । ଆମ ଭିତରେ ବ୍ୟବଧାନ ଗୋଟିଏ ପାଚେରୀର ଯାହା ଗଢ଼ି ହୋଇଛି ଗାଢ଼ ଅନ୍ଧକାରରେ । ହଜାର ଆଲୋକ ବର୍ଷର ଦୂରତାରେ ଥାଇ ଜହ୍ନମୟ ଲାଗୁଥିବା ତୁମେ ‘ହେଇ ଅଛ’ ଲାଗୁଥିବା ସ୍ଥିତିରେ ଥାଇ ଅପହଞ୍ଚ ଏବଂ ଅସ୍ପଷ୍ଟ କେମିତି ! ଦେଖିବାକୁ , ଛୁଇଁବାକୁ ବ୍ୟାକୁଳ ହେଉଥିବା ମୋର ଆଖି ଏବଂ ହାତକୁ ରୋକୁଛି ଅନ୍ଧାର । ତୁମ ମୁହଁ ଆଙ୍କିବାକୁ ମିଛର ରଙ୍ଗ ଲୋଡ଼ା ବୋଲି ପାଚେରୀ ଆସ୍ତେ ଶୁଣେଇ ଦେଉଛି ତୁମ ଯାଏଁ ଯିବାକୁ ପ୍ରୟାସରେ ଥିଲାବେଳେ । କିଏ ଜଣେ କହିଥିଲା ଅନେକ ମିଛକୁ ଧରି ସକାଳ ଆସେ । ମୁଁ ସବୁବେଳେ ନିଦରୁ ଉଠି ମିଛମାନଙ୍କୁ ପାଖକୁ ଆଣନି ବୋଲି ଈଶ୍ୱରଙ୍କୁ କୁହେ । ହେଲେ ପାଚେରୀର କଥା ଶୁଣିବା ପରଠାରୁ କେମିତି ନା କେମିତି ମୁଁ ଏମିତି ସମୟର ରୂପକୁ ଭେଟେ ଯାହାର ପଞ୍ଝାରୁ ମୁକୁଳିବାକୁ ମୁଁ ମିଛ ବୁଣେ , ମିଛ ତିଆରି କରେ ଏବଂ ପରେ ଦୋଷୀପଣର ଅସହାୟତାରେ ଘାଣ୍ଟି ସିନା ହୁଏ ତୁମ ଯାଏଁ ଯିବାର ପ୍ରତ୍ୟୟରେ ନିଜକୁ ମଧୁର ମିଛର ଜୀବନ ଦେଉଥାଏ । ତୁମ ହସ ହସ ମୁହଁ ମୁଁ ମୋ’ ବର୍ତ୍ତମାନରେ ଆଙ୍କୁଥାଏ ପୁଣି ମିଛର ପ୍ରଲେପରେ ତାକୁ କାହିଁକି କେଜାଣି ଅସ୍ପଷ୍ଟ କରି ଅଭିମାନ ରୁଣ୍ଡାଏ । ତୁମେ ଯେତିକି ଲିଭି ଲିଭି ଯାଉଥାଅ ମୋ ଦିଆ ରଙ୍ଗର ଵହଳ ଆସ୍ତରଣରେ ସେତିକି ସେତିକି ଦୃଢ଼ ଏବଂ ନମନୀୟ ହେଉଥାଏ ସବୁ ପ୍ରକାର ତୂଳୀ ମୋର ତୁମକୁ ଯଥାର୍ଥ କରି ଆଙ୍କିବାର ଅଦମନୀୟ ଲୋଭରେ ।

ମିଛ ଗୋଟେ ଶକ୍ତି ଯାହାକୁ ସତର ସୁରକ୍ଷା ପାଇଁ ଲୋଡ଼ା ପଡ଼େ ବୋଲି ବୁଝିଗଲି । ବୁଝିଗଲି ମିଛ ଗୋଟିଏ ଉଜ୍ଜ୍ଵଳ ଭ୍ରମ ଯାହାକୁ ଏଡ଼େଇବାର ଚେଷ୍ଟାରେ ତୁମେ ନିକ୍ଷିପ୍ତ କଠୋର ସତ୍ୟର କଣ୍ଟକିତ ଆକ୍ରମଣରେ ।ଯେଉଁ କାନ୍ଦକୁ ଏଯାବତ୍ ଝଡ଼ କରି ବୁହାଉଥିଲି ଏବଂ ଝରି ଯାଉଥିଲି ତାକୁ ଆଜି ରୋକିବାକୁ ସମର୍ଥ ହୋଇପାରିଲି ମିଛଙ୍କ ରଙ୍ଗବେରଙ୍ଗର ଦେହକୁ ଆଦର କରିବା ଭିତରେ । ଅଳ୍ପ ଆଶ୍ୱସ୍ତ ହେଲି ଯେ ମିଛ ହେଉ ପଛେ ମୁଁ ମୋତେ ଖୋଜି ହସରେ ବିଞ୍ଚି ହୋଇପାରୁଛି । ସେହି ହସ ସତ ହୋଇ ଲୁହଙ୍କ ମନ ମୋହି ପାରୁଛି !
ପାଚେରୀ ନଛୁଇଁ ମୁଁ ଶୁଣିବାକୁ ଚାହୁଁଥିଲି ସେହି ସବୁ ଗୀତର ସ୍ୱର ଯାହା ଅତୀତରେ ମୋ ଯାଏଁ ଆସିବା ପୂର୍ବରୁ ଅପସାରିତ ହୋଇଯାଉଥିଲେ ମଧୁର ଧୂନ୍ କିଛି ଛାଡ଼ି ମହାଶୂନ୍ୟରେ । ଏତେ ପାଖରେ ତୁମେ ଅଥଚ ପାଚେରୀ ଭଳି ପାଚେରୀ ସେପାଖର ଶବ୍ଦ ବି ଭାବହୀନ ନିଥର । ଦୀର୍ଘ ସମୟ ଧରି କାନ ଡେରିଲା ଭିତରେ ମୁହୂର୍ତ୍ତକ ପାଇଁ ଆଖି ଲାଗିଗଲା ତ ଦିଶିଗଲ ତୁମେ ପାଉଁଶିଆ ରଙ୍ଗରେ ଗଛ ଆକୃତିର ଚିତ୍ରଟିଏ ହୋଇ । ତୁମେ ଫିନିକ୍ସ କି ଭସ୍ମରୁ ରୂପ ନେଇପାର ! ପଚାରିବାକୁ ଚାହିଁ ବି ପଚାରି ହେଲାନି କାରଣ ତୁମ ସତ୍ତା ଉପରେ ମୁଁ ମୋ ଚିରାଚରିତ କଳ୍ପନାର ରଙ୍ଗ ଚଢ଼ାଇବାରେ ବ୍ୟସ୍ତ ଥିଲି ।

ତୁମେ ବୋଲି ନିଶ୍ଚିତ ହେଲି ସେତେବେଳେ ଯେତେବେଳେ ତୁମ ଆଖି ସହ ଆଖି ମିଳେଇଲି । ଅସମ୍ଭବ ଯନ୍ତ୍ରଣାରେ ଥାଇ ବି ତୁମ ଆୟତ୍ତ ଆଖି ଦ୍ୱୟରେ ଚିକ୍ ଚିକ୍ କରୁଥିଲା ଲୁହ ସହ ପ୍ରେମ ଓ ପ୍ରଶାନ୍ତି । ମନ୍ତ୍ର ଭଳି ଶୁଭୁଥିବା ତୁମ ଉଚ୍ଚାରିତ ଶବ୍ଦ ସବୁକୁ ପ୍ରାଣ ଦେଇ ଶୁଣିବାକୁ ଚାହିଁଲି ତ ତାହା ଶିହରିତ ଯନ୍ତ୍ରଣାର ଗୁଣୁଗୁଣୁ ହିଁ ଥିଲା । ଡେଣା ଝାଡ଼ି ଉଚ୍ଚ ଆକାଶରେ ଉଡୁଥିବା ପକ୍ଷୀକୁ ଆମେ ଯେତିକି ମୁକ୍ତ ଏବଂ ସ୍ୱଚ୍ଛନ୍ଦ ଭାବୁ ସେ ସେତିକି ଯନ୍ତ୍ରଣାରହିତ ନୁହେଁ ବୋଲି ବୁଝିଲି ତ ସେହି ସମୟତକ ଛଟପଟେଇ ଗଲି । ତୁମଠୁ ଆସୁଥିବା ଧ୍ୱନୀ ମୋ’ ପାଇଁ ସ୍ପଷ୍ଟ ନଥିଲେ ବି ବୁଝିଲି ମୋ ପାଇଁ ପ୍ରଜାପତିର ରଙ୍ଗ ଖୋଜୁ ଖୋଜୁ କେମିତି ଏଇ ମର୍ତ୍ତ୍ୟଭୂମିରେ ପ୍ରଜାପତିଙ୍କୁ ବନ୍ଦୀ କରିସାରିଛ ଅଲକ୍ଷ୍ୟରେ ଗୋଟେ ମୁହଁ ନଥିବା କାଚ ପାତ୍ରରେ ।

 

ମୁକ୍ତ ବାୟୁ , ବୁଦା କି ଫୁଲ ଖୋଜୁଥିବା ପ୍ରଜାପତିଙ୍କ ଡେଣା ଯେତିକି ପିଟି ହେଉଛି କାଚର କାନ୍ଥରେ ସେତିକି ସେତିକି ତରଳି ଯାଉଛି ତୁମ ମୂର୍ତ୍ତତା ଯନ୍ତ୍ରଣାର ମହମରେ। ତୁମେ ମୋ’ ଆଡ଼କୁ ହାତ ବଢ଼େଇବାକୁ ଚାହିଁ ବଢ଼େଇ ପାରୁନଥିଲ କାରଣ ତୁମେ ତୁମ ସହ ମୋତେ ବୁହାଇ ନେବାକୁ ଚାହୁଁ ନଥିଲ । ତୁମର ଏହି ସମ୍ପୃକ୍ତି ମୋତେ ବିହ୍ଵଳ କରେ , ଜୀବନମନସ୍କ ବି । ତୁମେ ମୋତେ ମୋ’ ଭଳି ରଖିବାକୁ ଚାହଁ ଯତ୍ନରେ , ସବୁସମୟରେ । ଭଲପାଇବା ନାଁରେ ତୁମର କୌଣସି ପ୍ରକାର ଇଚ୍ଛା ଅତ୍ୟାଚାର ହୋଇ ମୋର ସୁକୁମାର ଆବେଗକୁ ଆହତ କରୁ ତୁମେ ଚାହଁ ନାହିଁ । ଆମ ଭିତରର ଅନ୍ତରଙ୍ଗତା କେବେ ହିଂସା ହୋଇ ମୋ’ ଭିତରର କୋମଳତାକୁ ବିକ୍ଷିପ୍ତ କରୁ ତୁମେ ଚାହଁ ନାହିଁ । ମୋତେ ସ୍ୱାଧୀନ , ସ୍ୱଚ୍ଛନ୍ଦ ରଖିବାର ଇଚ୍ଛାରେ କେତେ ଶିକୁଳିର ଜୀବନ ତୁମେ ଜୀଇଁଲଣି ତାକୁ ମୁଁ ବୁଝିଗଲିଣି । ଶୁଣିଥିଲି ଯନ୍ତ୍ରଣାରେ ଦର୍ପିତ ସତ୍ତା କୁଆଡେ ଜ୍ବାଳାମୁଖୀ । ଏବେ ତୁମେ ତୁମ ହାତରେ ଶକ୍ତି ସଞ୍ଚାରୁଚ କାଚର ପାତ୍ରକୁ ପାପୁଲିର ଚାପ ଦେଇ ଫଟେଇ ଦେବାକୁ ଖାସ୍ କରି ପ୍ରଜାପତିଙ୍କ ଡେଣାରେ ଉଡାଣର ଇଚ୍ଛାମାନଙ୍କୁ ଗଜୁରେଇବାକୁ। ରକ୍ତର ଦାଗକୁ ଚିତ୍ରିତ ଡେଣାରେ ମାଖି ପ୍ରଜାପତିମାନେ ପାଚେରୀ ଡେଇଁ ମୋ ଯାଏଁ ଆସିପାରିବେକି ନାଁ ଜାଣିନି କିନ୍ତୁ ସେମାନେ ଉଡ଼ିବୁଲନ୍ତୁ । ସନ୍ଧ୍ୟାରେ ଜହ୍ନ ଉଇଁବା ସହ ପରୀ ପାଲଟି ଯାଆନ୍ତୁ । ଗୀତ ଗାଆନ୍ତୁ ମୁକ୍ତିର । ଗୀତ ଶୁଣାନ୍ତୁ ତ୍ୟାଗର , ସମର୍ପଣର । ଫୁଲ , ପତ୍ର , ଘାସ , ଘର , କାନ୍ଥ , ବାଡ଼ , ବହି ଥାକ , ଆଲଣା …ସବୁଆଡେ ତୁମ ପବିତ୍ର ରକ୍ତର ଦାଗ ଲାଗୁ । ମହକି ଯାଉ ଚଉଦିଗ । ସବୁଠି ତୁମପଣ ଛୁଇଁ ଛୁଇଁ ଯାଉ । ତୁମମୟ ହେଉ ସାରାଟା ଦୁନିଆଁ । ଯେଉଁଠି ତୁମେ ସେଇଠି ହିଁ ଆଲୋକ । ଏତେ ଆଲୁଅରେ ପାଚେରୀ ବି ଉଭେଇ ଯିବ ନିଶ୍ଚୟ ତୁମମୟତାରେ । ସେଇଦିନ ଆଉ କେତେ ଦିନ କି ??

ଛାଇ ଆଲୁଅର ଛକାପଞ୍ଝା ଭିତରେ ମୁଁ ଅସହାୟତାକୁ ସାଧନ କରି ପ୍ରଜାପତି ଆଙ୍କୁଛି । ମୋ ଭିତରେ ଜିଦ୍ ବଢୁଛି । ଚିତ୍ରଖାତା ଡେଇଁ ପ୍ରଜାପତିମାନେ ଆଙ୍କି ହେଲେଣି ଅଲେଖା ଡାଏରୀର ଫର୍ଦ୍ଦରେ ,କାନ୍ଥରେ ,ଚଟାଣରେ , ପଢ଼ା ଟେବୁଲରେ ,ଝିଅର ଅଙ୍କ ବହିରେ , ରଫ ଖାତାରେ ..ପ୍ରାୟ ସବୁଆଡ଼େ ହୁଏତ ଲକ୍ଷ ଲକ୍ଷ ସଂଖ୍ୟାରେ । ପ୍ରଜାପତି ଆଙ୍କି ଦେଇପାରିବି ସିନା ତାକୁ ଉଡେଇବାର ସାମର୍ଥ୍ୟ ସବୁ ତ ତୁମ ପାଖରେ । ତୁମ ହାତରେ ତ ଜୀବନ । ସେମାନଙ୍କ ପ୍ରାଣ ! ମାଗିବି ତ ମାଗିବି କଣ ? ସବୁ ପାଇଛି । ଦେବି ତ ଦେବି କଣ ? ସବୁ ଅଜାଡ଼ି ସାରିଛି । ଚକାଡୋଳାଙ୍କ ଆଦୌ ବୁଜି ହେଉନଥିବା ଆଖିର କରୁଣା ଆମର ହୋଇ କିଛି ଥାଉ ଆଉ ଆମ ସହ ରହୁ ।
ତୁମର ‘ମୁଁ’