ଅନୁଭୂତିରେ ରଥଯାତ୍ରା : ସୁମିତା ବେହେରା

ଜୟ ଶ୍ରୀଜଗନ୍ନାଥ ଶରଣମ୍ 

ସମୟ ରାତି ଆଠଟା ପାଖାପାଖି ହେଇଥିବ। ବଳଗଣ୍ଡି ଛକରୁ କୁଣ୍ଢେଇବେଣ୍ଟ ସାହି ଫେରିବି ମୁଁ। ଅନ୍ଧାର ହେଇଗଲାଣି। ଡର ଡର ଲାଗୁଛି। ରାସ୍ତା ଭୁଲି ଅନ୍ୟ ଆଡ଼େ ଚାଲିଯିବାର ଭୟ ତ ଅଛି, ତା’ ସହିତ ଘରେ ଏବେ ମୋ ଉପରେ ମାଡ଼ ପଡ଼ିବାର ସମ୍ଭାବନା ବି ରହିଛି।

ରାସ୍ତା ଚିହ୍ନି ଚାଲି ଚାଲି ଫେରୁଛି। ବଡ଼ ଡାକ୍ତରଖାନା ଛକରୁ ଆମ ସାହି ରାସ୍ତା ଚିହ୍ନିଦେଲି। ଖୁସି ହେଇଗଲା ମନ। ଆଉ ଭୟ ନାହିଁ। ଘର ପର୍ଯ୍ୟନ୍ତ ସିଧା ଗୋଟିଏ ତ ରାସ୍ତା।

ରାସ୍ତାରେ ଦେଖା ହେଇଗଲେ ମୋର ବଡ଼ କାକା। (ଯଦିଓ ମୋ କାକା ସିଏ ତଥାପି ଆମେ ଭାଇ ଭଉଣୀ ପରି ଚଳୁ। ତୁ ତା ବି ଚଳେ ଆମର। ମୋ ସାନ ଦୁଇ ଭାଇ ଓ ମୋ ଉପରେ ସେ ପୂରାପୂରି କାକାଗିରି କରନ୍ତି)।

ମୋତେ ଦେଖି ଦେଇ ହସି ଦେଇ କହିଲେ,” ଚାଲ ଲାଣ୍ଡୀ ଘରକୁ। ନାଲି ବେତ ରେଡ଼ି ହେଇକି ଅଛି ତୋ ପାଇଁ। ବାରଟାରୁ ଯାଇଥିଲୁ ଯେ ଏଇନେ ଫେରୁଛୁ? ପୋଲିସ୍ ଷ୍ଟେସନ୍ ଯିବାକୁ ବାହାରିଲେଣି ଭାଇ।”

ଶଙ୍କିଗଲି ମୁଁ। ବାରଟାରୁ ସାତଟା ପର୍ଯ୍ୟନ୍ତ ଭୁଲି ଯାଇଥିଲି ମୋର ପରିବାରଟିଏ ଅଛି, ଯେଉଁଠି ବାପା,ମାଆ ଦୁଇଜଣ ମୋ ପାଇଁ ବ୍ୟସ୍ତ ହେଉଥିବେ। ସାନ ଦୁଇ ଭାଇ ମୋତେ ଖୋଜୁଥିବେ।

ସେତେବେଳେ ଚତୁର୍ଥ ଶ୍ରେଣୀରେ ପଢୁଥାଏ ମୁଁ। ୧୯୭୬ ମସିହାର ଘଟଣା। ଘରେ ପହଞ୍ଚିଲା ବେଳକୁ ଘର ଭର୍ତ୍ତି ଲୋକ( ପୁରୀରେ ରଥଯାତ୍ରା ସମୟରେ ସମସ୍ତଙ୍କ ଘର କୁଣିଆ ମଇତ୍ରରେ ଭରା ରହେ) ଗୋଲ ଟେବୁଲ୍ ବୈଠକରେ ବସିଛନ୍ତି। ମାଆଙ୍କୁ ବୁଝାଉଥାନ୍ତି କିଛି। ମୋତେ ଦେଖି ତାଙ୍କ ଭିତରୁ କେତେଜଣ ଦଉଡି ଆସିଲେ ମୋ ପାଖକୁ। “କୋଉଠି ଥିଲୁ ଏତେବେଳ ଯାଏଁ” ଗୋଟିଏ ପ୍ରଶ୍ନ ସମସ୍ତେ ପଚାରୁଥାନ୍ତି।

ଗୋଡ଼ ହାତ ଧୋଇ ବସିଗଲି ଓ ଆଜି ସାରାଦିନ ମୋ ସହିତ ଘଟିଥିବା ରୋମାଞ୍ଚକର କାହାଣୀ କହିବାକୁ ଆରମ୍ଭ କଲି।

ରଥଯାତ୍ରା ଆସିବା ପୂର୍ବରୁ ଆମ ଚାରିଜଣଙ୍କର( କାକା, ଦୁଇଭାଇ ଆଉ ମୁଁ) ଖୁବ ଆଲୋଚନା ହୁଏ, ରଥଖର୍ଚ୍ଚ ପଇସାରେ କିଏ କ’ଣ କିଣିବ। ଦୁଇଦିନ ପୂର୍ବରୁ କାକା କହୁଥିଲେ,” ମୁଁ ବଡ଼ପିଲା, ରଥ ଟାଣି ଯିବି। ତମେ ସବୁ ଛୋଟପିଲା ଘରେ ରହିବ। ”

ମୁଁ ଅଳି କରେ ମୋତେ ସାଙ୍ଗରେ ନେବାକୁ। ହସିକି ଉଡ଼େଇ ଦିଅନ୍ତି ମୋ କଥା। କୁହନ୍ତି, ହେଃ.. ତୁ ପିଲାଲୋକ। ଏତେ ଭିଡରେ ତୁ କ’ଣ ରଥ ଟାଣି ଯିବୁ? ଚୁପ୍ କି ଘରେ ରହ।”

ରଥଯାତ୍ରା ଦିନ ସକାଳୁ ମନେ ମନେ ସ୍ଥିର କରି ନେଇଥିଲି ଯେମିତି ହେଲେ ମୁଁ ରଥ ଟାଣିବାକୁ ଯିବି। ଘରେ ତ କୁଣିଆ ଭର୍ତ୍ତି। ମୋ ଉପରେ ବା କାହାର ଧ୍ୟାନ? ଧୀରେ ପାଦ ଚିପି ଚିପି ଦାଣ୍ଡକୁ ପଳେଇଲି ଆଉ ଚାଲି ଚାଲି ଯାଇ ଗୁଣ୍ଡିଚା ମନ୍ଦିର ପାଖରେ ପହଞ୍ଚିଗଲି।

ବାପ୍ ରେ କି ଭିଡ଼ ସେଠି! କାଦୁଅ ପଚପଚ। ଚପଲ ପଟେ କୁଆଡେ ହଜିଗଲାଣି। ବୁଲି ବୁଲି ଜଗନ୍ନାଥଙ୍କ ରଥ ପାଖରେ ପହଞ୍ଚିଲି। ପହଣ୍ଡି ସରି ଯାଇଥାଏ। ଚାରମାଳ ଫିଟା ହେଇ ରଥ ଦଉଡି ବନ୍ଧା ଚାଲିଥାଏ। ପୋଲିସ୍ କର୍ଡ଼ନ୍ କରି ରଖିଥାନ୍ତି। ମୁଁ କର୍ଡ଼ନ୍ ବାହାରେ ଟିପରେ ଠିଆ ହେଇ ରଥ ଉପରେ ଥିବା ଜଗନ୍ନାଥଙ୍କୁ ଦେଖିବାକୁ ଡ଼େଉଁ ଥାଏ।

ମୋତେ ଏକଲା ଦେଖି ଜଣେ ପୋଲିସ୍ ପଚାରିଲେ,” ଏ ଝିଅ ! କାହା ସାଙ୍ଗରେ ତୁ ଆସିଛୁ? ହଜି ଯାଇଛୁ କି?”

ଏକା ଆସିଛି ରଥ ଟାଣିବାକୁ ବୋଲି କହିଲି। ପାଖରେ ଠିଆ ହୋଇଥିବା ଜଣେ ଭକ୍ତ କହିଲେ,”ଦେଖ! କେତେ ସାହସ ଏ ପିଲାର। ଏଡିକି ଟିକିଏ ହେଇଚି, ପଳେଇ ଆସିଛି ଏକା ରଥ ଟାଣିବାକୁ ! ରଥଚକ ତଳେ ଚିପି ହେଇଯିବୁ ଲୋ ମାଆ। ପଳା ଘରକୁ।’

ସେତେବେଳକୁ ଭିଡ଼ ବହୁତ ବଢ଼ି ଗଲାଣି। ରଥ ଟଣା ଆରମ୍ଭ ହେବ। ଜଣେ ପୋଲିସ୍ ମୋତେ ଟେକିକି କର୍ଡ଼ନ୍ ଭିତରକୁ ନେଇଗଲେ। ବାସ୍.. ତା’ପରେ ଆଉ କ’ଣ? ମଜା ହିଁ ମଜା। ତାଙ୍କ ସହିତ ଭୋଗ,ନଡ଼ିଆ ସବୁ ଖାଇ , ହରିବୋଲ ହୁଳହୁଳି ଦେଇ, ରଥ ଟାଣି ଟାଣି ଜଗନ୍ନାଥଙ୍କ ସହିତ ସଞ୍ଜକୁ ମନ୍ଦିର ପାଖରେ ପହଞ୍ଚିଗଲି।

ରଥ ରହିଲା ପରେ ମୋ ସାଙ୍ଗରେ ଥିବା ପୋଲିସ୍ ମାନେ ତାଙ୍କ ବ୍ୟାରାକ୍ କୁ ଫେରିବାକୁ ବାହାରିଲେ। ମୋତେ କହିଲେ,” ଝିଅ ତୋ ଘର କୋଉଠି? ଚାଲ ତତେ ଆମେ ଘରେ ଛାଡିଦବୁ। ନ ହେଲେ ଆମ ସାଙ୍ଗେ ଚାଲେ। କାଲି ସକାଳେ ତୋ ଘର ଖୋଜିକି ଦେଇ ଆସିବୁ।”

ସେତେବେଳକୁ ମୋର ଘର ମନେ ପଡ଼ିଲା। ଡରିଗଲି। ଅନ୍ଧାର ବି ହେଇ ଗଲାଣି। ବାପା,ମାଆ ସାନ ଦୁଇଭାଇଙ୍କ ମୁହଁ ମନେ ପଡି କାନ୍ଦ ମାଡ଼ିଲା। ମୁଁ କହିଲି,” ମୁଁ ଚିହ୍ନିଛି ଆମ ଘର ରାସ୍ତା। ଏକଲା ଯାଇ ପାରିବି। ତା’ପରେ ସେମାନେ ବଳଗଣ୍ଡି ପାଖରେ ମୋତେ ଆଣି ଛାଡିଦେଲେ।

ବଡ଼ କାକା ଥାଇକି କହିଲେ, “ହଁ ପରା ତାକୁ ମୁଁ ଦେଖିଥିଲି ଜଗନ୍ନାଥଙ୍କ ରଥର କର୍ଡ଼ନ୍ ଭିତରେ। ତାଳି ମାରି ମାରି ଚାଲିଥିଲା। ମୁଁ ଡାକିଲି ଯେ ଶୁଣିଲାନି।”

ସମସ୍ତେ କହିଲେ,” ଆମେ ଖୋଜି ଖୋଜି ଏତେ ବ୍ୟସ୍ତ ହେଉଥିଲୁ। ଜାଣିଥିଲୁ ଯଦି କହୁ ନ ଥିଲୁ କାହିଁକି?”

ଗୋଟିଏ ହସର ଲହରୀ ଖେଳିଗଲା ଘର ଭିତରେ। ବାପାଙ୍କର ସାଙ୍ଗ ଜଣେ କହିଲେ, ” ତୁ ଭାଗ୍ୟବତୀ, ଆମକୁ ତ ରଥ ଦଉଡି ଟିକେ ଛୁଇଁବାକୁ କେତେ କଷ୍ଟ କରିବାକୁ ପଡିଲା ଆଉ ତୁ ମଜାରେ ରଥ ଟାଣିଲୁ।’

ସତରେ ଜଗନ୍ନାଥଙ୍କର କରୁଣା ଅସୀମ। ଭକ୍ତ ପ୍ରତି ମୁହୂର୍ତ୍ତରେ ତାଙ୍କୁ ନିଜ ଭିତରେ ଅନୁଭବ କରିପାରେ। ସେ ଚାହିଁଲେ କେଉଁ କାମ ବା ଅଟକି ରହିବ। ପଙ୍ଗୁ ବି ଗିରି ଲଙ୍ଘିଯିବ।

ଭୁବନେଶ୍ୱର