ଆଜି କାଲି ଟିଭି ଆଉ ଖବର କାଗଜ ଖୋଲିଦେଲେ ସମ୍ପର୍କକୁ ନେଇ ଖବରମାନ ଖାଲି, କୋଉଠି ସ୍ଵାମୀ ଆଉ ସ୍ତ୍ରୀର ସମ୍ପର୍କରେ ହିଂସା ଦେଖା ଗଲାଣି ତ ଆଉ କୋଉଠି ପ୍ରେମିକ ପ୍ରେମିକା ଭିତରେ ପ୍ରତିହିଂସାର ନିଆଁ ଜଲିଲାଣି । ଆଉ ବେଶୀ ଦେଖା ଦେଉଛି ଏ ସବୁ ପ୍ରେମର ସମ୍ପର୍କରେ । କୋଉଠି ଝିଅଟିଏ ଏଥି ପାଇଁ ଦାୟୀ ହେଲାଣି ତ ଆଉ କୋଉଠି ପୁଅଟିଏ ।
ସମାଜ ଆମର ଆଧୁନିକ ମୁହାଁ ହେଇ ଏ ସବୁକୁ ଏତେ ସହଜରେ କେମିତି ଆପଣେଇ ନେଉଛି ତାହା ଏବେ ବଡ଼ ପ୍ରଶ୍ନ ? ଯଦି ଆମେ ଦେଖିବା ସ୍ଵାମୀ ଆଉ ସ୍ତ୍ରୀର ସମ୍ପର୍କ ତାହେଲେ ବହୁତ କିଛି କଥା ସେଥିରୁ ଆମକୁ ଶିଖିବାକୁ ମିଳେ । ସ୍ଵାମୀ ହୁଅନ୍ତୁ କିମ୍ବା ସ୍ତ୍ରୀ ଏମିତି ଗୋଟିଏ ଚରିତ୍ର ଯାହାର ପରସ୍ପର କାହା ସହିତ କିଛି ବି ରକ୍ତ ସମ୍ପର୍କ ନଥାଏ କିନ୍ତୁ ଭଲପାଇବା ଆଉ ବିଶ୍ୱାସର ଏମିତି ଏକ ସମ୍ପର୍କ ଥାଏ ଯାହା ଦ୍ୱାରା ସେ ପବିତ୍ର ସମ୍ପର୍କ ଆଉ ମଜବୁତ ହେଇଯାଇଥାଏ । କିନ୍ତୁ ଏବେ ଏବେ ଏଥିରେ ଦେଖାଯାଉଛି ବ୍ୟତିକ୍ରମ ଯାହାର ଫଳ ଆମେ ଦେଖୁଛେ ସମ୍ପର୍କରେ ଫାଟ ଛାଡ଼ପତ୍ର ଆଉ ହିଂସା ।
ବିଗତ ଦିନରେ ଯଦି ଦେଖିବା ତାହେଲେ ଏଇ ଘଟଣା ମାନ ଆମ ମୁଖ୍ୟ ଖବର ପାଲଟିଛି । ଦୁଃଖ ଆଉ ପରିତାପର ବିଷୟ ଆମେ କେତେ ତଳକୁ ତଳ ଖସି ଯାଉଛେ । ସମାଜର ଗତି କେଉଁ ଆଡ଼େ ଏ ପ୍ରଶ୍ନ ସମସ୍ତଙ୍କୁ ଆନ୍ଦୋଳିତ କରୁଛି । କୋଉଠି କ୍ଷଣିକ ଖୁସି ପାଇଁ ମଣିଷ ହତ୍ୟାକାରୀ ସାଜୁଛି ତ ଆଉ କେଉଁଠି ଇର୍ଷା ଆଉ ହିଂସାର ବଶବର୍ତ୍ତୀ ହେଇ ନିଜ ସଂସାରକୁ ଛାରଖାର କରୁଛି । ପ୍ରେମ ପାଇଁ କୋଉଠି ନିଆଁ ଲାଗୁଛି ତ କୋଉଠି ଆତ୍ମହତ୍ୟା ହେଉଛି ।
ଏ ସବୁର ମୂଳ କାରଣ କଣ ତାହା କେବଳ ଆଲୋଚନା ରେ ହିଁ ରହିଯାଉଛି । ସମସ୍ୟା ଆସ୍ତେ ଆସ୍ତେ ବଡ଼ ହେଉଛି । ସମାଧାନର ବାଟ ଫିଟିଲା ବେଳକୁ ସବୁ କିଛି ସରିଯାଉଛି । ଝରାଫୁଲ ଠାରୁ ଆରମ୍ଭ କରି ପ୍ରିୟଙ୍କା, ଆଉ ସୋମ୍ୟରଞ୍ଜନ ସମସ୍ତେ ଏଇ ହିଂସାର ଶିକାର ହେଇଛନ୍ତି । ଏବେ ଆଗକୁ ମଧ୍ୟ କିଏ କେତେ ଏଇ ସମସ୍ୟାକୁ ସାମ୍ନା କରିବେ ତାର ହିସାବ କାହା ପାଖରେ ନାହିଁ । ତେଣୁ ବେଳ ହୁଁ ସାବଧାନ ।
ଯୁବବର୍ଗଙ୍କ ଉପରେ ଅଦ୍ଭୁତ ନିଶା ସବାର । ଯଦି ସବୁ ମିଳିଯାଉଛି ତାହେଲେ ଖୁସି ନ ମିଳିଲେ ହତାଶର ଶିକାର ହେଇ ଯାହା ବି କାଣ୍ଡ ଘଟେଇ ଦେଉଛନ୍ତି l ତେଣୁ ଯାହା ପରିସ୍ଥିତି ଅଛି ତାକୁ ନେଇ ଖୁସି ରହିଲେ ଏ ପ୍ରକାର ସମସ୍ୟା ଆଉ ଆଗକୁ ବଢ଼ିବ ନାହିଁ । ଏଇ ପ୍ରକାର ହିଂସା ଯେତେବେଳେ ଘଟୁଛି ତା ପର ର ପରିସ୍ଥିତି ଅତ୍ୟନ୍ତ ବିପଦ୍ଜନକ ହେଉଛି । ଯେ କୌଣସି ପ୍ରକାର ସମସ୍ୟାର ସମାଧାନ ରହିଛି । ତେଣୁ ଆମେ ପ୍ରଥମେ ସମାଧାନ ଖୋଜିବା ତାହେଲେ ପରିସ୍ଥିତି ରେ ନିଶ୍ଚିତ ସୁଧାର ଆସିବ । ଆଉ ସବୁର ମୂଳରେ ହେଉଛି ତଦନ୍ତ । ଘଟଣା ଘଟିସାରିବା ପରେ ଯଦି ତଦନ୍ତ ଠିକ ନ ହେଉଛି ତାହେଲେ ବହୁତ ଖରାପ ବାର୍ତ୍ତା ଯାଉଛି ସମାଜକୁ ଆଉ ଆମ ଆଗାମୀ ପୀଢ଼ିକୁ l ତେଣୁ ଏ ପ୍ରକାର ନୂଆ ସମସ୍ୟାର ସମାଧାନ ଆମକୁ ହିଁ ଖୋଜିବାକୁ ପଡ଼ିବ । ନହେଲେ ଏଇ ସମସ୍ୟାକୁ ଆମ ଆଗାମୀ ପୀଢ଼ି ବହୁତ ମାତ୍ରାରେ ଭୋଗିବେ ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ ।
Comments are closed.