Latest Odisha News

BREAKING NEWS

ଡ଼ଙ୍ଗାରେ ମାରିଲା ବିଜୁଳି: ବଜ୍ରପାତରେ ମା’ ଓ ଝିଅଙ୍କ ଦୁଃଖଦ ମୃତ୍ୟୁ !

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଅଞ୍ଚଳରେ ସୋମବାର ସକାଳେ ବଜ୍ରପାତ ଯୋଗୁଁ ଡ଼ଙ୍ଗାରେ ଯାଉଥିବା ମା’ ଓ ଝିଅଙ୍କର ଶୋଚନୀୟ ମୃତ୍ୟୁ ଘଟିଛି । ଏହି ମର୍ମନ୍ତୁଦ ଦୁର୍ଘଟଣାରେ ମା’ ଓ ଝିଅଙ୍କ ଶୋଚନୀୟ ମୃତ୍ୟୁରେ ସାରା କେନ୍ଦ୍ରାପଡ଼ା ଜିଲ୍ଲା ସ୍ତବ୍ଧ ହୋଇପଡ଼ିଛି ।

ମହାକାଳପଡ଼ା ବନଖଣ୍ଡର ଫରେଷ୍ଟ ରେଞ୍ଜର ବିଜୟ ପରିଡ଼ାଙ୍କ କହିବାନୁଯାୟୀ, ଜମ୍ବୁ ଗ୍ରାମରୁ ଏକ ମୋଟରଚାଳିତ ମାଛଧରା ଡ଼ଙ୍ଗାଯୋଗେ ଜଣେ ନାବାଳକଙ୍କ ସମେତ ୪ଜଣ ବ୍ୟକ୍ତି ନଦୀପଥରେ ହୁକିଟୋଲା ଯିବା ବାଟରେ ଏପରି ଦୁଃଖଦ ଦୁର୍ଘଟଣା ଘଟିଥିଲା ।

ନଦୀପଥରେ ମୋଟରଚାଳିତ ସେହି ଡ଼ଙ୍ଗାରେ ଯାଉଥିବା ବାଟରେ ଡ଼ଙ୍ଗା ଉପରେ ବଜ୍ରପାତ ହୋଇଥିଲା । ପ୍ରଚଣ୍ଡ ବଜ୍ରପାତ ଯୋଗୁଁ ଘଟଣାସ୍ଥଳରେ ହିଁ ଜଣେ ମହିଳା ଓ ତାଙ୍କର ଝିଅଙ୍କର ମୃତ୍ୟୁ ହୋଇଥିଲା । ସେହି ଡ଼ଙ୍ଗାରେ ଯାଉଥିବା ଅନ୍ୟ ଜଣେ ମହିଳା ଏବଂ ଜଣେ ୧୬/୧୭ ବର୍ଷର ନାବାଳକ ମଧ୍ୟ ଏହି ବଜ୍ରପାତରେ ଗୁରୁତର ଆହତ ହୋଇଥିବା କଥା ଜଣାଇଛନ୍ତି ମହାକାଳପଡ଼ା ବନଖଣ୍ଡର ଫରେଷ୍ଟ ରେଞ୍ଜର୍ ବିଜୟ ପରିଡ଼ା ।

ମୃତା ମହିଳା ଜଣକ ହେଲେ ଜମ୍ବୁ ଗ୍ରାମର ପନ୍ତୀ ମଣ୍ଡଳ ଏବଂ ତାଙ୍କ ଝିଅ ଦୀପାଳି ମଣ୍ଡଳ । ଏହି ଘଟଣାରେ ଗୁରୁତର ଆହତ ହୋଇଥିବା ତରଲା ମଣ୍ଡଳ ଯିଏକି ମୃତା ପନ୍ତୀ ମଣ୍ଡଳଙ୍କ ନାତି । ସେହିପରି ଆହତ ହୋଇଥିବା ମହିଳା ହେଲେ ପନ୍ତୀଙ୍କ ସମ୍ପର୍କୀୟା ଦାସୀ ମଣ୍ଡଳ ।

ଘଟଣା ଘଟିବା ପରେ ନଈ ମଧ୍ୟରେ ଅନ୍ୟ ଡ଼ଙ୍ଗାରେ ମାଛଧରୁଥିôବା ମାଛଧରାଳିମାନେ ଆସି ଉଦ୍ଧାର କରିଥିଲେ । ଗୁରୁତର ଆହତ ୨ଜଣଙ୍କୁ ମହାକାଳପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି ।

Leave A Reply

Your email address will not be published.