Latest Odisha News

BREAKING NEWS

ବିଶ୍ୱକପ ଫୁଟବଲ: ହ୍ୟାରୀ କେନଙ୍କ ହ୍ୟାଟ୍ରିକ ବଳରେ ପ୍ରି-କ୍ୱାର୍ଟର୍ ଫାଇନାଲରେ ଇଂଲଣ୍ଡ ଦଳ !

ମସ୍କୋ : ବିଶ୍ୱକପ ଏବେ ଖୁବ ଜମୁଛି । ସାରା ପଡ଼ିଆରେ ସବୁଦଳର ଖେଳାଳିମାନେ ଏବେ ଗୋଟିଏ ଗୋଲ୍ ଦେବାକୁ ପ୍ରତିପକ୍ଷ ଉପରେ ଯେନତେନ ଭାବେ ଆକ୍ରମଣ କରିଚାଲିଛନ୍ତି । ଦେଖାଯାଉଛି ପ୍ରତିମ୍ୟାଚରେ ଗୋଲସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ସବୁ ଦଳକୁ ନିଜ ଦେଶର ଫ୍ୟାନମାନେ ବିଭିନ୍ନ ରଙ୍ଗରେ ସଜହୋଇ ଉତ୍ସାହିତ କରିବାରେ ଲାଗିଛନ୍ତି । ତେବେ ଗତରାତିରେ ଫୁଟବଲର ଜନ୍ମଦାତା ଇଂଲଣ୍ଡ ଓ ଏହି ବିଶ୍ୱକପର ଆୟୋଜକ ଋଷିଆ ନିଜ ନିଜର ମ୍ୟାଚ ଜିତି ପ୍ରି-କ୍ୱାର୍ଟର ଫାଇନାଲରେ ପହଞ୍ଚି ଆଗାମୀ ମ୍ୟାଚ ପାଇଁ ସଜବାଜ ହେବାରେ ବ୍ୟସ୍ତ ।

ଇଂଲଣ୍ଡ ଦଳ ୬-୨ ଗୋଲରେ ଅପେକ୍ଷାକୃତ ଦୁର୍ବଳ ଦଳ ପାନାମାକୁ ପରାସ୍ତ କରି ପ୍ରି-କ୍ୱାର୍ଟର ଫାଇନାଲରେ ପହଞ୍ଚିଛି । ଇଂଲଣ୍ଡ କପ୍ତାନ ହ୍ୟାରୀ କେନଙ୍କ ଆକର୍ଷଣୀୟ ହ୍ୟାଟ୍ରିକ ଗୋଲ ବଳରେ ଦଳର ଏହି ବିଜୟ ସହଜ ହୋଇପାରିଛି ।

ସେହିପରି ଏକ ଉକ୍ରଣ୍ଠାପୂର୍ଣ୍ଣ ମ୍ୟାଚରେ କଲିମ୍ବିଆ ଦଳ ପୋଲାଣ୍ଡକୁ ୩-୦ ଗୋଲ ବ୍ୟବଧାନରେ ପରାସ୍ତ କରି ବିଶ୍ୱକପ ଟୁର୍ଣ୍ଣାମେଣ୍ଟରେ ପ୍ରଥମ ବିଜୟ ହାସଲ କରିପାରିଛି ।

ଟୁର୍ଣ୍ଣାମେଣ୍ଟର ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ଏସୀୟ ଚମ୍ପିଆନ ଜାପାନ ଓ ଆଫ୍ରିକୀୟ ରାଷ୍ଟ୍ର ସେନେଗାଲ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ତେବେ ମ୍ୟାଚଟି ଅମିମାଂସିତ ରହିଥିଲେ ମଧ୍ୟ ଅନୁଷ୍ଠିତ ହୋଇଥିବା ଜାପାନ-ସେନେଗାଲ ମ୍ୟାଚ ବେଶ୍ ଉପଭୋଗ୍ୟ ହୋଇଥିବାର ଦେଖିବାକୁ ମିଳିଥିଲା ।

ଏହି ମ୍ୟାଚରେ ସେନେଗାଲ ଖେଳାଳି ସାଦିଓ ମାନୀ ଏବଂ ମୁସା ୱାଗଗେ ଗୋଟିଏ କରି ଗୋଲ ସ୍କୋର କରିଥିଲେ । ସେହିପରି ଜାପାନ ପକ୍ଷରୁ ତାକାସି ଇନୁଇ ଏବଂ କିସୁକେ ହଣ୍ଡା ଦୁଇଟି ଗୋଲ ସ୍କୋର କରି ମ୍ୟାଚକୁ ୨ଥର ବରାବର ସ୍ଥିତିକୁ ଆଣିଥିଲେ ।

ତେବେ ଯାହାବି ହେଉ, ବିଶ୍ୱକପ ଏବେ ଧିରେ ଧିରେ ଜମିବାରେ ଲାଗିଛି । ସମସ୍ତ ମ୍ୟାଚଗୁଡ଼ିକ ବେଶ୍ ଉକ୍ରଣ୍ଠାପୂର୍ଣ୍ଣ ଭାବେ ଖେଳାଯିବା ସହିତ ପ୍ରାୟ ସମସ୍ତ ଖେଳରେ ଭଲ ସ୍କୋର ମଧ୍ୟ ହେବାରେ ଲାଗିଛି ।

ଆଜି ଖେଳାଯିବ ଗୁରୁତ୍ୱପୂଣ୍ଣ ୪ଟି ଲିଗ୍ ମ୍ୟାଚ । ଏହି ମ୍ୟାଚ ଗୁଡ଼ିକ ହେଲା :
ଉରୁଗୁଏ-ଋଷିଆ – ସନ୍ଧ୍ୟା ୭:୩୦
ଇଜିପ୍ଟ-ସାଉଦି ଆରବ – ସନ୍ଧ୍ୟା ୭:୩୦
ସ୍ପେନ-ମରକ୍କୋ – ୧୧:୩୦
ପର୍ତ୍ତୁଗାଲ-ଇରାନ – ୧୧:୩୦


ଋଷିଆ ପୂର୍ବରୁ ପ୍ରି-କ୍ୱାର୍ଟର ଫାଇନାଲକୁ ପ୍ରବେଶ କରିସାରିଛି, ସ୍ପେନ, ପର୍ତ୍ତୁଗାଲ ଏବଂ ଇଜିପ୍ଟ ବିପକ୍ଷ ଦଳକୁ ପରାସ୍ତ କରି ପ୍ରି-କ୍ୱାର୍ଟର୍ ଫାଇନାଲରେ ପହଞ୍ଚିବାକୁୁ ଶତଚେଷ୍ଟା କରିବେ ବୋଲି ଆଶା ରଖିଛନ୍ତି ସାରା ବିଶ୍ୱର କ୍ରୀଡ଼ାପ୍ରେମୀ । ଷ୍ଟାଡ଼ିୟମରେ ଫୁଟବଲ ଫ୍ୟାନମାନେ ନିଜ ନିଜ ଦେଶକୁ ବିଭିନ୍ନ ଢଙ୍ଗରେ ସମର୍ଥନ କରୁଥିବାର ଚମତକାର ଦୃଶ୍ୟ ଦିନକୁ ଦିନ ଖେଳକୁ ଆହୁରି ଆକର୍ଷଣୀୟ କରିପାରୁଛି ।

Leave A Reply

Your email address will not be published.