କଟକ : ପବିତ୍ର ମହାଳୟା ପାଇଁ ଭାରତୀୟ ରେଳ କ୍ୟାଟରିଙ୍ଗ୍ ଓ ପର୍ଯ୍ୟଟନ ନିଗମ ପକ୍ଷରୁ କରାଯାଇଛି ସ୍ବତନ୍ତ୍ର ବ୍ୟବସ୍ଥା । ମହାଳୟାରେ ବାରାଣସୀ, ଆହ୍ଲାବାଦର ତ୍ରିବେଣୀ ସଙ୍ଗମ ଓ ଗୟାରେ ପିଣ୍ଡଦାନ ବା ତିଳତର୍ପଣ କରିବା ପାଇଁ ଏକ ସ୍ବତନ୍ତ୍ର ଟ୍ରେନ୍ କଟକ ଷ୍ଟେସନରୁ ଯାତ୍ରା କରିବ । ଆସନ୍ତା ସେପ୍ଟେମ୍ବର ୨୫ରୁ ଅକ୍ଟୋବର ୧ ତାରିଖ ଯାଏଁ ଏହି ସ୍ବତନ୍ତ୍ର ଟ୍ରେନ୍ ଯାତ୍ରା କରିବ ବୋଲି କହିଛନ୍ତି ଆଇଆରସିଟିସିର ଭୁବନେଶ୍ବର ଆଞ୍ଚଳିକ ପ୍ରବନ୍ଧକ ।
ଏହି ସ୍ବତନ୍ତ୍ର ଟ୍ରେନ୍ ପାଇଁ ସ୍ପେଶାଲ୍ ପ୍ୟାକେଜର ବ୍ୟବସ୍ଥା କରାଯାଇଛି । ଫାଷ୍ଟ କୋଚ୍ ବା ନନ୍ ଏସି ପାଇଁ ୬୬୨୦ ଟଙ୍କା ଏବଂ ଏସି କ୍ଲାସ୍ ପାଇଁ ୧୧ ହଜାର ୩୦ ଟଙ୍କା ରହିଛି । ଏହି ଦୁଇଟି ପ୍ୟାକେଜରେ ୩ ଓଳି ଖାଦ୍ୟ ସହ ଚା, କଫିର ମଧ୍ୟ ବ୍ୟବସ୍ଥା ରହିଛି । ଏହାସହ ରହଣୀ ସ୍ଥାନରେ ହୋଟେଲ୍ ବା ଧର୍ମଶାଳାର ବ୍ୟବସ୍ଥା ରହିଥିବା ବେଳେ, ଲୋକଙ୍କ ସହ ସୁରକ୍ଷାକର୍ମୀ ମଧ୍ୟ ନିୟୋଜିତ ରହିବେ । ଏବଂ ଯାତ୍ରା ସମ୍ପୁର୍ଣ୍ଣ ସରକାରଙ୍କ କୋଭିଡ୍ ନିୟମରେ ହେବ ବୋଲି ନିଗମ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।
ବର୍ତ୍ତମାନ ସୁଦ୍ଧା ୫୦ ପ୍ରତିଶତ ବୁକିଂ ସରିଥିବାରୁ ବାକି ବୁକିଂ ଖୁବଶୀଘ୍ର ଶେଷ ହେବ ବୋଲି ଆଶା ରଖିଛି ନିଗମ । ଯେଉଁମାନେ ଏହି ସୁବିଧା ଚାହୁଁଛନ୍ତି ସେମାନେ ଅନଲାଇନରେ IRCTC.COMରେ ବୁକିଂ କରିପାରିବେ । ଯଦି ଅନଲାଇନରେ ବୁକିଂ କରି ପାରୁନାହାନ୍ତି ତେବେ କଟକ ଷ୍ଟେସନର ୧ ନମ୍ବର ଫ୍ଲାଟଫର୍ମରେ ଥିବା ଫୁଡ୍ ପ୍ଲାଜା ଠାରେ ବୁକିଂ କରିପାରିବେ ବୋଲି କହିଛନ୍ତି ଆଇଆରସିଟିସିର ଭୁବନେଶ୍ବର ଆଞ୍ଚଳିକ ପ୍ରବନ୍ଧକ ଡକ୍ଟର କ୍ରାନ୍ତି ସାଓ୍ବରକର୍ ।
Comments are closed.